ଏବେ ନ୍ୟାୟଦେବୀ ଉନ୍ମୁକ୍ତ ନୟନରେ ନ୍ୟାୟ ଦେଉଛନ୍ତି: ମୁଖ୍ୟମନ୍ତ୍ରୀ

କଟକ,୧୨-୦୧-୨୦୨୫( ପିପିଏସ) : ନ୍ୟାୟିକ ଅଭିଲେଖାଗାର ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବେ କାର୍ଯ୍ୟ କରିବ। ଏହା ଆଇନଗତ ଇତିହାସ, ଐତିହାସିକ ମାମଲା ଓ ଅମୂଲ୍ୟ ଉଦାହରଣର ଭଣ୍ଡାର ହେବ। ଏହା ଓଡ଼ିଶା ଓ ଆମ ଦେଶର ଆଇନଗତ ଦୃଶ୍ୟପଟ୍ଟକୁ ଚିରସ୍ଥାୟୀ କରିପାରିବ ବୋଲି କଟକ ଠାରେ ଓଡ଼ିଶା ହାଇକୋର୍ଟ ନ୍ୟାୟିକ ଅଭିଲେଖାଗାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ବ୍ୟାପକ କରିବ। ନ୍ୟାୟିକ ଦସ୍ତାବିଜ, ରେକର୍ଡ ଓ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଓ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ। ଏହା ଆମ ନ୍ୟାୟପାଳିକାର ସମୃଦ୍ଧ ପରମ୍ପରାକୁ ଆଗାମୀ ପିଢ଼ି ନିମନ୍ତେ ସଂରକ୍ଷିତ କରି ରଖିବାର ସାମୂହିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ନ୍ୟାୟ ଦେବୀଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ହଟିଯାଇଛି। ଆଜି ନ୍ୟାୟଦେବୀ ଉନ୍ମୁକ୍ତ ନୟନରେ ଗୋଟିଏ ହାତରେ ସମ୍ବିଧାନ ଏବଂ ଅନ୍ୟ ହାତରେ ନ୍ୟାୟର ତରାଜୁ ଧରି ଉଭୟ ପକ୍ଷଙ୍କୁ ଶୁଣି ସମ୍ବିଧାନର ବିଧି ବ୍ୟବସ୍ଥା ଅନୁଯାୟୀ ନ୍ୟାୟ ପ୍ରଦାନ କରୁଛନ୍ତି। ଭାରତୀୟ ନ୍ୟାୟ ବ୍ୟବସ୍ଥା ସାରା ବିଶ୍ୱରେ ଅନନ୍ୟ। ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିମାନେ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ରାଜ୍ୟ ସରକାର ନ୍ୟାୟପାଳିକାର ସଂସ୍କାର ଓ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ। ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଇନ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା ଓ ସମସ୍ତଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଦିଗରେ ସରକାର କାର୍ଯ୍ୟ ଜାରି ରଖିବେ। ଓଡ଼ିଶାରେ ଦଣ୍ଡହାର ବୃଦ୍ଧି କରିବା ପାଇଁ ସରକାର ପଦେକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ହିଂସା ବିରୋଧରେ ଦଣ୍ଡ ବିଧାନ କରିବା ପାଇଁ ଚାରିଗୋଟି ଜିଲ୍ଲାରେ ମହିଳା କୋର୍ଟ ପ୍ରତିଷ୍ଠା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ଅଧିକ ସ୍ୱତନ୍ତ୍ର ଅଦାଲତ ହାଇକୋର୍ଟଙ୍କ ଦିଶା ନିର୍ଦ୍ଦେଶରେ ପ୍ରତିଷ୍ଠା କରାଯିବ। ନ୍ୟାୟିକ ଅଭିଲେଖାଗାର କେନ୍ଦ୍ର ସମଗ୍ର ଦେଶରେ ଜ୍ଞାନର ଆଲୋକ ଓ ନ୍ୟାୟିକ ଶିକ୍ଷା ପାଇଁ ଏକ ପ୍ରେରଣା ହେବ।

ହାଇକୋର୍ଟ ନ୍ୟାୟିକ ଅଭିଲେଖାଗାର ଉଦ୍‌ଘାଟିତ

ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓଡ଼ିଶାର ବିଭିନ୍ନ କୋର୍ଟରେ ଥିବା ନଥିପତ୍ରଗୁଡିକୁ ସଂରକ୍ଷଣ କରି ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ନ୍ୟାୟିକ ଅଭିଲେଖାଗାର ଉଦ୍‌ଘାଟିତ ହେବା ସମଗ୍ର ରାଜ୍ୟ ପାଇଁ ଏକ ଗୌରବର ବିଷୟ। ଏହା ରାଜ୍ୟର ନ୍ୟାୟିକ ରାଜଧାନୀ କଟକ ପାଇଁ ଏକ ଅନନ୍ୟ ଉପହାର। ଏହା ଆଇନଗତ ପ୍ରଶାସନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ନ୍ୟାୟିକ ଅଭିଲେଖାଗାର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଗାଇ ଦେଇଥିବା ୩୮ କୋଟି ଟଙ୍କା ଓ ଅନ୍ୟ ସମସ୍ତ ପ୍ରକାର ସହଯୋଗ ପାଇଁ ମୁଖ୍ୟ ବିଚାରପତି ଧନ୍ୟବାଦ ଦେଇଥିଲେ।

ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟ ସରକାର ତ୍ୱରିତ ନ୍ୟାୟ ଓ ସମସ୍ତଙ୍କ ନିକଟରେ ନ୍ୟାୟ ବ୍ୟବସ୍ଥା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିବା କହିଥିଲେ। ନ୍ୟାୟ ବ୍ୟବସ୍ଥାରେ ବୈଷୟିକ ସଂସ୍କାର ଆଣିବା ସହ ନ୍ୟାୟ ବ୍ୟବସ୍ଥାକୁ ଦକ୍ଷ, ସ୍ବଚ୍ଛ ଓ ସମସ୍ତଙ୍କ ନିକଟରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। ବିଚାରପତି ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣରେ ନ୍ୟାୟିକ ଅଭିଲେଖାଗାର କେନ୍ଦ୍ର ପ୍ରତିଷ୍ଠାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ହାଇକୋର୍ଟ ଓ ଓଡ଼ିଶାର ସମସ୍ତ ଜିଲ୍ଲା ଅଦାଲତ ଗୁଡ଼ିକର ରେକର୍ଡକୁ ଏହି ଅଭିଲେଖାଗାର ସୁରକ୍ଷା ଦେବ। ଏଯାଏଁ ଏହି କେନ୍ଦ୍ର ୧୯୫୦ ମସିହା ପୂର୍ବର ୭୫ ହଜାର ନ୍ୟାୟିକ ରେକର୍ଡ ସଂରକ୍ଷିତ କରି ରଖିଛି। ଏଥି ମଧ୍ୟରୁ ୪,୧୩୨ ଫାଇଲ୍‌ର ୮୪ ହଜାର ୮୮୮ ପତ୍ରର ବିଜ୍ଞାନ ସମ୍ମତ ସଂରକ୍ଷଣ କରାଯାଇଛି। ୧୧୫୧ ଫାଇଲ୍‌ ଡିଜିଟାଇଜଡ୍ କରାଯାଇଛି ବୋଲି ସେ କହିଥିଲେ। ଶେଷରେ ଜଷ୍ଟିସ୍‌ ଶିଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି, ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଡେପୁଟି ସଲିସିଟର ଜେନେରାଲ ପ୍ରସନ୍ନ କୁମାର ପାଢୀ, ହାଇକୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ବିଜୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.