ବଳପୂର୍ବକ ବାଲିଘାଟ ଦଖଲ ଉଦ୍ୟମ

ଲିଜଧାରୀ ବ୍ୟବସାୟୀଙ୍କୁ ଗ୍ୟାଙ୍ଗଷ୍ଟରର ଧମକ
-ଏତଲାର ପରେ ବି ତଦନ୍ତ ଆରମ୍ଭ ହୋଇନି
-ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ

କଟକ, ୧୧-୦୧-୨୦୨୫(ପିପିଏସ ) : ବାଲିଘାଟ ଛାଡିବାକୁ ଲିଜଧାରୀଙ୍କୁ ଧମକ ଦେଇଛି ଗ୍ୟାଙ୍ଗଷ୍ଟର । ପ୍ରଥମେ ଲକ୍ଷାଧିକ ଟଙ୍କା ବଟି ନେବା ପରେ ଏବେ ପୂରା ବାଲିଘାଟ ଦଖଲ କରିବାକୁ ଧମକ ଦିଆଯାଇଛି । ଘାଟ ନଛାଡିଲେ ହତ୍ୟା କରାଯିବ । ଏଭଳି ଅଭିଯୋଗ ନେଇ ଶନିବାର ଅପରାହ୍ନରେ ସଦର ଥାନା ଅନ୍ତର୍ଗତ କାଜିପାଟଣା ଅଞ୍ଚଳର ପ୍ରଭାସ କୁମାର ମହାନ୍ତି ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ୟାଙ୍ଗଷ୍ଟର ଚିକେନ ବାବୁ ଓରଫ ରାଜବିହାରୀ ଦାଶ ଏଭଳି ବାରମ୍ବାର ଧମକ ଦେଉଥିବା ସେ ଦର୍ଶାଇଛନ୍ତି ।
କାଜିପାଟଣା ଅଞ୍ଚଳର ଭବାନୀ ଶଙ୍କର ମହାନ୍ତି ଜଗତସିଂହପୁର ଜିଲ୍ଲା ବରିଡି ଥାନା ଅନ୍ତର୍ଗତ ଚାଷୀଖଣ୍ଡ ଗ୍ରାମରେ ଥିବା ବାଲିଘାଟକୁ ଲିଜସୂତ୍ରରେ ନେଇଛନ୍ତି । ଗଲା ଏକ ବର୍ଷ ହେବ ସେ ଉକ୍ତ ଘାଟକୁ ଚଳାଇ ଆସୁଛନ୍ତି । ଆରମ୍ଭରୁ ଉକ୍ତ ବାଲିଘାଟକୁ ଦଖଲ ପାଇଁ ଗ୍ୟାଙ୍ଗଷ୍ଟର ଚିକେନ ବାବୁ ଉଦ୍ୟମ କରିଆସୁଥିଲା । ମାତ୍ର ଗଲା ବର୍ଷ ଭବାନୀ ସରକାରୀ ବିଧିବ୍ୟବସ୍ଥାରେ ଉକ୍ତ ଘାଟକୁ ଲିଜସୂତ୍ରରେ ନେଇଥିଲେ । ଏହାପରଠୁ ଚିକେନ ବାବୁ ପ୍ରତିକ୍ରିୟାଶୀଳ ହୋଇପଡିଥିଲା । ଏନେଇ ପ୍ରଭାସଙ୍କ ଅଭିଯୋଗ ଅନୁସାରେ, ବିଭିନ୍ନ ସମୟରେ ଚିକେନ ବାବୁ ଅସାମାଜିକଙ୍କୁ ଲଗାଇ ଉକ୍ତ ବାଲିଘାଟ କର୍ମଚାରୀଙ୍କୁ ମାରପିଟ କରିବା, କର୍ମଚାରୀଙ୍କୁ ସେଠାକୁ ପୁର୍ନବାର ନଆସିବା ପାଇଁ ଧମକ, ଭାରୀଯାନ ଗୁଡିକୁ ଘାଟକୁ ନଛାଡିବା ଏବଂ ବାଲି ବୋଝେଇ ଗାଡି ଗୁଡିକୁ ଅଟକାଇ ବଟି ମାଗୁଥିଲା । କୌଣସି ପ୍ରକାରେ ସେଠାରୁ ବାଲି ପରିବହନ ରୋକି ଆର୍ଥିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଚିକେନା ବାବୁ ଏଭଳି ହରକତ କରୁଥିଲା । ସବୁ ଉଦ୍ୟମରେ ବିଫଳ ହେବା ପରେ ବାଲିଘାଟ ଅକ୍ତିଆର ପାଇଁ ସିଧାସଳଖ ହତ୍ୟା ଧମକ ଦେଇଛି । ଗତ ୮ ତାରିଖ ଅପରାହ୍ନରେ ଚିକେନ ବାବୁ ସିଧାସଳଖ ପ୍ରଭାସଙ୍କୁ ଫୋନ କରି ଗାଳିଗୁଲଜ କରିଥିଲା । ଆଉ ଘାଟ ତୁରନ୍ତ ନଛାଡିଲେ ଦୁଇ ଭାଇଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଲା । ଏପରିକି ଭବାନୀକୁ ଯେଭଳି ମିଛ ମାମଲାରେ ଫଶାଇଛି; ସେହିପରି ପ୍ରଭାସଙ୍କୁ ବି ଭୟ ଦେଖାଇଲା । ଏହି ଘଟଣାର କିଛି ସମୟ ପରେ ପ୍ରଭାସ କୁଆଖିଆ ବ୍ରିଜ ତେନ୍ତୁଳିନାଳୀ ରାସ୍ତା ଉପରେ କାରରେ ଯାଉଥିଲା ବେଳେ ହଠାତ ଦୁଇ ଜଣ ବ୍ୟକ୍ତି ବାଇକରେ ଆସି ତାଙ୍କୁ ଅଟକାଇଥିଲେ । କିଛି କହିବା ଆଗରୁ ବ୍ୟକ୍ତି ଦ୍ୱୟ ତାଙ୍କୁ ଗାଡିରୁ ଘୋଷାଡି ଆଣି ମାରଧର କରିଲେ । ତନ୍ମଧ୍ୟରୁ ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଚିକେନ ବାବୁ ଭାଇଙ୍କ କଥା ମାନି ତୁରନ୍ତ ବାଲିଘାଟ ଛାଡିଦେବାକୁ ଧମକ ଦେଲା । ନଚେତ ଦୁଇ ଭାଇଙ୍କୁ ହତ୍ୟା କରାଯିବ ବୋଲି ଦୁର୍ବୃତ୍ତ ଦ୍ୱୟ ଚେତାବନୀ ଦେଇ ସେଠାରୁ ପଳାଇଲେ । ଏହାର କିଛି ସମୟ ପରେ ବାଲିଘାଟର ଜଣେ କର୍ମଚାରୀଙ୍କ ଧମକ ଦେଇ ଲକ୍ଷାଧିକ ଟଙ୍କା ବଟି ଦେବାକୁ କୁହାଗଲା । ଦିନକରେ ଏହି ତିନିଟି ଘଟଣା ଘଟିବାରୁ ପ୍ରଭାସ ପୂରା ଭୟଭୀତ ହୋଇପଡିଥିଲେ । ଏନେଇ ସେ ତୁରନ୍ତ ସଦର ଥାନାରେ ଏତଲା ଦେଇଥିଲେ । ଇତିମଧ୍ୟରେ ଘଟଣାକୁ ତିନି ଦିନ ବିତିଥିଲା ବେଳେ ପୋଲିସ ତଦନ୍ତକୁ ତ୍ୱରାନିତ କରିନାହିଁ । ଯାହାଫଳରେ ପ୍ରଭାସ ଓ ତାଙ୍କ ପରିବାର ସଦସ୍ୟ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏନେଇ ପ୍ରଭାସ ଓ ତାଙ୍କ ବାପା ପ୍ରେମାନନ୍ଦ ମହାନ୍ତି ଶନିବାର ଡିସିପିଙ୍କୁ ଭେଟିବାକୁ ଆସିଥିଲେ । ମାତ୍ର ଡିସିପିଙ୍କ ଅନୁପସ୍ଥିତିରେ ଉଭୟ ଏଡିସିପି ଅମରେନ୍ଦ୍ର ପଣ୍ଡାଙ୍କୁ ଭେଟି ଘଟଣା ସମ୍ବନ୍ଧରେ ଜଣାଇଥିଲେ । ଥୋରିଆ ସାହିରେ ରହୁଥିବା ବିରିଡି ଅଞ୍ଚଳର ମଦ ଓ ବାଲି ମାଫିଆ ଚିକେନ ବାବୁ ଓରଫ ରାଜବିହାରୀ ଦଶ ବିରୋଧରେ ତ୍ୱରିତ କାର୍ୟ୍ୟାନୁଷ୍ଠାନ ନେବାକୁ ଉଭୟ ଅନୁରୋଧ କରିଛନ୍ତି । ସବୁ ଘଟଣା ଶୁଣିବା ପରେ ଘଟଣାର ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିସିପି ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.