କଟକରେ ମୁମ୍ବାଇର ନକଲି ଇଲିସି

କଟକ,୦୩-୦୧-୨୦୨୫(ବି.ଏନ .ଓ ) : ନକଲି ଖାଦ୍ୟ ସାମଗ୍ରୀ କାରବାରକୁ ନେଇ ବଦନାମ ହୋଇଥିବା କଟକ ସହରରେ ଏବେ ସବୁଠାରୁ ଦାମିକିଆ ମାଛ ‘ଇଲିସି’ର ନକଲି କାରବାର ଗ୍ରାହକଙ୍କ ପାଇଁ ଉଦବେଗର କାରଣ ହୋଇଛି। ଅବିକଳ ଇଲିସି ମାଛ ଭଳି ଦେଖିବାକୁ ‘ତୁମ୍ବା’କୁ ଇଲିସି ମୂଲ୍ୟରେ ବିକ୍ରି କରାଯାଉଛି। ମୁମ୍ବାଇରୁ ଆମଦାନୀ ହେଉଥିବା ଏହି ମାଛକୁ ପାଖାପାଖି କେଜି ପିଛା ୨ ହଜାର ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଏଭଳି ସଂଗିନ ଅଭିଯୋଗ ସାମନାକୁ ଆସିବା ପରେ ଗ୍ରାହକ ଠକାମିରେ ପଡ଼ୁଥିବା ଜଣାପଡ଼ିଛି। ପ୍ରଶାସନ ଏ ଦିଗରେ କି ପ୍ରକାର ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି। ସୂଚନା ଅନୁଯାୟୀ, ବର୍ଷା ଋତୁରେ ଯଦିଓ ଇଲିସି ମାଛ ଆମଦାନୀ ଅଧିକ ପରିମାଣରେ ବଢ଼ିଥାଏ ଏବେ ବି ବରଫଦିଆ ଇଲିସି ବଜାରରେ ଉପଲବ୍ଧ ହେଉଛି। କଟକ ସହରକୁ ଇଲିସି ମାଛ ମୁଖ୍ୟତଃ ପାରାଦୀପ, ବାଲେଶ୍ବର, କଲିକତା, ଦୀଘା, ମୁମ୍ବାଇରୁ ଆମଦାନି କରାଯାଏ।

‘ଇଲିସି’ କହି ଦୁଇଗୁଣା ମୂଲ୍ୟରେ ‘ତୁମ୍ବା’ ବିକ୍ରି 
ହଜାର ଟଙ୍କାର ମାଛ ୨ ହଜାରରେ ବିକ୍ରି

ତୁମ୍ବା ମାଛ କେବଳ ମୁମ୍ବାଇରୁ ଆମଦାନି ହୋଇଥାଏ। ସେଠାକାର ସମୁଦ୍ରରେ ଏହି ଧରଣର ମାଛ ମରାଯାଇଥାଏ। ଏ ଧରଣର ମାଛ ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳି ନଥାଏ। ଆମିଷ ବାରରେ କଟକ ସହରକୁ ଇଲିସି ପାଖାପାଖି ୨ରୁ ୩ କୁଇଣ୍ଟାଇଲ୍ ଆମଦାନି ହେଉଥିବା ବେଳେ ତୁମ୍ବା ୫୦ କେଜିରୁ ୧ କୁଇଣ୍ଟାଲ୍ ଯାଏ ଆମଦାନି ହେଉଛି। ୧ କେଜିରୁ ୧୩ ଶହ ଗ୍ରାମ ଭିତରେ ମିଳୁଥିବା ଇଲିସି କେଜି ପିଛା ଦର ୨ ହଜାର ଟଙ୍କା ରହୁଛି। ୫୦୦ରୁ ୭୦୦ ଗ୍ରାମ ଓଜନର ଛୋଟ ଇଲିସି ମୂଲ୍ୟ କେଜି ପିଛା ୧୫ ଶହରୁ ୧୬ ଶହ ଟଙ୍କା ରହୁଛି। ମୋଟ ଉପରେ ଇଲିସି ମାଛର ଆକାରକୁ ନେଇ କେଜି ପିଛା ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି। କିନ୍ତୁ ମୁମ୍ବାଇରୁ ଆମଦାନି ହେଉଥିବା ଅବିକଳ ଇଲିସି ଭଳି ଦେଖାଯାଉଥିବା ତୁମ୍ବାର ମୂଲ୍ୟ ୭୦୦ରୁ ୧ ହଜାର ଟଙ୍କା ଭିତରେ ଥାଏ। ଏକ କେଜି ଭିତରେ ଏହାର ଓଜନ ସାଧାରଣତଃ ରହୁଛି। ଅସଲି ଓ ନକଲି ଇଲିସି ଭିତରେ ଫରକ୍ ଜାଣିବା ସାଧାରଣତଃ ଗ୍ରାହକଙ୍କ ପକ୍ଷରେ ସମ୍ଭବପର ନୁହେଁ। ଉଭୟ ମାଛର ଆକାର ଓ ରଙ୍ଗ ଦେଖିବାକୁ ଏକାପରି। ସ୍ବାଦରେ କିନ୍ତୁ ଫରକ୍ ଜଣାପଡ଼େ। ଏହି ଧରଣର ମାଛ ମୁଖ୍ୟତଃ ବାଦାମବାଡ଼ି, ସେମିନାରି ଛକ, ଯୋବ୍ରା ମାଛ ମାର୍କେଟ୍, ବିରୂପା ବ୍ରିଜ ନିକଟ, ପ୍ରେସ୍‌ ଛକ, କୃଷକ ବଜାର, ନୂଆ ବଜାର, ଚୌଦ୍ବାର ଆଡ଼କୁ ଯାଇଥିବା ଯୋବ୍ରା ବ୍ରିଜର ଶେଷ ମୁଣ୍ଡ, ନରାଜ ବ୍ରିଜ ନିକଟରେ ମାଛ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। 

ପଞ୍ଚମୁଖୀ ମତ୍ସ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ଅସଲି ଇଲିସି ମାଛର ପେଟ ଆକାରରେ ଚଉଡ଼ା ଥାଏ। କିନ୍ତୁ ନକଲି ଇଲିସି ବା ତୁମ୍ବା ମାଛର ପେଟ ଆକାରରେ ଅପେକ୍ଷାକୃତ ଛୋଟ ଥାଏ। ଏଥିରୁ ହିଁ ଜଣାପଡ଼ିବ ଅସଲି ଓ ନକଲି ମାଛ ଭିତରେ ଫରକ୍। ନଚେତ୍‌ ଉଭୟ ଇଲିସି ଓ ତୁମ୍ବା ମାଛ ଭିତରେ କୌଣସି ପ୍ରଭେଦ ନାହିଁ। ଗୋଦାମ ମାଲିକ ବି ଜାଣିବା କଷ୍ଟକର ହୋଇପଡ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।

Leave A Reply

Your email address will not be published.