୩୮ ତମ ସ୍ୱଧୀନତାସଂଗ୍ରାମୀ ଦିବସ ମାହୋତ୍ସବ
‘ସ୍ୱଧୀନତାସଂଗ୍ରାମକୁ ଦିଶା ଦେଖାଉଥିଲେ ମହତାବ ‘
- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
- ବଢ଼ିଲା ସ୍ୱାଧୀନତା ସଂଗ୍ରାମୀଙ୍କ ମାସିକ ପେନସନ
- ଜରୁରୀ ପରିସ୍ଥିତିରେ ମିସା ବନ୍ଦୀଙ୍କୁ ମାସିକ ୨୦ ହଜାର ଟଙ୍କା ଭତ୍ତା
- ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀକୁ ସରକାର ପାଳିବେ
ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର ସ୍ୱାଧୀନତା ଆନ୍ଦୋଳନରୁ ଆରମ୍ଭକରି ନବଓଡ଼ିଶା ନିର୍ମାଣରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ସ୍ୱାଧୀନ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଓ ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ୧୨୫ତମ ଜନ୍ମବାର୍ଷିକୀକୁ ଏଥର ଦେଶବ୍ୟାପୀ ପାଳନ କରାଯାଉଛି । ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଷ୍ଟ୍ରୀୟ କମିଟି ଗଠିତ ହୋଇଛି ଏବଂ ରାଜ୍ୟରେ ମଧ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ମହତାବଙ୍କ ସ୍ମୃତିରେ ଏକ ବାୟୋପିକ ନିର୍ମାଣ, ତାଙ୍କ ଜନ୍ମସ୍ଥାନ ଅଗରପଡ଼ାରେ ମହତାବ ମେମୋରିଆଲ ପ୍ରତିଷ୍ଠା, ଜୀବନ କାଳ ମଧ୍ୟରେ ସେ କରିଥିବା ବିଭିନ୍ନ କାର୍ଯ୍ୟର ସ୍ମୃତିରକ୍ଷା ପାଇଁ ସରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଡକ୍ଟର ମହତାବଙ୍କୁ ଇତିହାସର ଗୋଟିଏ ଦୁଇଟି ପୃଷ୍ଠାରେ ସୀମିତ କରି ରଖିଲେ ହେବନାହିଁ । ସ୍ୱାଧୀନତା ସଂଗ୍ରାମକୁ ଡକ୍ଟର ମହତାବ ଦିଶା ଦେଖାଉଥିଲେ । କିନ୍ତୁ ମହତାବଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନ ସମ୍ପର୍କରେ କେତେ ଲୋକ ଜାଣିଛନ୍ତି? କାହାରିକୁ ମହାନ୍ କରିବା ଲାଗି ଆଉ କାହାରିକୁ ଗୌଣ କରିବାର ମାନସିକତା ଚାଲିବନି । ଆମକୁ ଇତିହାସ ଫର୍ଦ୍ଦରେ ସମସ୍ତଙ୍କ ସଂଗ୍ରାମକୁ ଦେଖିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବରେ ଏହା କରିଛନ୍ତି ।
ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ ଏହି ଦିବସ ମହୋତ୍ସବକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମାସିକ ପେନ୍ସନ ପରିମାଣ ବୃଦ୍ଧି କରାଯାଇଥିବା ଘୋଷଣା କରିଛନ୍ତି । ରାଜ୍ୟ ବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନଙ୍କର ମାସିକ ୧୦ହଜାର ଟଙ୍କାରୁ ୨୦ହଜାର ଟଙ୍କା ପେନ୍ସନ କରାଯାଇଥିବାବେଳେ ରାଜ୍ୟ ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପେନ୍ସନ ମାସିକ ୯ହଜାର ଟଙ୍କାରୁ ୧୫ହଜାର ଟଙ୍କାକୁ ବଢ଼ାଯାଇଛି । ସେହିପରି କେନ୍ଦ୍ର ପେନ୍ସନ ପାଉଥିବା ସଂଗ୍ରାମୀଙ୍କ ରାଜ୍ୟ ପେନ୍ସନ ୮ହଜାର ଟଙ୍କାରୁ ୧୦ହଜାର ଟଙ୍କା କରାଯାଇଛି । ଏଥିସହିତ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁମାନେ ‘ମିସା\’ରେ ବନ୍ଦୀ ହୋଇଥିଲେ ସେମାନଙ୍କ ଲାଗି ମଧ୍ୟ ମାସିକ ୨୦ହଜାର ଟଙ୍କା ପେନ୍ସନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି ଅବସରରେ ପ୍ରତିବର୍ଷ ଆୟୋଜିତ ଏହି ଦିବସ ମହୋତ୍ସବକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ସ୍ୱାଧୀନତା ଲାଗି ମୁଖ୍ୟଧାରାରେ ଗାନ୍ଧିଜୀଙ୍କ ନେତୃତ୍ୱ ଓ ଆନ୍ଦୋଳନ ରହିଥିଲେ ମଧ୍ୟ ଅନେକ ଅଜଣା, ଅଲୋଡ଼ା ସଂଗ୍ରାମୀ ରହିଛନ୍ତି, ଯାହାଙ୍କର ତ୍ୟାଗ ତିତିକ୍ଷା ଅତୁଳନୀୟ । ସେମାନେ ଇତିହାସ ଫର୍ଦ୍ଦରେ ନାହାନ୍ତି । ସେମାନଙ୍କୁ ଲୋକେ ବେଶୀ ଜାଣିନାହାନ୍ତି । ସେ କହିଥିଲେ ଯେ ପ୍ରଜା ଆନ୍ଦୋଳନ, ଆଦିବାସୀ ଆନ୍ଦୋଳନ, ଲେଖକ ଓ ସାହିତ୍ୟିକଙ୍କ ବିପ୍ଳବୀ ଲେଖା, ମହିଳାମାନଙ୍କର ସେବା କାର୍ଯ୍ୟ ଆଦି ପ୍ରତ୍ୟେକଟି କ୍ଷେତ୍ରରେ ଇଂରେଜ ସରକାର ବିରୋଧରେ ଆନ୍ଦୋଳନ ରହିଥିଲା । ଅନେକ ଏହାର ନେତୃତ୍ୱ ବିଭିନ୍ନ ସ୍ଥାନରେ ନେଉଥିଲେ । ଆମେ ସେମାନଙ୍କୁ ଜାଣିପାରୁନାହାନ୍ତି । ଯେପରିକି ମାତଙ୍ଗିନୀ ହାଜରାଙ୍କୁ ଗୋଟିଏ ଦିନରେ ୩ଥର ଗୁଳି କରାଯାଇଥିଲା । ବାଜି ରାଉତ, ମାଧୋ ସିଂ, ଲକ୍ଷ୍ମଣ ନାୟକ, ରେଣ୍ଡୋ ମାଝୀ, ଧରଣୀଧର ନାୟକ ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସ୍ମରଣ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମିତି ଅନେକ ବରପୁତ୍ରଙ୍କୁ ଲୋକଲୋଚନକୁ ଆଣି ତାଙ୍କ ବୀରତ୍ୱର ପ୍ରଶଂସା କରୁଛନ୍ତି ବୋଲି ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀ ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନାମରେ ପ୍ରତିଷ୍ଠା କରିଛନ୍ତି । ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ବୀରତା ଦିବସ ଭାବରେ ପାଳନ କରାଯାଉଛି । ଏଥିପାଇଁ ୬ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ଓଡ଼ିଶାରେ ସରକାର ପୂଜ୍ୟପୂଜାକୁ ସର୍ବାଗ୍ରେ ରଖୁଛନ୍ତି ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଶହୀଦ ମାଧୋ ସିଂଙ୍କୁ ଏ ଜାତି ଉପଯୁକ୍ତ ସମ୍ମାନ ଦେବା ପାଇଁ ରାଜ୍ୟ ସରକାର ସେହି ସଂଗ୍ରାମୀଙ୍କ ନାଁରେ ଏକ ଯୋଜନା ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା\’ ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୫ତାରିଖରେ ଏହାର ଶୁଭାରମ୍ଭ କରାଯିବ । ସେହିପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କ୍ଷେତ୍ରରେ ମଧ୍ୟ ସରକାର ପଛଘୁଞ୍ଚା ଦେବେନାହିଁ । ଏଥିପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ମହୋତ୍ସବ ମଞ୍ଚରେ ହିମାଚଳ ପ୍ରଦେଶରୁ ଆସିଥିବା ସ୍ୱାଧୀନତା ସଂଗ୍ରାମୀ କମଳା ଦେବୀଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ ମୁଖ୍ୟମନ୍ତ୍ରୀ । ହିମାଚଳରୁ ଆଣିଥିବା ଟୋପି ପିନ୍ଧାଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଭାଦନ ଜଣାଇଥିଲେ କମଳା ଦେବୀ । ପରେ ମୁଖ୍ୟମନ୍ତ୍ରୀ ମଧ୍ୟ କମଳା ଦେବୀଙ୍କୁ ସମ୍ମାନିତ କରିବା ସହ ମୁଣ୍ଡିଆ ମାରିଥିଲେ ।
ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ନବନିର୍ବାଚିତ ସଭାପତି ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଅଧିବେଶନରେ ଦିଶିଷ୍ଟ ଅତିଥି ଭାବରେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇଥିବା ବେଳେ ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠନେତା ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ, ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ବାବୁ ସିଂ, ବିଧାୟକ ଶାରଦା ପ୍ରଧାନ, ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ଓ ବିଧାୟକ ନୀଳମଣି ବିଶୋୟୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ରାଜ୍ୟ ଯୁବସାମ୍ମୁଖ୍ୟର ସାଧାରଣ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସ୍ୱାଧୀନତାସଂଗ୍ରାମୀ ସଦନ ଟ୍ରଷ୍ଟ୍ର ଅଧ୍ୟକ୍ଷ ତଥା ନିଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ଯୁବସାମ୍ମୁଖ୍ୟର ସଭାପତି ସାଂସଦ ଭର୍ତ୍ତୃହରି ମହତାବ ଅଭିଭାଷଣ ରଖି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦାୟାଦମାନଙ୍କର ପରିଚୟପତ୍ର ଓ ଅନ୍ୟାନ୍ୟ ଦାବି ସମ୍ପର୍କରେ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗୀୟ ସ୍ୱାଧୀନତାସଂଗ୍ରାମୀ ନୀଳମଣି ସାମଲ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଲାଗି ଶୋକ ପ୍ରାର୍ଥନା କରାଯାଇଥିଲା ।
ଅପରାହ୍ନ ଅଧିବେଶନ ସ୍ୱାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବାଚସ୍ପତି ସୁରମା ପାଢ଼ୀ ଏଥିରେ ମୁଖ୍ୟଅତିଥିଭାବେ ଯୋଗଦେଇ ଓଡ଼ିଶାର ରାଜନୀତି, ଇତିହାସ, ସାହିତ୍ୟ, ସଂସ୍କୃତି ଓ ଭାରତବର୍ଷର ରାଜନୀତି କ୍ଷେତ୍ରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଉଲ୍ଲେଖନୀୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱାଧୀନତାସଂଗ୍ରାମୀ ଉତ୍ତରଦାୟାଦଙ୍କ ଦାବିକୁ ସରକାରଙ୍କ ଦୃଷ୍ଟିକୁ ନେବେ ବୋଲି ସେ କହିଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ଯୁବସାମ୍ମୁଖ୍ୟ କାର୍ଯ୍ୟକର୍ତ୍ତା ନିତ୍ୟାନନ୍ଦ ଶର୍ମା, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡକ୍ଟର ମହତାବଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦୁଃଶାସନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ସକାଳେ ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଯୁବସାମ୍ମୁଖ୍ୟ କର୍ମକର୍ତ୍ତା ବିଧାନ ରାୟ ଓ ଅଭୟ ବଡ଼ଜେନା ଏହାର ସଂଯୋଜନା କରିଥିଲେ । ପରେ ବିଭିନ୍ନ ଧର୍ମାବଲମ୍ବୀର ସାଧୁସନ୍ନ୍ୟାସୀଙ୍କ ଉପସ୍ଥିତିରେ ସର୍ବଧର୍ମ ପ୍ରାର୍ଥନାସଭା କରାଯାଇଥିଲା । କାର୍ଯ୍ୟକ୍ରମରେ ଲୋକରଞ୍ଜନ ମହତାବ, ଉପେନ୍ଦ୍ର ପାଢ଼ୀ, ସନ୍ତୋଷ ପତି, ଶ୍ୟାମାପ୍ରସାଦ ପଟ୍ଟନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।