ଡିସେମ୍ବର ୩୧, ଜାନୁଆରି ୧ରେ କେବଳ ସିଂହଦ୍ବାର ଦେଇ ଭକ୍ତଙ୍କ ପ୍ରବେଶକୁ ଅନୁମତି
ପୁରୀ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଦୁଇ ଦିନ ପରେ କ୍ୟାଲେଣ୍ଡର ବର୍ଷ-୨୦୨୪ ବିଦାୟ ନେବ। ନୂଆବର୍ଷ-୨୦୨୫ ଆସିବ। ନୂଆବର୍ଷ ପାଇଁ ଯୁବପିଢ଼ି ଉତ୍ସାହିତ ଦେଖାଯାଇଛନ୍ତି। ମନ୍ଦିର, ପର୍ଯ୍ୟଟନ ସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ ଆଦି ସ୍ଥଳରେ ମଧ୍ୟ ପ୍ରସ୍ତୁତି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚାଲିଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ୨୦୨୪ ଡିସେମ୍ବର ୩୧ (ମଙ୍ଗଳବାର) ଓ ୨୦୨୫ ଜାନୁଆରି ୧ (ବୁଧବାର) ଦିନ ସାଧାରଣ ଭକ୍ତମାନଙ୍କୁ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଭକ୍ତମାନେ ଅନ୍ୟ ୩ଟି ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। କିନ୍ତୁ ପ୍ରସ୍ଥାନ କରିପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଇଂରାଜୀ ନୂଆବର୍ଷରେ ଉଭୟ ଶ୍ରୀମନ୍ଦିର ଓ ବେଳାଭୂମିରେ ଲକ୍ଷାଧିକ ଭକ୍ତ ତଥା ପର୍ଯ୍ୟଟକଙ୍କ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତର, ବାହାର ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ବି ନଜର ରଖାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପାଇଁ ଜିଲ୍ଲାରେ ୯୦ ଅଧିକାରୀଙ୍କ ସହ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ପୁଲିସ ଅଧିକାରୀଙ୍କ ସହ ଏହାର ପୂର୍ବପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଛି।
ଜିଲ୍ଲା ପୁଲିସ ଓ ହୋଟେଲ୍ ମାଲିକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଯାତ୍ରୀଙ୍କ ସୁରକ୍ଷିତ ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ରିଜର୍ଭ ପୁଲିସ ସମ୍ମିଳନୀ କକ୍ଷରେ ବସ୍ମାଲିକ, ଅଟୋଚାଳକଙ୍କ ସହ ଜିଲ୍ଲା ପୁଲିସର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ପି ବିନୀତ୍ ଅଗ୍ରୱାଲ୍ ଏଥିରେ ଯୋଗଦେଇ ବସ୍ମାଲିକ ଓ ଅଟୋଚାଳକଙ୍କୁ ଟ୍ରାଫିକ୍ ନିୟମ ମାନିବାକୁ ନିବେଦନ କରିବା ସହ ଇଂରାଜୀ ନୂଆବର୍ଷ ପାଇଁ ଜାରି ଟ୍ରାଫିକ୍ ମାର୍ଗଦର୍ଶିକ ଅନୁସାରେ ଗାଡ଼ି ଚଳାଚଳ କରିବା ଦିଗରେ ଯତ୍ନବାନ ହେବାକୁ କହିଥିଲେ। ନୋ ପାର୍କିଂ ଅବା ଅନ୍ୟ ଭିଡ଼ ଜାଗାରେ ଅଯଥା ଭିଡ଼ ନ କରିବା ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଭିଡ଼ ବେଳେ ପୁଲିସକୁ ସହଯୋଗ ପାଇଁ ୧୦୦ଜଣ ଯୁବ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଭିଡ଼ ବେଳେ ସ୍ଥାନୀୟ ଲୋକ ଓ ବାହାର ଲୋକଙ୍କୁ ଚିହ୍ନଟ ସହ ଗହଳି ହଟାଇବା କ୍ଷେତ୍ରରେ ଏମାନେ ସହଯୋଗ କରିବେ। ଏହି ଅବସରରେ ପୁରୀ ଏସ୍ପି ଶ୍ରୀ ଅଗ୍ରୱାଲ୍ କହିଛନ୍ତି, ପୁରୀକୁ ଯେଉଁମାନେ ଆସୁଛନ୍ତି, ସେମାନେ ଆମ ଅତିଥି। ଏଣୁ ଶ୍ରୀକ୍ଷେତ୍ରକୁ ଆସୁଥିବା ଏହି ଅତିଥିଙ୍କୁ ଆମେ ଏଭଳି ସ୍ବାଗତ କରିବା, ସେମାନେ ଯେଭଳି ବାହାରେ ଏହାର ପ୍ରଶଂସା କରିବେ।