ପାନ ଗଛରେ ପୋକ ;ଚାଷୀ ହତାଶ 

ଅସ୍ତରଙ୍ଗ,୨୮-୧୨-୨୦୨୪(ପିପିଏସ) : ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। କେବଳ ଧାନ ଫସଲ ନୁହେଁ ପରିବା ଫସଲ ସହ ପାନ ଚାଷୀଙ୍କର ମଧ୍ୟ ବହୁ କ୍ଷତି ହୋଇଛି। ଶୀତଋତୁରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ପାନର ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇଛି। କହିବାକୁ ଗଲେ ବଜାରରୁ ପାନ ଆଗ ଅପେକ୍ଷା କମିଯାଇଛି।

ସାଧାରଣତଃ ଶୀତ ଦିନେ ଚାହିଦା ଅନୁସାରେ ପାନ ଉତ୍ପାଦନ କମ୍ ହୋଇଥାଏ। ତେଣୁ ଏହି ସମୟରେ ପାନଚାଷୀ ଦି -ପଇସା ଅଧିକ ରୋଜଗାର କରିଥାଏ। ଲଘୁଚାପ ଜନିତ କ୍ରମାଗତ ବର୍ଷା କାରଣରୁ ପାନ ଉତ୍ପାଦନ ହ୍ରାସ ପାଇଛି। ଅସମୟ ବର୍ଷା ଯୋଗୁଁ ପାନ ଗଛରେ ପୋକ ହେବା କାରଣରୁ ଗଛ ଝାଉଁଳି ପଡୁଛି ବୋଲି ଚାଷୀ କହିଛନ୍ତି। ତେଣୁ ପାନ ଅମଳ ଆବଶ୍ୟକ ମୁତାବକ ହୋଇ ପାରୁନାହିଁ। ଗଛ ଝାଉଁଳି ଯିବା କାରଣରୁ ପାନ ଉଧେଇ ପାରୁନି। ମଉଳା ଗଛରେ ପାନ ପତ୍ର ନଷ୍ଟ ହୋଇଯାଇଛି। ତେଣୁ ଅସ୍ତରଙ୍ଗ ବଜାରରେ ସେତେ ମାତ୍ରାରେ ପାନ ମିଳୁନାହିଁ। ମଙ୍ଗଳବାର ଅସ୍ତରଙ୍ଗ ହାଟରେ ପାନ କଡା ୨୦ରୁ ୨୫ଟଙ୍କା ଥିବା ଶନିବାର ହାଟରେ ୪୦ରୁ ୫୦ଟଙ୍କା ହୋଇଥିବା ବେଳେ ବହୁତ କମ୍ ବେପାରୀ ପାନ ଆଣି ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ମଧ୍ୟରେ ବଜାର ରେ ପାନ ଦେଖିବାକୁ ମିଳିନଥିଲା। ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କେନ୍ଦ୍ରାପଟି, ସରିପୁର, ଶିଶୁଅ, କୋରଣା ଆଦି ଅଞ୍ଚଳରୁ କାଁ ଭାଁ ବେପାରୀ ପାନ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ବଜାର ରେ ପାନର ଅଭାବ ସମ୍ପର୍କରେ ପଚାରିବାରୁ କ୍ରମାଗତ ଅସମୟ ବର୍ଷା ଯୋଗୁଁ ବରଜରୁ ପାନ ଆବଶ୍ୟକ ମୁତାବକ ବାହାରୁନି ତେଣୁ ବେପାରୀ ସଂଖ୍ୟା ସେଥିପାଇଁ କମିଯାଇଛି ବୋଲି କହିଛନ୍ତି। ଏ ନେଇ ପାନ ବ୍ୟବସାୟୀ ଶଙ୍କର ଓଝା ଙ୍କୁ ପଚାରିବାରୁ ପାନ ସ୍ୱାଭାବିକ ଶୀତଦିନେ କମ୍ ଉତ୍ପାଦନ ହୋଇଥାଏ। ତେଣୁ ଦାମ୍ ମଧ୍ୟ ଅଧିକ ଥାଏ। ମାତ୍ରା ଲଗାତର ବର୍ଷା କାରଣରୁ ବରଜ ରେ ପାଣି ପଶିବା ସହ ପାନ ଗଛ କ୍ଷତିଗ୍ରସ୍ତ ହୋଇଛି। ଫଳରେ ପାନ ତୋଳା ହ୍ରାସ ପାଇଛି। ଏହା ସହିତ ଗଛରେ ପୋକ ଲାଗିଯିବା କାରଣରୁ ମଧ୍ୟ ପାନ ଉତ୍ପାଦନ କମିଛି। ତେଣୁ ବଜାରରେ ପାନ ଅଭାବ ସୃଷ୍ଟି ହୋଇଛି। ସେହିପରି ପାନ ବ୍ୟବସାୟୀ ମିଟୁ ବରାଳ କହିଛନ୍ତି ମଣିଷ ବଂଚିବା ପାଈଁ ଯେପରି ଖାଦ୍ୟ ଆବଶ୍ୟକ, ସେହିପରି ପାନ ଚାଷ ପାଈଁ ଉପଯୁକ୍ତ ପାଣିପାଗର ଏକାନ୍ତ ଆବଶ୍ୟକତା ରହିଛି। ଏପରିସ୍ଥିତିରେ ଶୀତ ଦିନେ ଲଗାଣ ବର୍ଷା ପାନ ଚାଷ ପାଈଁ ହାନିକାରକ ସାଜିଛି। ଏ ପଟେ ପାନ ଚାଷ ପାଈଁ ସରକାର ମଧ୍ୟ କୌଣସି ସହାୟତା ପ୍ରଦାନ କରୁନାହାନ୍ତି। ବାରମ୍ବାର କ୍ଷତି ଯୋଗୁଁ ଆଉ ପାନଚାଷ କରିବା ପାଈଁ ‘ଯୁ ‘ନାହିଁ।

Leave A Reply

Your email address will not be published.