ଟଙ୍କା ଠକେଇ
ଗାଜିଆବାଦ୍ରୁ ମା’-ପୁଅଙ୍କୁ ବାନ୍ଧିଲା ଓଡ଼ିଶା ସାଇବର ପୁଲିସ
ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ସାଇବର ଥାନା ପୁଲିସ ମା’-ପୁଅଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦ୍ରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନୀଲମ ଅଗ୍ରୱାଲ ଓ ତାଙ୍କର ପୁଅ ବଂଶ ଅଗ୍ରୱାଲ। ଉଭୟ ମା’-ପୁଅ ଗେମିଂ ପ୍ଲାଟଫର୍ମ ମାଧ୍ୟମରେ ଏକ କଂପାନି ଖୋଲି ଲୋକଙ୍କୁ ଡିଜିଟାଲ ମାଧ୍ୟମରେ ଗିରଫ କରି ଠକେଇ କରୁଥିଲେ।ଠକେଇ ନେଇ ଭୁବନେଶ୍ବରର ଜଣେ ବରିଷ୍ଠ ନାଗରିକ ସାଇବର ଥାନାରେ ଗତ ୨୨ ତାରିଖ ଦିନ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ତାଙ୍କୁ କିଛି ଅଜ୍ଞାତ ମୋବାଇଲ୍ ନମ୍ବର ଏବଂ ଟୋଲ୍ ଫ୍ରି ନମ୍ବରରୁ କଲ ଆସିଥିଲା, ଯାହାକୁ ସେ ଫେଡେକ୍ସ କ୍ୟୁରି ଅଫିସ୍ ଏବଂ ମୁମ୍ବାଇ ସାଇବର କ୍ରାଇମ୍ ଡିଭିଜନର ପୁଲିସ୍ କର୍ମଚାରୀ ବୋଲି ଦର୍ଶାଇଥିଲେ। ସାଇବର ଠକମାନେ କହିଥିଲେ ଯେ, କିଛି ଦୁର୍ବୃତ୍ତଙ୍କ ଦ୍ବାରା ଅଭିଯୋଗକାରୀଙ୍କ ଆଧାରକାର୍ଡ ହ୍ୟାକ୍ ହୋଇଛି ଏବଂ ଟଙ୍କା ଠକେଇ ପାଇଁ ବ୍ୟବହୃତ ହୋଇଛି। ଏସଂପର୍କରେ ଅପରାଧିକ ମାମଲା ପଞ୍ଜୀକୃତ ହୋଇଛି ଏବଂ ସେମାନେ ଧମକ ଦେଇଛନ୍ତି ଯେ ତାଙ୍କୁ ତିନିରୁ ସାତ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଯାଞ୍ଚ ପାଇଁ ସେମାନେ ପରାମର୍ଶ ଦେଇଥିବା ଏକ ଆକାଉଣ୍ଟକୁ ତାଙ୍କର ସମସ୍ତ ଟଙ୍କା ସ୍ଥାନାନ୍ତର କରିବାକୁ କହିଥିଲେ ଏବଂ ପରବର୍ତ୍ତୀ ସମୟରେ ସମସ୍ତ ରାଶି ତାଙ୍କ ଆକାଉଣ୍ଟକୁ ଫେରାଇ ଦିଆଯିବ ବୋଲି କହିଥିଲେ।
ସେହିପରି ସେମାନେ ତାଙ୍କୁ ତାଙ୍କ ଏସବିଆଇ ଆକାଉଣ୍ଟରୁ ପାଞ୍ଚଟି କାରବାରରେ ଏବଂ ତାଙ୍କ ପତ୍ନୀଙ୍କ ଏସବିଆଇ ଆକାଉଣ୍ଟରୁ ୨୦୨୪ ମେ୍ ୧୪ରୁ ୨୦୨୪ ମେ’ ୧୮ ତାରିଖ ମଧ୍ୟରେ ୧,୩୭,୯୦,୦୦ (ଏକ କୋଟି ତିରିଶ ଲକ୍ଷ ନବେ ହଜାର) ଟ୍ରାନ୍ସଫର କରିବାକୁ ବାଧ୍ୟ କରିଥିଲେ। ସାଇବର ଅପରାଧ ଶାଖା ଟଙ୍କା ସମୀକ୍ଷା କରିବା ପରେ ପୀଡ଼ିତ ବ୍ୟକ୍ତି ତିନୋଟି ଭିନ୍ନ ଆକାଉଣ୍ଟରେ ୧.୩୮ କୋଟି ଟଙ୍କା ଜମା କରିଥିବା ନେଇ ସ୍ପଷ୍ଟ ହୋଇଥିଲା। ସେଥିମଧ୍ୟରୁ ୧.୧୨ କୋଟି ଟଙ୍କା ବଂଶୀଲାଲ ସଫ୍ଟୱେୟାର ପ୍ରାଇଭେଟ ଲିମିଟେଡ ଆକାଉଣ୍ଟରେ ଜମା କରାଯାଇଥିବା ଜଣାପଡ଼ିଥିଲା। ତଦନ୍ତ ବେଳେ ଏହା ଜଣାପଡ଼ିଥିଲା ଯେ ନୀଲମ ଅଗ୍ରୱାଲ ଏବଂ ବଂଶ ଅଗ୍ରୱାଲ ହେଉଛନ୍ତି ଏହି କଂପାନିର ମାଲିକ। ସୂଚନା ଆଧାରରେ କ୍ରାଇମ୍ ବ୍ରାଞ୍ଚ ଟିମ୍ ଗାଜିଆବାଦ୍ରେ ପହଞ୍ଚି ଥିଲା ଏବଂ ସ୍ଥାନୀୟ ବିଜୟନଗର ଥାନା ପୁଲିସର ସହଯୋଗରେ ଅଭିଯୁକ୍ତ ମା’-ପୁଅଙ୍କୁ ଗତର ୨୭ ତାରିଖ ଦିନ ଗିରଫ କରିଛି। ପୁଲିସ ମା’-ପୁଅଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ଅଭିଯକ୍ତମାନେ ୧୩ଟି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ଡିଜିଟାଲ ମାଧ୍ୟମରେ ଗିରଫ କରୁଥିବା ପୁଲିସ ଜାଣିବାକୁ ପାଇଛି।