ଅଙ୍ଗନବାଡି କେନ୍ଦ୍ର ଉପରେ ମହଙ୍ଗା ମାଡ଼ 

ଅସ୍ତରଙ୍ଗ/ଭୁବନେଶ୍ୱର ୨୮-୧୨-୨୦୨୪(ପିପିଏସ) : ପୁରୀ ଜିଲ୍ଲା ଅସ୍ତରଙ୍ଗ  ବ୍ଲକ ଅଞ୍ଚଳରେ ଅଣ୍ଡା ଦର ହୁ ହୁ ହୋଇ ବଢ଼ି ଚାଲିବା ସହ ଡାଲି ଦର କ୍ରମାଗତ ଭାବେ ବଢିଛି। ଏହାର ସିଧା ସଳଖ ପ୍ରଭାବ ପଡିଛି ସରକାର ଙ୍କ ପକ୍ଷରୁ ଚାଲିଥିବା ସମ୍ବନୀତ ଶିଶୁବିକାଶ ଯୋଜନା ଉପରେ। ଶିଶୁ, ଗର୍ଭବତୀ ମହିଳା, ପ୍ରସୂତି ଓ କିଶୋରୀଙ୍କ ଲାଗି କାର୍ଯ୍ୟକାରୀ କରାଯାଉଥିବା ପୃଷ୍ଟିକର ଖାଦ୍ୟ ପ୍ରଦାନ କ୍ଷେତ୍ରରେ ଅଙ୍ଗନବାଡି କେନ୍ଦ୍ର ଉପରେ ମହଙ୍ଗା ମାଡ଼ ପଡିଛି। ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢ଼ୁଥିବା ୩ରୁ ୬ବର୍ଷର ଶିଶୁଙ୍କ ସୁଷମ ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକ ପିଲାଙ୍କ ପିଛା ୭ଟଙ୍କା ୭୦ପଇସା ଦର ଧାର୍ଯ୍ୟ ହୋଇଥିବା ବେଳେ ଅଣ୍ଡା ଦର ବୃଦ୍ଧି ଯୋଗୁଁ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି। ଅସ୍ତରଙ୍ଗ ବ୍ଲକଅଞ୍ଚଳରେ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସରକାର ଅଣ୍ଡା ପ୍ରତି ୫ଟଙ୍କା ଦେଉଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଅଣ୍ଡା ଦର ଏବେ ବଜାରରେ ୮ଟଙ୍କା ରହୁଛି।

ଏହାର ଅର୍ଥ ରାଜ୍ୟ ସରକାର ଦେଉଥିବା ଟଙ୍କା ବଜାର ଦର ଭିତରେ ପାଖାପାଖି ୩ଟଙ୍କା ଫରକ ରହୁଛି। ସରକାର ଙ୍କ ପକ୍ଷରୁ ପ୍ରତି କେନ୍ଦ୍ରକୁ ୩ରୁ ୬ବର୍ଷର ପିଲାଙ୍କ ଲାଗି ୭ଟଙ୍କା ୭୦ପଇସା ମିଳୁଛି। ସେଥିରୁ ସକାଳ ଜଳଖିଆ ଲାଗି ୧ଟଙ୍କା ୨୪ପଇସା ଓ ମିଲ୍ସି ଲାଗି ୬ଟଙ୍କା ୪୬ପଇସା ରହୁଛି। ଏଥି ସହିତ ମାସକୁ କିଶୋରୀ ବାଳିକାଙ୍କୁ ୧୬ଟି ଅଣ୍ଡା, ଗର୍ଭବତୀ ପ୍ରସୂତି, ୬ମାସରୁ ୩ବର୍ଷ ପିଲାଙ୍କ ଲାଗି ୧୨ଟି ଅଣ୍ଡା ଦେବାକୁ ସରକାର ନିୟମ କରିଛନ୍ତି। ଏପଟେ ଡାଲି ଦର କ୍ରମାଗତ ଭାବେ ବଢ଼ି ଚାଲିଛି, କମିବାର ନାଁ ନେଉନାହିଁ। ଏଥିଯୋଗୁଁ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣାତ୍ମକ ମାନ ହ୍ରାସ ପାଉଛି। ଅନେକ ଜାଗାରେ ଠିକ ସମୟରେ ଅଣ୍ଡା ନ ମିଳିବାରୁ ଗାଁ ଗାଁରେ ଅସନ୍ତୋଷ ଦେଖିବାକୁ ମିଳୁଛି।

ବର୍ତମାନ ଯେଉଁଭଳି ଡାଲି ଏବଂ ଅଣ୍ଡା ଦର ଆକାଶଛୁଆଁ ହେଲାଣି, ସେହି ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ରକୁ ସରକାର ଅନୁଦାନ ବଢୁନାହିଁ। ଏଭଳି ସ୍ଥିତିରେ ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ପୃଷ୍ଟିକର ଯୋଜନା ଉପରେ ଦରବୃଦ୍ଧିର ପ୍ରଭାବ ପଡିଛି। ଉଚିତ ପ୍ରାପ୍ୟ ନ ପାଇବାରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଭାବେ ଅଣ୍ଡା ଯୋଗାଇ ଦେବାରେ ଅଙ୍ଗନବାଡି କର୍ମୀ ମାନେ ଅସମର୍ଥ ହେଉଛନ୍ତି। ପ୍ରସୂତିଙ୍କୁ ମାସକୁ ୧୨ଟି ଅଣ୍ଡା ଦେବା ଲାଗି ନିୟମ ରହିଛି କିନ୍ତୁ ୮ଟି ଅଣ୍ଡା ଦିଆଯାଉଛି। ସେହିପରି ସପ୍ତାହରେ ସୋମବାର ବ୍ୟତୀତ ସପ୍ତାହକୁ ୫ଦିନ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାକୁ ବ୍ୟବସ୍ଥା ଥିଲେ ବି ଏହା ସବୁବେଳେ ସମ୍ଭବ ହେଉନାହିଁ। ଅପର ପକ୍ଷେ, ସ୍ୱଳ୍ପ ବେତନରେ ଅଙ୍ଗନବାଡି କର୍ମୀ ନିଜ ହାତରୁ ପଇସା ଦେଇ ପିଲାଙ୍କ ପାଈଁ ଅଣ୍ଡା କିଣୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତି ରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଦାବୀ ହୋଇଛି।

Leave A Reply

Your email address will not be published.