ଅଜ୍ଞାତ ମୃତଦେହ ଚିହ୍ନଟରେ ବାୟୋମେଟ୍ରିକ୍ସର ଉପଯୋଗ ପାଇଁ ଶାହଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୧୨-୨୦୨୪ (ପିପିଏସ) : ଅଜ୍ଞାତ ମୃତଦେହ ଏବଂ ନିଖୋଜ ବ୍ୟକ୍ତି ମିଳିବା ପରେ ଚିହ୍ନଟ କରିବା ପାଇଁ ବାୟୋମେଟ୍ରିକ୍ ଟେକ୍ନୋଲୋଜି ବ୍ୟବହାର କରିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ସହିତ ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶାହ ଅପରାଧ ଅନୁସନ୍ଧାନର ସମସ୍ତ ପ୍ରସଙ୍ଗରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମସ୍ତ ମାମଲା ପାଇଁ ପୂର୍ବ ନିର୍ଦ୍ଧାରିତ ପର୍ଯ୍ୟାୟରେ ସତର୍କ ସୂଚନା ଜାରି କରାଯିବା ଉଚିତ୍ ବୋଲି ସେ କହିଛନ୍ତି। ପୀଡ଼ିତ ଏବଂ ଅଭିଯୋଗକାରୀଙ୍କ ସୁବିଧା ପାଇଁ ପଞ୍ଜୀକରଣଠାରୁ ଆରମ୍ଭ କରି ମାମଲାର ସମାଧାନ ପର୍ଯ୍ୟନ୍ତ ଏକ ସମୟ ସୀମା ରହିବା ଉଚିତ୍। ଅଜ୍ଞାତ ମୃତଦେହ ଏବଂ ଅଜ୍ଞାତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବାୟୋମେଟ୍ରିକ୍ ଟେକ୍ନୋଲୋଜିର ବ୍ୟବହାର କରାଯିବା ଉଚିତ୍ ବୋଲି ଶାହ କହିଛନ୍ତି। ଏକ ସରକାରୀ ବିବୃତି ଅନୁଯାୟୀ ଶାହ କହିଛନ୍ତି ଯେ, ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଅନୁସନ୍ଧାନକାରୀ ଅଧିକାରୀ ତଥା ବରିଷ୍ଠ ଅଧିକାରୀଙ୍କୁ ନିୟମିତ ଆଲର୍ଟ ପଠାଇବା ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ଏହି ବୈଠକରେ କ୍ରାଇମବ୍ରାଞ୍ଚ ଏବଂ ଅପରାଧିକ ପରିଚୟ ନେଟୱାର୍କ ଏବଂ ସିଷ୍ଟମ (ସିସିଟିଏନଏସ) ୨.୦ ଏବଂ ଆଇସିଜେଏସ, ନୂତନ ଅପରାଧିକ ଆଇନ ଏବଂ ନ୍ୟାସନାଲ ଅଟୋମେଟେଡ୍ ଫିଙ୍ଗରପ୍ରିଣ୍ଟ ଆଇଡେଣ୍ଟିଫିକେସନ୍ ସିଷ୍ଟମ (ଏନଏଏଫଆଇଏସ), ଜେଲ, କୋର୍ଟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଫୋରେନସିକ୍ ସମ୍ପର୍କରେ ସମୀକ୍ଷା କରାଯାଇଛି। ଗୃହମନ୍ତ୍ରୀ ଏନସିଆରବିଙ୍କୁ ଆଇସିଜେଏସ ୨.୦ରେ ନୂତନ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତାକୁ ସହଜ କରିବାକୁ କହିଛନ୍ତି। ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ-ସାଇନ୍ ଏବଂ ଇ-ସମନ ଭଳି ପ୍ରୟୋଗର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।ଶାହ କହିଛନ୍ତି, ଗୃହ ମନ୍ତ୍ରଣାଳୟ, ଏନସିଆରବିଏର ଏକ ଟିମ୍ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପରିଦର୍ଶନ କରିବା ଉଚିତ ଏବଂ ବୈଷୟିକ ପ୍ରକଳ୍ପ ଗ୍ରହଣକୁ ବଢ଼ାଇବ ଏବଂ ସମସ୍ତ ପ୍ରକାରରେ ସାହାଯ୍ୟ କରିବ। ସିସିଟିଏନଏସ ଏବଂ ଆଇସିଜେଏସର ଅଗ୍ରଗତି ଉପରେ ନିୟମିତ ନଜର ରଖିବା ଏବଂ ଏହି ପ୍ରକଳ୍ପକୁ ପ୍ରେରଣା ଯୋଗାଇବା ପାଇଁ ସେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି।