ତାଗିଦା ପରେ ତତ୍ପରତା: ପଥ ଉତ୍ସବ ପ୍ରସ୍ତୁତି ଶେଷ
ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ସରକାରଙ୍କ ତାଗିଦା ପରେ ଚେତିଛି ବିଏମ୍ସି। ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବ୍ୟବହିତ ପୂର୍ବରୁ ବିଏମ୍ସି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ଆଜି ବିଏମ୍ସିରେ ଏ ନେଇ ସ୍ବତନ୍ତ୍ର କର୍ପୋରେସନ ବୈଠକରେ ଏହା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ପ୍ରବାସୀ ଭାରତୀୟ ଦିବସ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରବହୁ ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମେତ ୫ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସମାବେଶ ହେବ। ସେମାନେ ବିଭିନ୍ନ ପ୍ରମୁଖ ସ୍ଥାନ ବୁଲି ଦେଖିବେ। ଡିସେମ୍ବର ୨୨, ୨୯ ଓ ଜାନୁଆରୀ ୫ ତାରିଖରେ ୩ଟି ଜୋନ୍ରେ ହେବାକୁ ଥିବା ପଥ ଉତ୍ସବରେ ବିଦ୍ୟାଳୟ ଠାରୁ ଆରମ୍ଭ କରି ଏସ୍ଏଚ୍ଜି ପର୍ଯ୍ୟନ୍ତ ସମସ୍ତଙ୍କୁ ସାମିଲ କରାଯାଇଛି।
ପଥ ଉତ୍ସବ ପ୍ରସ୍ତୁତି ଶେଷ
ସିଟି ଆକ୍ଟିଭେସନ୍ କାର୍ଯ୍ୟକ୍ରମକୁ ଜୋର୍ଦାର କଲା ବିଏମ୍ସି
ଏମ୍ସିସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଭୁବନେଶ୍ୱରରେ ଏବେଠାରୁ ସାଂସ୍କୃତିକ ବିଚିତ୍ରା ଆରମ୍ଭ ହୋଇଛି। ପ୍ରତି ରବିବାର ‘ଭୁବନେଶ୍ୱର ଭାଇବ୍ସ’ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହା ବ୍ୟତିତ ହ୍ୟାଣ୍ଡଲୁମ୍ ୱାକାଥନ, ସାଇକ୍ଲୋଥନ ଏବଂ ତିନି ଜୋନ୍ରେ ପଥ ଉତ୍ସବ ଅନୁଷ୍ଠିତ ହେବ। ଭୁବନେଶ୍ୱରକୁ ସଜାଇବା ସହ ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ ରଖିବା କାମ ନିୟମିତ ଚାଲିଛି। ପ୍ରମୁଖ ଛକକୁ ନୂଆ ରୂପରେ ସଜା ଯାଇଛି। ୫୫ଟି ରାସ୍ତାକୁ ଜବରଦଖଲ ମୁକ୍ତ କରାଯାଇଛି। ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଉଛି। ପାର୍କଗୁଡିକୁ ସୌନ୍ଦର୍ଯ୍ୟୀକରଣ କରାଯାଉଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। କୃତିତ୍ୱ ହାସଲ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଏକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟି ମେୟର ମଂଜୁଲତା କହଁର, କମିସନର ରାଜେଶ ପ୍ରଭାକର ପାଟିଲ, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ, ଅତିରିକ୍ତ କମିସନର ରତ୍ନାକର ସାହୁ, ଶୁଭେନ୍ଦୁ କୁମାର ସାହୁ, ସସ୍ମିତା ସାହୁ, ସିଟି ଇଂଜିନିୟର ବିଳାସ କୁମାର ବେହେରା, ଜୋନାଲ କମିସନର କୈଳାସ ଚନ୍ଦ୍ର ଦାଶ ମଂଚାସୀନ ଥିଲେ।