ଆହୁରି ମହଙ୍ଗା ହେବ ବିଜୁଳି

ଓଇଆର୍‌ସିକୁ ଗ୍ରିଡ୍‌କୋର ପ୍ରସ୍ତାବ

ଭୁବନେଶ୍ୱର ୨୧-୧୨-୨୦୨୪ ( ପିପିଏସ ) : ମାଡ଼ି ଆସୁଛି ମହଙ୍ଗା‌ ଯୁଗ। ବିଜୁଳି ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା। ୨୦୨୫-୨୬ରେ ବିଦ୍ୟୁତ୍‌ ପାଇକାରୀ ମୂଲ୍ୟ ୟୁନିଟ୍‌ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ନିକଟରେ ଗ୍ରିଡ୍‌କୋ ଦାଖଲ କରାଯାଇଥିବା ବାର୍ଷିକ ରାଜସ୍ବୂ ଆବଶ୍ୟକତା ଦରଖାସ୍ତରେ ବିଦ୍ୟୁତ୍‌ ଶୁଳ୍କ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ୨୦୨୩-୨୪ରେ ବିଦ୍ୟୁତ୍ ୟୁନିଟ୍ ପିଛା ପାଇକାରୀ ମୂଲ୍ୟ  ୩ଟଙ୍କା ୨୯ ପଇସା ଥିଲା। ସାଧାରଣ ନିର୍ବାଚନ ଲାଗି ମୂଲ୍ୟ ବୃଦ୍ଧିରୁ ପୂର୍ବ ସରକାର ବିରତ ରହିଥିଲେ ଓ ୟୁନିଟ୍ ପିଛା ପାଇକାରୀ ମୂଲ୍ୟ ୩ଟଙ୍କା ୨୮ ପଇସାକୁ କମାଇଦେଇଥିଲେ। 

ୟୁନିଟ୍ ପିଛା ୫୪ ପଇସା ବଢ଼ିବ ବିଦ୍ୟୁତ୍‌ ଶୁଳ୍କ
ପ୍ରଭାବିତ ହେବେ କୋଟିଏ ଉପଭୋକ୍ତା

ନଭେମ୍ବରରେ ଦାଖଲ କରିଥିବା ଆବେଦନପତ୍ରରେ ଆୟୋଗଙ୍କୁ ଗ୍ରିଡ୍‌କୋ ଜଣାଇଛି ଯେ ୨୦୨୫-୨୬ରେ ବାର୍ଷିକ ୩୮ ହଜାର ୮୧୪ ୟୁନିଟ୍ ବିଦ୍ୟୁତ୍ ବିକ୍ରି ଯୋଜନା ରହିଛି। ବିଦ୍ୟୁତ୍ କିଣାବିକା ଓ ଅନ୍ୟ ସମସ୍ତ ଆବଶ୍ୟକତାକୁ ହିସାବକୁ ନେଲେ ଏଥିପାଇଁ ପ୍ରାୟ ୧୫ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ। ଉପଭୋକ୍ତାମାନେ ୟୁନିଟ୍ ପିଛା ୩ ଟଙ୍କା ୯୫ ପଇସା ଦେଲେ ସେହି ରାଶି ଭରଣା ହୋଇପାରିବ। ଯଦି ରିଟର୍ଣ୍ଣ ଅନ୍ ଇକ୍ୟୁଟିକୁ ବାଦ୍ ଦିଆଯିବ, ତେବେ ଏଥିପାଇଁ ୧୪ ହଜାର ୮୨୦ କୋଟି ଟଙ୍କା ଆବଶ୍ୟକ ହେବ। ସେହି ଅନୁସାରେ ବିଦ୍ୟୁତ୍‌ ପାଇକାରୀ ମୂଲ୍ୟ ୟୁନିଟ୍ ପିଛା ୩ ଟଙ୍କା ୮୨ ପଇସାରୁ କମ୍ ହେଲେ ଗ୍ରିଡ୍‌କୋ କ୍ଷତି ସହିବ। 

ଗ୍ରିଡ୍‌କୋ ପ୍ରସ୍ତାବକୁ ଆୟୋଗ ଗ୍ରହଣ କଲେ ୨୦୨୫-୨୬ରେ ବିଦ୍ୟୁତ୍‌ର ପାଇକାରୀ ମୂଲ୍ୟ ୟୁନିଟ୍ ପିଛା ୫୪ ପଇସା ବଢ଼ିବ। ଏଥିରେ ବଣ୍ଟନ କଂପାନିମାନଙ୍କ ଖର୍ଚ୍ଚ ମିଶାଇଲେ ବିଦ୍ୟୁତ୍ ମୂଲ୍ୟ ଆହୁରି ବଢ଼ିବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।  ଅନ୍ୟ ପକ୍ଷରେ, ଗ୍ରିଡ୍‌କୋଏହି ଆଳରେ ଆୟୋଗଙ୍କ ନିକଟରେ ବିଦ୍ୟୁତ୍ କଂପାନି ବିକ୍ରି ସମୟର ଅଡ଼ୁଆ ଉଠାଇବାକୁ ଭୁଲିନାହିଁ। କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ଯେ  ସେସୁ, ୱେସ୍କୋ, ନେସ୍କା ଏବଂ ସାଉଥ୍‌କୋ କଂପାନି ଟାଟା ପାୱାରକୁ ବିକ୍ରି କରାଯିବା ସମୟରେ ବକେୟା ଥିବା ଏହି ରାଶି ଏଯାଏ ପରିଶୋଧ ହୋଇନାହିଁ।  ଏହି ରାଶିର ପରିମାଣ ଗତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପ୍ରାୟ ୬୫୮୮ କୋଟି ଟଙ୍କା ଛୁଇଁଯାଉଛି। ଏହାର ଭରଣା ହେବା ଆବଶ୍ୟକ। ଆୟୋଗ ଗୁରୁତ୍ବର ସହିତ ଏହାକୁ ଗ୍ରହଣ କରି ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଏ ଅର୍ଥ ଦେବା ଲାଗି ଗ୍ରିଡ୍‌କୋ ଦାବି କରିଛି।

Leave A Reply

Your email address will not be published.