ଆଭାସୀ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଲେ ସାହସ୍ରାଧିକ ଚାଷୀ
ବାରିପଦା/ଭୁବନେଶ୍ୱର ୦୮-୧୨-୨୦୨୪(ପିପିଏସ) : ବରଗଡ଼ର ସୋହେଲା ଠାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସମଗ୍ର ଓଡ଼ିଶାର ଚାଷୀ ଭାଇ-ଭଉଣୀଙ୍କ ପାଇଁ କ୍ବିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ ସବସିଡି ବଣ୍ଟନ ଯୋଜନା ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନେ ଆଜି ବାରିପଦା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପଡିଆ ଠାରେ ଏକତ୍ରିତ ହୋଇ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଦେଖି ବିଭିନ୍ନ ସୂଚନା ଜାଣିବାକୁ ପାଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ବିଭାଗ, ଇଂ ଗଣେଶ ରାମସିଂ ଖୁଣ୍ଟିଆ ଯୋଗ ଦେଇ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ, ରାଜ୍ୟସଭା, ମମତା ମହାନ୍ତ, ବିଧାୟକ, ସାରସକଣା ଭାଦଵ ହାଁସଦା, ବିଧାୟକ, ବାରିପଦା ପ୍ରକାଶ ସୋରେନ, ବିଧାୟକ, ରାଇରଙ୍ଗପୁର ଜଲେନ ନାଏକଙ୍କ ସମେତ ଜିଲ୍ଲାପାଳ ହେମକାନ୍ତ ସୟ ପ୍ରମୁଖ ମଂଚାସୀନ ହୋଇଥିଲେ।
ନିଜ ଅବିଭାଷଣରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, “ମୟୂରଭଞ୍ଜ ସର୍ବଦା ନିଜ ଉନ୍ନତ ମାନର ଚାଷ ପାଇଁ ପ୍ରସିଦ୍ଧ। ଆଉ ରାଜ୍ୟସରକାର ପ୍ରତିଶ୍ରୁତି ରକ୍ଷା କରି ଆଜିର ତାରିଖରେ, ଏହି ଚାଷୀ ସମାବେଶରେ ଇନପୁଟ ସବସିଡ଼ି ଦେବା ଆରମ୍ଭ କରିଛନ୍ତି । ମୋର ଦୃଢ ବିଶ୍ୱାସଯେ ରାଜ୍ୟ ସରକାରଙ୍କର ଏହି ଯୁଗାନ୍ତକାରୀ ପଦକ୍ଷେପ, ସମସ୍ତ ଚାଷୀ କୂଳ ପାଇଁ ଏକ ଅମୃତ ସମୟ ଆଣିଦେବ।” ସୂଚନାନୁସାରେ, ଏହି ସବସିଡି ଇନପୁଟ ରାଶି ମାତ୍ର ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟ କୁ ଟଙ୍କା ଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟ କୁ ଯିବ ସେହି ଆକାଉଣ୍ଟ କୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ସେହି ଆକାଉଣ୍ଟ କୁ ଟଙ୍କା ଯିବ । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଖୁବ ଶୀଘ୍ର, ଆସନ୍ତା ୨୪ ତାରିଖରୁ ଧାନ କ୍ରୟ ଆରମ୍ଭ ହୋଇଯିବ, ଏଣୁ ଚାଷୀ ମାନେ ଖୁବ ଶୀଘ୍ର ତାଙ୍କ ଆକାଉଣ୍ଟରେ ଏହି ୮୦୦ ଟଙ୍କା ପାଇପାରିବେ। ଚାଷୀଙ୍କ ମଧ୍ୟରେ ଯେପରି ଦ୍ୱନ୍ଦ ନ ରୁହେ ସେଥିପାଇଁ ଜିଲ୍ଲା ପ୍ରଶାସନ ଜରିଆରେ ସଚେତନ କରାଯାଉଛି। ଯୋଗାଣ ଅଧିକାରୀ ଲକ୍ଷ୍ମୀଧର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ସୟ ଧନ୍ୟବାଦ ଅର୍ପଣ କରିଥିଲେ। ଏଥି ସହିତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କୃଷ୍ଣ ସେଠୀ ଓ ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ ବେହୁରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।