ଜିଲ୍ଲାସ୍ତରୀୟ ୧୦୦ ଦିନ ବ୍ୟାପୀ ଯକ୍ଷ୍ମା ନିରାକରଣ ଅଭିଯାନର ଶୁଭାରମ୍ଭ
କଟକ ୦୭-୧୨-୨୦୨୪(ପିପିଏସ) :କଟକ ଜିଲ୍ଲାକୁ ଯକ୍ଷ୍ମାମୁକ୍ତ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲାସ୍ତରୀୟ ଶହେ ଦିନିଆ ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । କଟକ ସାଂସଦ ଭର୍ତ୍ତୃହରି ମହତାବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଟକ ଜିଲ୍ଲାକୁ ଯକ୍ଷ୍ମାମୁକ୍ତ କରିବା ନିମନ୍ତେ ଆହ୍ୱାନ ଦେବା ସହ ଦୀର୍ଘଦିନ ଧରି କାଶ କିମ୍ବା ଛାତିରେ ଯନ୍ତ୍ରଣା ଅନୁଭବ କଲେ ତୁରନ୍ତ ଡାକ୍ତରୀ ପରୀକ୍ଷା କରାଇ ନେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅଭିଯାନ ମାଧ୍ୟମରେ ଯକ୍ଷ୍ମା ହେବାର ଆଶଙ୍କା ଥିବା ରୋଗୀମାନଙ୍କର ଚିହ୍ନଟ ଓ ସେମାନଙ୍କର ଚିକିତ୍ସା ଉପରେ ସବିଶେଷ ଧ୍ୟାନ ଦିଆଯିବ । ବିଶେଷକରି ୫ବର୍ଷ ମଧ୍ୟରେ ଯକ୍ଷ୍ମାଦ୍ୱାରା ସଂକ୍ରିମତ ବ୍ୟକ୍ତି, ଯକ୍ଷ୍ମା ଆକ୍ରାନ୍ତ ରୋଗୀଙ୍କ ନିକଟ ସମ୍ପର୍କୀୟ, ଧୂମପାନ ଓ ମଦ୍ୟପାନ କରୁଥିବା ବ୍ୟକ୍ତି, ମଧୁମେହରେ ପୀଡ଼ିତ ବ୍ୟକ୍ତି, ୬୦ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ବ୍ୟକ୍ତି ଏବଂ ଅପପୁଷ୍ଟିର ଶିକାର କିମ୍ବା ଏଚ୍ଆଇଭିରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯକ୍ଷ୍ମା ହେବାର ଅଧିକ ଆଶଙ୍କା ରହିଛି । କାର୍ଯ୍ୟକ୍ରମ ଅବସରରେ ଜିଲ୍ଳାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରସନ୍ନ କୁମାର ହୋତା ଉପସ୍ଥିତ ରହି ଯକ୍ଷ୍ମା ରୋଗରୁ ବିଜୟ ଲାଭ କରିଥିବା ଯକ୍ଷ୍ମା ବିଜେତାମାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ଜିଲ୍ଲାରେ ଯକ୍ଷ୍ମା ନିରାକରଣ ସମ୍ବନ୍ଧିତ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା ।