କଟକ ରେଳ ଇତିହାସରେ ଯୋଡ଼ିହୋଇଛି ନୂଆଫର୍ଦ୍ଦ

ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ

ୟୁରୋପର ବଡ଼ ବଡ଼ ଷ୍ଟେସନ ଶୈଳୀରେ କରାଯିବ ନିର୍ମାଣ କାର୍ଯ୍ୟ
କଟକ,୦୭-୧୨-୨୦୨୪(ପିପିଏସ) : କଟକ ରେଳ ଇତିହାସରେ ଯୋଡ଼ିହୋଇଛି ନୂଆଫର୍ଦ୍ଦ । ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସାଂସଦ ଭର୍ତ୍ତୃହରି ମହତାବ ଶନିବାର ସନ୍ଧ୍ୟାରେ କଟକ ରେଳ ଷ୍ଟେସନର ଅତ୍ୟାଧୁନିକ ଦ୍ୱିତୀୟ ପ୍ରବେଶ ଦ୍ୱାରକୁ ଉଦ୍‌ଘାଟନ କରିଛନ୍ତି । ଅମୃତ ଷ୍ଟେସନ୍ ଯୋଜନାରେ ଷ୍ଟେସନର ପୁନର୍ବିକାଶ କରାଯାଇଛି । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ତଥା କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ କଟକର ଭାଇଚାରା ବିଶ୍ୱରେ ବିରଳ । ମା’ କଟକ ଚଣ୍ଡୀଙ୍କର କଟକ ସହର ପ୍ରତି ଥିବା ପ୍ରଭାବ ଯୋଗୁ ସହରର ଅଗ୍ରଗତି ଓ ବିକାଶ ସହଜରେ ହୋଇପାରୁଛି । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ଓଡ଼ିଶା ପ୍ରତି ଭଲ ପାଇବା ଯୋଗୁ ଆଜି କଟକ ରେଳ ଷ୍ଟେସନର ରୂପାନ୍ତରୀକରଣ କାର୍ଯ୍ୟ ଖୁବ୍ ଦ୍ରୁତଗତିରେ ଚାଲିଛି । ଚାଲିଥିôବା ରୂପାନ୍ତରୀକରଣ କାର୍ଯ୍ୟର ଦ୍ୱିତୀୟ ପ୍ରବେଶ ଦ୍ୱାର ଉଦ୍‌ଘାଟନ ଏକ ଅଂଶ । କେନ୍ଦ୍ର ସରକାର ଗଠନର ୬ମାସ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ମୋଦୀଜୀ ୭୩ହଜାର କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥି ମଧ୍ୟରୁ ୨୦ ହଜାର କୋଟି ଟଙ୍କା ରାଜ୍ୟର ରେଳ ପ୍ରକଳ୍ପ ନିମନ୍ତେ ବ୍ୟୟବରାଦ କରାଯାଇଛି । ଆଗାମୀ ଦିନରେ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ ଏବଂ ୟୁରୋପର ବଡ଼ ବଡ଼ ରେଳ ଷ୍ଟେସନ ଶୈଳୀରେ ନିର୍ମାଣ ପାଇଁ ଯୋଜନା ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ । ଏହି ପ୍ରକଳ୍ପ ବାଣିଜ୍ୟ ବ୍ୟାପାରକୁ ବୃଦ୍ଧିକରି ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ଏବଂ କଟକ ଷ୍ଟେସନକୁ ଏକ ପ୍ରମୁଖ ହବ୍ ଭାବେ ପରିଣତ କରିବ । ଷ୍ଟେସନର ଦ୍ୱିତୀୟ ପ୍ରବେଶ ଦ୍ୱାର ୧୪.୬୩ କୋଟି ମୂଲ୍ୟରେ ନିର୍ମାଣ କରାଯାଇଛି । ନୂତନ ଭିତ୍ତିଭୂମି ଷ୍ଟେସନ କାର୍ଯ୍ୟକୁ ଶୃଙ୍ଖଳିତ କରିବ ଏବଂ ଯାତ୍ରୀ ଚଳପ୍ରଚଳରେ ଉନ୍ନତି ଆଣିବ, ସୁରକ୍ଷା ଏବଂ ଯାତ୍ରା ଦକ୍ଷତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଷ୍ଟେସନ କେବଳ କଟକରୁ ନୁହେଁ, ବରଂ ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବଡ଼ମ୍ବା, ନରସିଂହପୁର ଏବଂ ନିଆଳି ପରି ଆଖପାଖ ଜିଲ୍ଲାର ଯାତ୍ରୀଙ୍କୁ ମଧ୍ୟ ସେବା ପ୍ରଦାନ କରାଇବ । ଯାତ୍ରୀଙ୍କ ଆରାମ ଏବଂ ନିରାପତ୍ତା ଉପରେ ଧ୍ୟାନ ଦେଇ ଏହି ବିକାଶ ସମଗ୍ର ଦେଶରେ ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଏକ ମଡେଲ ହେବାକୁ ପ୍ରସ୍ତୁତ ହୋଇଛି । ସାଂସଦ ଶ୍ରୀ ମହତାବ ବିଶିଷ୍ଟଅତିଥି ଭାବେ ଯୋଗଦେଇ ଷ୍ଟେସନର ରୂପାନ୍ତରୀକରଣ କାର୍ଯ୍ୟ ସହିତ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଦ୍ୱାର ଉଦ୍‌ଘାଟନ ହୋଇଥିôବାରୁ ଖୁସିବ୍ୟକ୍ତ କରି କହିଥିଲେ ଯେ ଏହି ଷ୍ଟେସନ ୟୁରୋପର ବିଭିନ୍ନ ବଡ଼ ବଡ଼ ରେଳଷ୍ଟେସନ ଶୈଳୀରେ ନିର୍ମିତ ହେବାକୁଯାଉଛି । ଷ୍ଟେସନ୍‌ର ୧ ନଂ. ପ୍ରବେଶଦ୍ୱାରର ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି । ପ୍ରବେଶଦ୍ୱାରକୁ ଆଧୁନିକୀକରଣ କରିବା ପାଇଁ ୩ ଶହ ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । କଟକ ରେଳ ଷ୍ଟେସନ ଦେଇ ଅଧିକ ଟ୍ରେନ୍ ଯାତାୟତ କରୁ ବୋଲି ସାଂସଦ ରେଳମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଉଦ୍‌ଘାଟିତ ଷ୍ଟେସନର ଦ୍ୱିତୀୟ ପ୍ରବେଶଦ୍ୱାର ସିଧାସଳଖ ୧୬ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯାତ୍ରୀମାନେ ସୁବିଧାରେ ଷ୍ଟେସନରେ ପହଞ୍ଚିପାରିବେ । ବିମାନବନ୍ଦର ଶୈଳୀରେ ପ୍ଲାଟ୍‌ଫର୍ମ ନିର୍ମାଣ କରାଯାଇଥିବାରୁ କଟକ ଷ୍ଟେସନରେ ବିମାନ ବନ୍ଦରର ଭ୍ରମ ସୃଷ୍ଟିକରୁଛି ବୋଲି ସାଂସଦ କହିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ବିଧାୟକମାନେ ଉଦ୍‌ବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ, ନିଆଳୀ ବିଧାୟକ ଛବି ମଲ୍ଲିକ ଏବଂ ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ରେଳ ବିଭାଗର ମହା ପ୍ରବନ୍ଧକ ମି. ପରମେଶ୍ୱରଙ୍କ ସମେତ ବିଭାଗର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.