ବିଜ୍ଞାନଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ ଛାତ୍ରିଛାତ୍ରଙ୍କ ଧାରଣା ୨ ଦିନ ବିତିଲା
ସ୍କୁଲ ଅଫିସରେ ତାଲା। ମଧ୍ୟାହ୍ନ ଭୋଜନ ବନ୍ଦ। ଜଏନ ନକରି ପାରି ଫେରିଲେ ଶିକ୍ଷୟତ୍ରୀ।
ରଘୁନାଥପୁର/ଜଗତସିଂହପୁର ୦୪-୧୨-୨୦୨୪(ପିପିଏସ ) : ରଘୁନାଥପୁର ବ୍ଲକ ତଅଁରା ପଞ୍ଚାୟତ ରାମଚନ୍ଦ୍ରପୁର ସ୍ଥିତ ଚର୍ଚ୍ଚିକାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଦଳି କରାଯାଇଥିବା ବିଜ୍ଞାନ ଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ ଛାତ୍ରିଛାତ୍ର ଓ ଅଭିଭାବକଙ୍କ ଧାରଣା ଦୁଇଦିନ ବିତିଲା।ତେବେ କୌଣସି ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ନଥିଲେ।ଫଳରେ ଅଭିଭାବକଙ୍କ ମଧ୍ୟରେ ଅସୋନ୍ତୋଷ ତିବ୍ର ହେବାସହ ଛାତ୍ରିଛାତ୍ରମାନେ ସ୍କୁଲ ଅଫିସରେ ତାଲା ପକାଇ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଅଫିସରେ ତାଲା ପଡିବା ଯୋଗୁଁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିଲା। ସିଦ୍ଧେଶ୍ୱରି ସ୍କୁଲରୁ ଡେପୁଟେଶନରେ ଆସିଥିବା ଜଣେ କଳା ଶିକ୍ଷୟତ୍ରୀଙ୍କୁ ଅଭିଭାବକମାନେ ଜଏନ କରାଇ ନଦେବାରୁ ସେ ଫେରି ଯାଇଥିଲେ। ସ୍କୁଲରେ ଥିବା ଏକମାତ୍ର ଶିକ୍ଷୟତ୍ରୀ ବାହାରେ ବସି ରହିଥିବା ଦେଖାଯାଇଥିଲା।ଶିକ୍ଷା ବିଭାଗର ଦାଇତ୍ୱହିନତାକୁ ସ୍ଥାନୀୟ ସରପଞ୍ଚ ବଟକୃଷ୍ଣ ନାୟକ ଦାୟି କରିଥିବାବେଳେ ଶିକ୍ଷା ବିଭାଗ ଜାଣିଶୁଣି ପିଲାଙ୍କ ଭବିଷ୍ୟତ ସହିତ ଖେଳୁଛି ବୋଲି ପରିଚାଳନା କମିଟି ସଭାପତି ଦିପାଞ୍ଜଳୀ ନାୟକ ଅଭିଯୋଗ କରିଛନ୍ତି। ତେବେ ବିଜ୍ଞାନ ଶିକ୍ଷକଙ୍କୁ ଫେରାଇ ନଦେବା ପର୍ଯ୍ୟନ୍ତ ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ କି ଉକ୍ତ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଠିକ ଚାଲିଥିବାବେଳେ ବ୍ଲକ ଶିକ୍ଷା ବିଭାଗ ବିବାଦରେ ଛନ୍ଦି ହୋଇ ପଡିଥିବା ଜଣେ ଶିକ୍ଷୟତ୍ରୀଙ୍କୁ ସିଆରସିସି ପଦବୀ ଟେକିଦେବା ଓ ତାଙ୍କ ସ୍ଥାନରେ ସିଦ୍ଧେଶ୍ୱରି ଉପ୍ରା ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ଡେପୁଟେଶନରେ ପଠାଇବା ଏବଂ ପୁନଶ୍ଚ ଉକ୍ତ ଶିକ୍ଷକଙ୍କୁ ଫେରାଇ ନେଇ ସିଦ୍ଧେଶ୍ୱରି ସ୍କୁଲର ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ତାଙ୍କ ସ୍ଥାନରେ ପଠାଇବା ନେଇ ଅଞ୍ଚଳରେ ଅସୋନ୍ତୋସ ପ୍ରକାଶ ପାଇଥିଲା।ଫଳରେ ଅଭିଭାବକଙ୍କ ସହ ଛାତ୍ରିଛାତ୍ର ଓ ଗ୍ରାମବାସୀମାନେ ବିଜ୍ଞାନ ଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ ଧାରଣାରେ ବସିଛନ୍ତି। ରାମଚନ୍ଦ୍ର ମହାପାତ୍ର,ଇଁ ବାବାଜୀ ଚରଣ ଜେନା, ପ୍ରଶାନ୍ତ ନାୟକ, ନିରଞ୍ଜନ ବେହେରାଙ୍କ ସହ ଗ୍ରାମବାସୀମାନେ ଏଥିରେ ସାମିଲ ହୋଇଛନ୍ତି।