ଘରୁ ଅଳିଆ ନେବାକୁ ୩୯ କୋଟି ଖର୍ଚ୍ଚ
ଭୁବନେଶ୍ବରବାସୀଙ୍କ ଘରୁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବାରେ ବର୍ଷକୁ ୪୦ କୋଟି ଖର୍ଚ୍ଚ ହେଉଛି। ଚିହ୍ନଟ ହୋଇଥିବା ୬ଟି ଏନ୍ଜିଓ ସଂସ୍ଥାଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ୩୯ କୋଟି ୬୬ଲକ୍ଷ ୫୦ ହଜାର ୩୫୯ ଟଙ୍କା ପ୍ରଦାନ କରାଯାଇଛି।
ଭୁବନେଶ୍ୱର ୦୪-୧୨-୨୦୨୪(ପିପିଏସ ) : ଭୁବନେଶ୍ବରବାସୀଙ୍କ ଘରୁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବାରେ ବର୍ଷକୁ ୪୦ କୋଟି ଖର୍ଚ୍ଚ ହେଉଛି। ଚିହ୍ନଟ ହୋଇଥିବା ୬ଟି ଏନ୍ଜିଓ ସଂସ୍ଥାଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ୩୯ କୋଟି ୬୬ଲକ୍ଷ ୫୦ ହଜାର ୩୫୯ ଟଙ୍କା ପ୍ରଦାନ କରାଯାଇଛି। ‘ଜୀବନ ବିକାଶ’ ସଂସ୍ଥାକୁ ୩ କୋଟି ୮୦ ଲକ୍ଷ ୮୮ ହଜାର ୪୧୧ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଜାଗୃତି ୱେଲ୍ଫେୟାର ଆର୍ଗାନାଇଜେସନ୍ (ଜେଡବ୍ଲୁଓ)କୁ ୪କୋଟି ୪୮ଲକ୍ଷ ୧୫ ହଜାର ୭୭୫, ସୋସିଆଲ୍ ଆକ୍ଟିଭିଟିଜ୍ ଆଣ୍ଡ୍ ହେଲ୍ଥ ଆଡଭାନ୍ସମେଣ୍ଟ (ସାହା)କୁ ୭କୋଟି ୬୯ଲକ୍ଷ ୪୫ ହଜାର ୪୪୧, ଫିଡ୍ବ୍ୟାକ୍ ଫାଉଣ୍ଡେସନ ଚାରିଟେବଲ୍କୁ ୫ କୋଟି ୨୯ଲକ୍ଷ ୨ ହଜାର ୮୧୧ ଟଙ୍କା ଦିଆଯାଇଥିଲା।
ସେହିପରି ଏନ୍ଜିଓ ସଂସ୍ଥା ‘ବିକାଶ’କୁ ୫ କୋଟି ୭୨ ଲକ୍ଷ ୮୬ ହଜାର ୭୪୯, ୱେ ଅଫ୍ ଇଣ୍ଟିଗ୍ରେଟେଡ୍ ସୋସିଆଲ୍ ସର୍ଭିସ୍ (ଡବ୍ଲୁଆଇଏସ୍ଏସ୍)କୁ ୩ କୋଟି ୭୪ ଲକ୍ଷ ୭୭ ହଜାର ୯୮ ଟଙ୍କା (୨୦୨୪ ସେପ୍ଟେମ୍ବର ୨୫ରେ କାର୍ଯ୍ୟ ଶେଷ ହୋଇଛି) ଓ ‘ଦି ସଂସ୍କାର’କୁ ୮କୋଟି ୯୧ଲକ୍ଷ ୩୪ ହଜାର ୭୪ ଟଙ୍କା ପ୍ରଦାନ କରାଯାଇଥିଲା। ଭୁବନେଶ୍ବର ଅଞ୍ଚଳରେ ସଫେଇ କାର୍ଯ୍ୟ ଯଥା ରାସ୍ତା ସଫେଇ, ନାଳ ସଫେଇ, ବୁସ୍ କଟିଂ, କଞ୍ଜରଭାନ୍ସି କ୍ଲିନିଂ ପରି କାର୍ଯ୍ୟ ପାଇଁ ୬ଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏବାବଦରେ ପ୍ରକଳ୍ପ ଅର୍ଥ ଅନୁଯାୟୀ ବାର୍ଷିକ ୬୬ କୋଟି ୧୧ଲକ୍ଷ ୧୧ ହଜାର ୧୮୮ ଟଙ୍କା ଦିଆଯାଉଛି।
ଚୁକ୍ତିନାମା ଅନୁଯାୟୀ ଏନ୍ଜିଓମାନେ ଘରଗୁଡ଼ିକରୁ ସଂଗୃହୀତ ବର୍ଜ୍ୟବସ୍ତୁଗୁଡ଼ିକୁ ପୃଥକ ଭାବେ ସଂଗ୍ରହ କରି ବୈଭବ କେନ୍ଦ୍ର (ୱେଲ୍ଥ ସେଣ୍ଟର)କୁ ପଠାଇଥାନ୍ତି। ୱାର୍ଡଗୁଡ଼ିକରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ରାସ୍ତା ସଫେଇ, ନାଳ ସଫେଇ, ବୁସ୍ କଟିଂ, କଞ୍ଜରଭାନ୍ସି କ୍ଲିନିଂ ଦ୍ବାରା ବାହାରୁଥିବା ଅଳିଆଗୁଡ଼ିକୁ ବିଏମ୍ସିର ସମ୍ପୃକ୍ତ ସଂସ୍ଥା ସହ ହୋଇଥିବା ଟେଣ୍ଡର ରାଜିନାମା ଅନୁଯାୟୀ ପୃଥକ ଭାବେ ସଂଗ୍ରହ କରାଯାଇ ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ୍ (ଟିଟିଏସ୍)କୁ ପଠାଯାଉଛି। ନାଳଗୁଡ଼ିକରୁ ବାହାରୁଥିବା ମାଟିଗୁଡ଼ିକୁ ସହରର ତଳିଆ ଅଞ୍ଚଳକୁ ପଠାଯାଉଛି। ବିଏମ୍ସିର ବିଭିନ୍ନ ୱାର୍ଡରୁ ସୃଷ୍ଟି ହେଉଥିବା ଆବର୍ଜନାଗୁଡ଼ିକୁ ଗାଡ଼କଣଠାରେ ଥିବା ଟିଟିଏସ୍ରେ ଓଦା ବର୍ଜ୍ୟବସ୍ତୁଗୁଡ଼ିକୁ କମ୍ପୋଷ୍ଟିଂ କରାଯାଇ ଏବଂ ଶୁଖିଲା ବର୍ଜ୍ୟବସ୍ତୁରୁ ପୁନଃ ବ୍ୟବହାରଯୋଗ୍ୟ ଜିନିଷକୁ ପୁନରୁଦ୍ଧାର କରାଯାଉଛି। ବଳକା ରିଫ୍ୟୁଜ୍-ଡେରିଭଡ୍ ଫୁଏଲ (ଆରଡିଏଫ୍)ଗୁଡ଼ିକ ସିମେଣ୍ଟ କାରଖାନା ମାଧ୍ୟମରେ ପ୍ରକ୍ରିୟାକରଣ ହେଉଛି।
ଟିଟିଏସ୍ଠାରେ ଉଇଣ୍ଡ୍ରୋସ୍ କମ୍ପୋଷ୍ଟିଂ ମାଧ୍ୟମରେ ଓଦା ବର୍ଜ୍ୟବସ୍ତୁଗୁଡ଼ିକୁ ଖାଦରେ ପରିଣତ କରାଯାଉଛି। ସେଥିରୁ ବାହାରୁଥିବା ଦୁର୍ଗନ୍ଧ ନିରାକରଣ ପାଇଁ ବିଏମ୍ସି ଦ୍ବାରା ଅଗ୍ରାନିକ୍ ଡିଓଡ୍ରାଇଜର ଉପଯୁକ୍ତ ପରିମାଣରେ ପ୍ରୟୋଗ ହେଉଛି। ଏହାବ୍ୟତୀତ ଆବଶ୍ୟକତା ଅନୁଯାୟୀ ବାୟୋ-କଲଚର ପ୍ରୟୋଗ ହେଉଛି, ଯାହାକି ଖାଦ ପ୍ରକ୍ରିୟାକୁ ତୀବ୍ର କରୁଛି। କୌଣସି ପ୍ରକାର ଦୁର୍ଗନ୍ଧ ହେଉ ନାହିଁ। ବିଏମ୍ସି ଅଞ୍ଚଳରୁ ପ୍ରତି ବର୍ଷ ଆନୁମାନିକ ୨ ଲକ୍ଷ ୯୦ ହଜାର ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି। ସଫେଇରେ ଖିଲାପ କରୁଥିବା ବ୍ୟକ୍ତିବିଶେଷ କିମ୍ବା ପ୍ରତିଷ୍ଠାନଗୁଡ଼ିକଠାରୁ ବିଏମ୍ସି ଆଇନ ଅନୁଯାୟୀ ଜରିମାନା ଆଦାୟ ହେଉଛି। ବିଧାୟକ ମନୋହର ରାନ୍ଧାରୀଙ୍କ ଏକ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି।