ଉଦ୍‌ଘାଟନ ପୂର୍ବରୁ ଝଲସୁଛି ଜିଲ୍ଲା ଜଜ୍ କୋର୍ଟ

ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ୫ ତାରିଖରେ ଉଦ୍‌ଘାଟିତ ହେବ ଭୁବନେଶ୍ବର ଜିଲ୍ଲା ଜଜ୍ କୋର୍ଟର ନୂଆ କୋଠା। ଦେଶର ସର୍ବଶ୍ରେଷ୍ଠ ଜିଲ୍ଲା ଜଜ୍ କୋର୍ଟର ଏହି ନୂଆ କୋଠାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବେ।

ଭୁବନେଶ୍ୱର ୦୪-୧୨-୨୦୨୪(ପିପିଏସ ) : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ୫ ତାରିଖରେ ଉଦ୍‌ଘାଟିତ ହେବ ଭୁବନେଶ୍ବର ଜିଲ୍ଲା ଜଜ୍ କୋର୍ଟର ନୂଆ କୋଠା। ଦେଶର ସର୍ବଶ୍ରେଷ୍ଠ ଜିଲ୍ଲା ଜଜ୍ କୋର୍ଟର ଏହି ନୂଆ କୋଠାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବେ। ଏଥିପାଇଁ ପୂର୍ବରୁ ସମସ୍ତ ପ୍ରକାରର ପ୍ରସ୍ତୁତି ପର୍ବ ସରିଯାଇଛି। ଏଣୁ ଏବେଠୁ ନବବଧୂ ଭଳି ସଜେଇ ହୋଇଛି ନୂଆ କୋଠା। ନୂଆ କୋଠାର ନୂଆ ରଙ୍ଗ ରଙ୍ଗିନ ଆଲୋକମାଳା‌‌ରେ ଝଲସୁଛି। ଏହି ‌କୋଠା ଅତ୍ୟାଧୁନିକ ଇଂଜିନିୟରିଂ ଜ୍ଞାନକୌଶଳରେ ନିର୍ମିତ। ଏହି କୋଠାଟି ବେସ୍‌ମେଣ୍ଟ୍‌ ଓ ଗ୍ରାଉଣ୍ଡ୍‌ଫ୍ଲୋର୍‌କୁ ମିଶାଇ ୫ ମହଲା କରାଯାଇଛି। ଏହା ସଂପୂର୍ଣ୍ଣଭାବେ ଶୀତତାପ ନିୟନ୍ତ୍ରିତ। କୋର୍ଟ ମଧ୍ୟରେ ମାଗଣା ୱାଇଫାଇର ବ୍ୟବସ୍ଥ‌ା କରାଯାଇଛି। ‌କୋଠାଟି ସଂପୂର୍ଣ୍ଣ ଅଗ୍ନି ନିରାପତ୍ତା ମଧ୍ୟରେ ରହିଛି। ପ୍ରବେଶ ଓ ପ୍ରସ୍ଥାନ ପାଇଁ ୫ଟି ଗେଟ୍ ରହିଛି। କୋର୍ଟ ମଧ୍ୟରେ ପୋଷ୍ଟ ଅଫିସ୍, ବ୍ୟାଙ୍କ ଓ ଏକ ଡିସ୍‌ପେନସାରି ରହିଛି।

କୋର୍ଟ ମଧ୍ୟରେ ବ୍ୟା‌ଙ୍କ୍, ଡାକଘର, ଡିସ୍‌ପେନ୍‌ସାରି ସୁବିଧା‌, ଶିଶୁଙ୍କ ପାଇଁ ‌ସ୍ତନ୍ୟପାନ କକ୍ଷ ଓ ବେବିକ୍ରେଚ୍

ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ଓ ଦୁଇଜଣ ନର୍ସ ରହିବା‌ର ବ୍ୟବସ୍ଥା‌ କରାଯାଇଛି। ଏହି କୋର୍ଟରେ ସମୁଦାୟ ୫୭ଟି କୋର୍ଟରୁମ ରହିଛି। ୫୭ଟି ବିଚାରପତିଙ୍କ ପାଇଁ ଚାମ୍ବର ରହିଛି। ୪ଟି କରିଡର୍ ରହିଛି। କାର୍ ଓ ବାଇକ୍ ମିଶାଇ ପ୍ରାୟ ୧୦୦୦ ଗାଡ଼ି ରହି ପାରିବା ଭଳି ବେସ୍‌ମେଣ୍ଟ ପାର୍କିଂ ବ୍ୟବସ୍ଥା ରହିଛି। ବେସ୍‌ମେଣ୍ଟରେ ବିଚାରପତିଙ୍କ ଲାଗି ୫୦ଟି ଚାରିଚକିଆ ଯାନର ପାର୍କିଂ ସୁବିଧା ରହିବ। ଏଥିସହ ଏଠାରେ ଏକ ବହୁତଳ ପାର୍କିଂସ୍ଥଳ ମଧ୍ୟ ନିର୍ମାଣ ହେଉଛି, ଯେଉଁଠାରେ ୪୫୦ଟି ଚାରିଚକିଆ, ୫୫୦ଟି ଦୁଇଚକିଆ ଯାନ ପାର୍କିଂ ନିମନ୍ତେ ସୁବିଧା ରହିବ। ଏହି କୋର୍ଟରେ ୯ଟି ଲିଫ୍ଟ ରହିଛି। ସେଥିରୁ ୫ଟି ୨୦ ଜଣିଆ ଲିଫ୍ଟ ରହିଛି।ବିଚାରପତିଙ୍କ ପାଇଁ ୪ଟି ଲିଫ୍ଟ ରହିଛି। ସାଧାରଣ ଲୋକଙ୍କ ପାଇଁ ବିଶ୍ରାମ କକ୍ଷ, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବିଶ୍ରାମ କକ୍ଷ, ବ୍ରେଷ୍ଟ ଫିଡିଂ ରୁମ୍,‌ ଓକିଲ ଓ କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ରୁମ, ଶିଶୁମାନଙ୍କ ପାଇଁ ବେ‌ବି କ୍ରେଚ୍, ଇ ପାଠାଗାର, ସାଧାରଣ ପାଠାଗାର ଓ ଦୁଇଟି ସମ୍ମିଳନୀକକ୍ଷ ରହିଛି। ଓକିଲମାନଙ୍କ ବସିବା ପାଇଁ ଚେୟାର, ଟେବୁଲ, ଲକର ଆଦିର ବ୍ୟବସ୍ଥା କରାଯାଇଛି। ସୌନ୍ଦର୍ଯ୍ୟୀକରଣ ପାଇଁ ଘାସ ଗାଲିଚା, ଜଳ ଫୁଆର ଆଦିର ବ୍ୟବସ୍ଥା କରାଯାଇଛି। ଏଲ୍‌ଇଡି ଟିଭି ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ ସବୁ ସୂଚନା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଆଇନଜୀବୀମାନଙ୍କ ପାଇଁ ସ୍ବତନ୍ତ୍ର କେସ ବାବଦରେ ଜାଣିବା ପାଇଁ କମ୍ପ୍ୟୁଟର ଆଦିର ବ୍ୟବସ୍ଥା କରାଯାଇଛି। 

ଦେଶର ଏକ ଅତ୍ୟାଧୁନିକ କୋର୍ଟ
ଏହି ନୂଆ କୋର୍ଟ ଦେଶର ସବୁଠାରୁ ଅତ୍ୟାଧୁନିକ ଜିଲ୍ଲା ଜଜ୍ କୋର୍ଟ। କୋର୍ଟ ମଧ୍ୟରେ ବିଚାରପତି, ଆଇନଜୀବୀ, ସାଧାରଣ ଲୋକଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିଛି। ଏହାଦ୍ବାରା କୋର୍ଟର ବିଚାର ପ୍ରକ୍ରିୟ‌ା ସହଜ ହେବା ସହିତ ତ୍ବରାନ୍ବିତ ହୋଇପାରିବ।
ଦୀପକ ଦାଶ, ସମ୍ପାଦକ, ଭୁବନେଶ୍ବର ବାର୍ ଆସୋସିଏସନ୍

ମହିଳା ଓକିଲମାନେ ସୁବିଧା ପାଇବେ
ବାର୍ ମଧ୍ୟରେ ମହିଳା ଆଇନଜୀବୀମାନଙ୍କ ପାଇଁ ସ୍ବତନ୍ତ୍ର କମନ୍ ରୁମ୍ ରହିଛି। ନୂଆ ବିଲ୍ଡିଂରେ ମହିଳା ଆଇନଜୀବୀମାନଙ୍କ ପାଇଁ ସ୍ବତନ୍ତ୍ର ଲାଉଞ୍ଜ୍ ରହିଛି। ଲେଡି କ୍ଲାଏଣ୍ଟମାନେ ବସିବା ପାଇଁ ସ୍ବତନ୍ତ୍ର ବିଶ୍ରାମାଗାର ରହିଛି। ସ୍ତନ୍ୟପାନକକ୍ଷ ରହିଛି। ମୋର ୩୦ ବର୍ଷ ଓକିଲାତି ହୋଇଗଲାଣି। ‌ପୂର୍ବ ଅପେକ୍ଷା ଏବେ ମହିଳା ଓକିଲଙ୍କ ସଂଖ୍ୟା ବହୁତ ବଢ଼ିଗଲାଣି। ପୂର୍ବ କୋର୍ଟରେ ମହିଳାମାନେ ବହୁ ହଇରାଣ ହେଉଥିଲେ। ଏହି କୋର୍ଟ ହେବା ଦ୍ବାରା ଆମେ ବହୁତ ଖୁସି। କନିଷ୍ଠ ମହିଳା ଓକିଲମାନେ ବହୁତ ସୁବିଧା ପାଇ ପାରିବେ। 
ସନ୍ଧ୍ୟା ପଣ୍ଡା, ବରିଷ୍ଠ ଆଇନଜୀବୀ

ପାର୍କିଂ ସମସ୍ୟ‌ା ଦୂର ହେବ

ନୂଆ ବିଲ୍ଡିଂ କୋର୍ଟରେ ବହୁତଳ ପାର୍କିଂ ବ୍ୟବସ୍ଥା ରହିଛି। ଏଥିରେ ବହୁ କ‌‌‌ାର୍ ଓ ବାଇକ୍ ରହିବା ଭଳି ବ୍ୟବସ୍ଥା କରାଯାଇଛି। ପାର୍କିଂ କରିବା ପାଇଁ ପୂର୍ବରୁ ସାଧାରଣ ଲୋକଙ୍କ ସହ ଆଇନଜୀବୀମାନେ ବହୁ ହଇରାଣ ହେଉଥ‌ିଲେ। ରାସ୍ତାକଡ଼ରେ ପାର୍କିଂ କରୁଥିଲେ। ଫଳରେ ରବି ଟକିଜ୍‌ରୁ କଳ୍ପନା ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ଲାଗି ରହୁଥିଲା। ନୂଆ କୋର୍ଟରେ ବହୁତଳ ପାର୍କିଂ ବ୍ୟବସ୍ଥ‌ା ରହିଥିବାରୁ ଏହି ବଡ଼ ସମସ୍ୟାରୁ ରାଜଧାନୀବାସୀଙ୍କୁ ମୁକ୍ତି ମିଳିବ। 
ମନୋଜ ନାୟକ, 
ଆଇନଜୀବୀ 

Leave A Reply

Your email address will not be published.