ପୁରୀ ସମୁଦ୍ରରେ ପରାକ୍ରମ ଅଭ୍ୟାସ: ଯୁଦ୍ଧାଭ୍ୟାସରେ ୧୪ ହେଲିକପ୍ଟର୍‌, ୧୨ ଯୁଦ୍ଧପୋତ

ଆଉ ୫ ଦିନର ଅପେକ୍ଷା। ଡିସେମ୍ବର ୪ ତାରିଖ ସୋମବାର ଅପରାହ୍ଣରେ ପାଳିତ ହେବ ନୌସେନା ଦିବସ। ରାଷ୍ଟ୍ରପତିଙ୍କ ଆଗରେ ଯୁଦ୍ଧ କୌଶଳ ଦେଖାଇବେ ନୌବାହିନୀର ଦୁର୍ଦ୍ଦଷ କମାଣ୍ଡୋ ମାର୍କୋସ୍‌।

ପୁରୀ,୦୧-୧୨-୨୦୨୪ (ପିପିଏସ ) : ଆଉ ୫ ଦିନର ଅପେକ୍ଷା। ଡିସେମ୍ବର ୪ ତାରିଖ ସୋମବାର ଅପରାହ୍ଣରେ ପାଳିତ ହେବ ନୌସେନା ଦିବସ। ରାଷ୍ଟ୍ରପତିଙ୍କ ଆଗରେ ଯୁଦ୍ଧ କୌଶଳ ଦେଖାଇବେ ନୌବାହିନୀର ଦୁର୍ଦ୍ଦଷ କମାଣ୍ଡୋ ମାର୍କୋସ୍‌। ଏହା ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ‌୍ ବିଚ୍‌ରେ ଆରମ୍ଭ ହୋଇଛି ଯୁଦ୍ଧାଭ୍ୟାସ(ରିହର୍ସାଲ୍)। ଆଜି ଏହି ଯୁଦ୍ଧାଭ୍ୟାସର ଦ୍ବିତୀୟ ଦିନରେ କମାଣ୍ଡୋମାନେ ବିସ୍ଫୋରଣ ସହ ଗୁଳିଗୋଳା ବର୍ଷାର ଦୃଶ୍ୟ ଦେଖାଇଛନ୍ତି। ନୌସେନାର ଲଢ଼ୁଆ ହେଲିକପ୍ଟର୍‌ ସହ ଫାଇଟର୍‌ ଜେଟ୍‌ଗୁଡ଼ିକ ଆକାଶ ମାର୍ଗରେ ଚକ୍କର କାଟି କଳାକୌଶଳ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି। ଆଜିର ଏହି ରିହର୍ସାଲ୍‌ରେ ୧୪ଟି ହେଲିକପ୍ଟର୍‌, ୧୨ଟି ଯୁଦ୍ଧଜାହାଜ, ୨ଟି ଫାଇଟର୍‌ ଜେଟ୍‌ ଓ ୨ଟି ଏରୋପ୍ଲେନ୍‌ ସାମିଲ୍‌ ଥିଲେ।

ଗତକାଲି ଅପରାହ୍ଣ ୩ଟାରୁ ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଆରମ୍ଭ ହୋଇଥିଲା ଯୁଦ୍ଧାଭ୍ୟାସ। କିନ୍ତୁ ଆଜି ଲଘୁଚାପ କାରଣରୁ ପାଗ ଖରାପ ରହିବାରୁ ଅପରାହ୍ଣ ପ୍ରାୟ ୪ଟାରେ ଅଭ୍ୟାସ ଆରମ୍ଭ ହୋଇଥିଲା। ପାଗ ମେଘୁଆ ସହ ଉଚ୍ଚ ଜୁଆର କାରଣରୁ ବିଳମ୍ବରେ ଏହି ଅଭ୍ୟାସ ଆରମ୍ଭ କରିଥିଲେ ନୌସେନା। ଗତକାଲି ଅପେକ୍ଷା ଆଜି କିଛି ଭିନ୍ନ ଧରଣର କଳାକୌଶଳ ଦେଖାଇଛନ୍ତି ନୌସୈନିକମାନେ। ଆଜି ଆତଙ୍କବାଦୀ ଆକ୍ରମଣ ଓ ବୋମା ବିସ୍ଫୋରଣରୁ ଆରମ୍ଭ ହୋଇଥିଲା କଳାକୌଶଳ। ପରେ ପରେ ଏଜେଟି ହକ୍‌ଜେଟ୍‌ ଉଡ଼ାଣ ଭରିଥିଲା। ଏହା ପରେ ପରେ ଲଢ଼ୁଆ ଚେତକ ହେଲିକପ୍ଟର୍‌ରେ ନୌବାହିନୀ ତ୍ରିରଙ୍ଗା ଓ ନୌସେନାର ପତାକା ଧରି ପୁରୀ ସହର ଆକାଶରେ ଚକ୍କର କାଟିଥିଲେ। ପରେ ପରେ ନୌସେନାର ସ୍ବତନ୍ତ୍ର ଫୋର୍ସ ବ୍ୟବହାର କରୁଥିବା ୫ଟି ଏମ୍‌ଏଚ୍‌-୬୦ ବ୍ଲାକ୍‌ ହକ୍‌ ହେଲିକପ୍ଟର୍‌ ସମୁଦ୍ର କୂଳରେ ସମୁଦ୍ର ଜୁଆର ଭଳି ତରଙ୍ଗାୟିତ କଳାକୌଶଳ ଦେଖାଇଥିଲେ। ଏହି ସମୟରେ ନୌସେନାର ଲଢ଼ୁଆ ହେଲିକପ୍ଟର ଏମ୍ଏଚ୍‌-୬୦ ରୋମିଓ, ସବ୍‌-ହଣ୍ଟର, ଏମ୍‌ଆଇଜି-୨୯କେ ଆଦି ଆକାଶରେ ଉଡ଼ିବା ପରେ ଯୁଦ୍ଧ ଯାହାଜ ଉପରେ ଲ୍ୟାଣ୍ଡିଂ କରିବାର ଦୃଶ୍ୟ ଦେଖାଇଥିଲେ।

ଏହି ସମୟରେ ଫାଇଟର୍‌ ଜେଟ୍‌ ଆକାଶ ମାର୍ଗରୁ ଗୁଳିଗୋଳା ବର୍ଷା କରିଥିଲା। ସବୁ କଳାକୌଶଳ ପ୍ରଦର୍ଶନ ଶେଷ ପରେ ବିଧ୍ବଂସୀ କ୍ଷେପଣାସ୍ତ୍ର କ୍ଷେପଣର କ୍ଷମତା ରଖିଥିବା ଚେତକ ସହ ଏମ୍‌ଏଚ୍‌-୬୦ ରୋମିଓ, ସବ୍‌ହଣ୍ଟର, ବ୍ଲାକ୍‌ ହକ୍‌ ଆଦି ଏକତ୍ର  ଉଡ଼ାଣ ଭରିଥିଲେ। ଶେଷରେ ଯୁଦ୍ଧ ପୋତରୁ ଗୁଳିଗୋଳା ବର୍ଷାର ଦୃଶ୍ୟ ଦେଖାଯାଇଥିଲା। ଏହି ଯୁଦ୍ଧ ପୋତ ସବୁ ଆଲୋକମାଳାରେ ଜଳି ଉଠିବା ପରେ ଏଥିରେ ବିଭିନ୍ନ ରଙ୍ଗବେରଙ୍ଗର ଗୁଳିଗୋଳା ବିଭିନ୍ନ ଦିଗକୁ କ୍ଷେପଣ ହେବାର ଦେଖିବାକୁ ମିଳିଥିଲା। ଏହି ଅବସରରେ ପାରାଚ୍ୟୁଟ୍‌ରୁ ମାର୍କୋସ୍‌ମାନେ ଅବତରଣର ଦୃଶ୍ୟ ଦେଖାଇଥିଲେ। ଅପରପକ୍ଷେ ଡିସେମ୍ବର ୨ ତାରିଖରେ ଫାଇନାଲ୍‌ ରିହର୍ସାଲ୍‌ ଦେଖାଯିବ ବୋଲି ଆଜି ନୌସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହିଦିନ ନୌସେନାର ପୂର୍ବତଟ କମାଣ୍ଡିଂ ଚିଫ୍‌ ଭାଇସ୍‌ ଆଡ୍‌ମିରାଲ୍‌ ରାଜେଶ ପେନ୍ଧାରକର ଯୋଗଦେବେ ବୋଲି ନୌସେନା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଡିସେମ୍ବର ୩ ତାରିଖରେ କୌଣସି ରିହର୍ସାଲ୍‌ ନ ଥିବା ନୌସେନା ପକ୍ଷରୁ କୁହାଯାଇଛି।

hfkhfkkhfkfh

୧ରୁ ୫ ତାରିଖ ବଡ଼ଦାଣ୍ଡରେ ଦୋକାନ ବନ୍ଦ
୩୦ ତାରିଖ ସୁଦ୍ଧା ଦୋକାନ ଖାଲି ନିର୍ଦ୍ଦେଶ

ପୁରୀରେ ନୌସେନା ଦିବସ ପାଳନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସଂପୂର୍ଣ୍ଣ ବଡ଼ଦାଣ୍ଡରେ ଥିବା ଉଠାଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୩୦ ତାରିଖ ପୂର୍ବାହ୍ଣ ୧୧ଟା ସୁଦ୍ଧା ସମସ୍ତ ଦୋକାନ ଖାଲି କରିବାକୁ ନିର୍ଦ୍ଦେଶ ଦିଅାଯାଇଛି। ଏସମ୍ପର୍କରେ ପୁରୀ ପୌରପାଳିକା ପକ୍ଷରୁ ଉଠାଦୋକାନୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ଆଜି ପୁରୀ ପୌରନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଓ ଅନ୍ୟ ଅଧିକାରୀମାନେ ବଡ଼ଶଙ୍ଖ ବଜାର ବୁଲି ଦେଖିବା ସହ ଦୋକାନୀଙ୍କୁ ଦୋକାନ ଖାଲି କରିବାକୁ କହିଛନ୍ତି। ନୌସେନା ଦିବସ ପାଇଁ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବଡ଼ଦାଣ୍ଡରୁ ଉଠାଦୋକାନ ହଟାଇବାକୁ କହିଛି ପୁରୀ ପୌରପାଳିକା। ଯେହେତୁ ମେଡିକାଲ୍‌ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଉଠାଦୋକାନମୁକ୍ତ ହୋଇଛି, ଏଣୁ ମେଡିକାଲ୍‌ ଛକରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯେଉଁ ଉଠାଦୋକାନ ସବୁ ରହିଛି, ତାକୁ ଖାଲି କରିବାକୁ ଦୋକାନୀମାନଙ୍କୁ କୁହାଯାଇଛି। ଗତକାଲି ଚିଠି କରି ଏ ସଂପର୍କରେ ଅବଗତ କରାଯାଇଥିଲା। ଆଜି ଡାକବାଜି ଜରିଆରେ ଏ ସଂପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି।

ବେଳାଭୂମିରେ ଦେଖଣାହାରୀଙ୍କ ପାଇଁ ଏନ୍‌କ୍ଲୋଜର୍‌, ହଟିଲା ଉଠାଦୋକାନ
ଡିସେମ୍ବର ୪ ତାରିଖ ନୌସେନା ଦିବସରେ ନୌବାହିନୀର କଳାକୌଶଳ ଦେଖିବା ପାଇଁ ପୁରୀ ବେଳାଭୂମିରେ ଏନ୍‌କ୍ଲୋଜର୍‌ ବ୍ୟବସ୍ଥା କରାଯାଇଛି। ପ୍ରତି ଏନ୍‌କ୍ଲୋଜର୍‌ରେ ଦେଢ଼ ହଜାରରୁ ୨ହଜାର ଲୋକ ଛିଡ଼ା ହୋଇ ଏହି କଳାକୌଶଳ ଦେଖିପାରିବେ। ଏଥିପାଇଁ ଦିଗବାରେଣିଠାରୁ ଷ୍ଟର୍ଲିନ୍‌ ପର୍ଯ୍ୟନ୍ତ ଏନ୍‌କ୍ଲୋଜର୍‌ ବ୍ୟବସ୍ଥା କରାଯାଇଛି। ଯଦି କେହି ଗୋଟିଏ ଏନ୍‌କ୍ଲୋଜର୍‌ରେ ପ୍ରବେଶ କଲେ ଅନ୍ୟ ଏନ୍‌କ୍ଲୋଜର୍‌କୁ ଯାଇପାରିବେନି। ଏଥିପାଇଁ ବାଉଁଶର ବ୍ୟାରିକେଡ୍‌ କରାଯାଇଛି। ପ୍ରତି ଏନ୍‌କ୍ଲୋଜର୍‌ରେ ୨ଟି ଅସ୍ଥାୟ ଶୌଚାଳୟ ଓ ଗୋଟିଏ ପିଇବା ପାଣି ଫାଉଣ୍ଟେନ୍‌ ବ୍ୟବସ୍ଥା କରାଯାଉଛି। ଅପରପକ୍ଷେ ଯେହେତୁ ନୌସେନା ଦିବସରେ ଲୋକଙ୍କ ଅଧିକ ସମାଗମ ହେବାର ସମ୍ଭାବନା ରହିଛି, ସେ ଦୃଷ୍ଟିରୁ ବେଳାମାର୍ଗ ଓ ବେଳାଭୂମିକୁ ଉଠାଦୋକାନମୁକ୍ତ କରାଯାଇଛି। ସବୁ ଉଠାଦୋକାନୀଙ୍କୁ ହଟାଯାଇଛି।

ବେଳାଭୂମିରେ ଆତଙ୍କବାଦୀ ଆକ୍ରମଣ!
ବେଳାଭୂମିରେ ଆଜି ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଦେଖାଇଛନ୍ତି ନୌବାହିନୀ। ଯୁଦ୍ଧ ବେଳେ ଆତଙ୍କବାଦୀମାନେ କିଭଳି ବିସ୍ଫୋରଣ କରି ନୌବାହିନୀଙ୍କୁ ମୃତାହତ କରିଥାନ୍ତି, ତାହାର ଦୃଶ୍ୟ ଏଥିରେ ଦେଖାଯାଇଛି। ନୌସେନାର ଦୁର୍ଦ୍ଧଷ କମାଣ୍ଡୋ ମାର୍କୋସ୍‌ ଏହି କଳାକୌଶଳ ଦେଖାଇଛନ୍ତି। ଏହି ବିସ୍ଫୋରଣରୁ ଆଜିର ଅଭ୍ୟାସ ଆରମ୍ଭ ହୋଇଥିଲା। ପରେ ନୌବାହିନୀ ଏହାକୁ କିଭଳି ପ୍ରତିହତ କରିଥିଲେ, ତାହା ଦେଖାଯାଇଛି। ନୌସେନାର ଟ୍ୟାଙ୍କର, ଯୁଦ୍ଧ ଗାଡ଼ି ବି ଆଜି ବେଳାଭୂମିରେ ଚକ୍କର କାଟିଛି।

୨୦ ପ୍ରକାର ରଣକୌଶଳ ଦେଖାଇବେ ନୌସେନା
ନୌସେନାର ଦିବସରେ ୨୦ ପ୍ରକାର ରଣକୌଶଳ ଦେଖାଇବ ନୌସେନା। ଏହି ଅବସରରେ ନୌବାହିନୀ ବୋମା ବିସ୍ପୋରଣ, ବ୍ୟାନର ଫର୍ମେସନ୍‌, ମାର୍କୋସ ଡେମୋ, ଷ୍ଟାଇ ଡେମୋ, ଆମ୍ପିବିଅସ ଡେମୋ, କମ୍ବାଟ୍‌ ଫ୍ରି ଫଲ୍‌, ହେଲୋ ଲ୍ୟାଣ୍ଡିଂ , ଆଞ୍ଜେଲ , ସାର୍‌ , ହର୍ଣ୍ଣ ପାଇପ୍‌ ଡ୍ୟାନ୍ସ, ଏମ୍‌ଏଚ୍‌ ପ୍ଲେୟାର ଫାୟାରିଂ, ହକ୍‌ , ଏମଆଇଡି-୨୯କେ , ଆଣ୍ଟି ସବ୍‌ମାରାଇନ୍‌ ରକେଟ୍‌ ଫାୟାରିଂ, କମ୍ପୋଜିଟ୍‌ ଫ୍ଲାଏ ପାଷ୍ଟ, ବିଟିଂ ରିଟ୍ରିଟ୍‌, ସେରିମୋନିଆଲ୍‌ ସନ୍‌ସର୍ଟ, କଣ୍ଟିନ୍ୟୁଟି ଡ୍ରିଲ୍‌ ଓ ଆଣ୍ଟି ଏଆର ଫାୟାରିଂ ପ୍ରଦର୍ଶନ ହେବ। ମୁଖ୍ୟ ଅତିଥି ରାଷ୍ଟ୍ରପତି ନୌସେନା ଦିବସରେ ଆସି ପହଞ୍ଚିବା ପରେ ଏହା ଆରମ୍ଭ ହେବ। ଯାହାର ଅଭ୍ୟାସ ଜାରି ରହିଛି।

ସମରାଭ୍ୟାସ ଦେଖିବାକୁ ଭିଡ଼

ନୌସେନାର ଏହି ଅଭ୍ୟାସ ଦେଖିବାକୁ ଆଜି ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଅପରାହ୍ଣ ୩ଟାରୁ ଅଭ୍ୟାସ ଆରମ୍ଭ ହେବାର ଥିଲେ ବି ଏହା ପୂର୍ବରୁ ଦର୍ଶକଙ୍କ ଭିଡ଼ ଜମିଥିଲା। ଏଣୁ ଆଜି ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପ୍ରବେଶ ପାଇଁ ଯେଉଁ ଟିକେଟ୍‌ କାଉଣ୍ଟର ଥିଲା, ସେଠାରେ ବି ପ୍ରବଳ ଭିଡ଼ ଜମିଥିଲା। ବହୁ ସଂଖ୍ୟାରେ ଲୋକେ ଧାଡ଼ିରେ ରହି ଟିକେଟ୍‌ ନେଇଥିଲେ। ସେପଟେ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଦର୍ଶକଙ୍କ ଦେଖିବା ସ୍ଥାନରେ ଲୋକଙ୍କ ଭିଡ଼ରେ ଭରି ଯାଇଥିଲା। ଲୋକେ ଉତ୍କଣ୍ଠାର ସହ ଏହାକୁ ଦେଖିବା ସହ ନିଜ ମୋବାଇଲ୍‌ରେ ନୌସେନା ହେଲିକପ୍ଟର ଓ ଅନ୍ୟାନ୍ୟ ଅଭ୍ୟାସକୁ ମୋବାଇଲ୍‌ରେ ରେକର୍ଡିଂ କରିଥିଲେ।

ଓଲଟିଗଲା ସ୍ପିଡ୍‌ ବୋଟ୍‌
ନୌସେନାର ଅଭ୍ୟାସ ବେଳେ ଆଜି ନୌବାହିନୀଙ୍କ ଏକ ସ୍ପିଟ୍‌ ବୋଟ୍‌ ସମୁଦ୍ର ଭିତରେ ଓଲଟି ପଡ଼ିଥିଲା। ହଠାତ୍‌ ନୌବାହିନୀର ଏହି ସ୍ପିଡ୍‌ ବୋଟ୍‌ ଲହଡ଼ି ମାଡ଼ରେ ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ନୌବାହିନୀ ପାଣିରେ ପଡ଼ି ଯାଇଥିଲେ। ଯେହେତୁ ଜୁଆର ଅଧିକ ଥିଲା, ଏମାନେ କୂଳକୁ ଆସି ପାରିନଥିଲେ। ପରେ ଅନ୍ୟ ନୌବାହିନୀ କୂଳରୁ ସମୁଦ୍ର ଭିତରକୁ ଡିଆଁ ମାରି ସେମାନଙ୍କୁ କୂଳକୁ ଆଣିଥିଲେ। ପାରାଚ୍ୟୁଟ୍‌ ଅବତରଣ ବେଳେ ବି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.