ରାଜ୍ୟ ଅଭିଲେଖାଗାରରେ ସଂସ୍କୃତି ଚର୍ଚ୍ଚା
ଡ. ମହତାବ ଥିଲେ ରାଷ୍ଟ୍ରନେତା
ଭୁବନେଶ୍ୱର ୨୭-୧୧-୨୦୨୪ (ପିପିଏସ) : ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଆଜି ୮୦ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ “ଓଡ଼ିଆ ଅସ୍ମିତାର ଅନ୍ୟତମ ବିନ୍ଧାଣି ଡ଼ଃ ହରେକୃଷ୍ଣ ମହତାବ” ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ନିଜର ଅଭିଭାଷଣରେ ସେ ଗଡ଼ଜାତ ରାଜ୍ୟର ମିଶ୍ରଣ ଓ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବାରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଡ଼ଃ ହରେକୃଷ୍ଣ ମହତାବ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଭାବରେ ନୁହେଁ ବରଂ ଜଣେ ସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ, ଦକ୍ଷପ୍ରଶାସକ ଓ ସଂସ୍କୃତି ସଂମ୍ପନ୍ନ ବ୍ୟକ୍ତି ଭାବରେ ସର୍ବଭାରତୀୟ ସ୍ତରରେ ସୁପରିଚିତ। ଦେଶର ସ୍ୱାଧୀନତା ସଂଗ୍ରାମ, ବିଭିନ୍ନ ଗଡ଼ଜାତରାଜ୍ୟର ମିଶ୍ରଣ ଓ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢିତୋଳିବାରେ ଡ଼ଃ ମତତାବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏଥିସହ ଜଣେ ସାହିତ୍ୟିକ ଭାବରେ ତାଙ୍କ ସାହିତ୍ୟ ସର୍ଜନାରେ ଓଡ଼ିଆ ଅସ୍ମିତା ପ୍ରସ୍ଫୁଟିତ ହୋଇ ଉଠିଥିଲା।
ପ୍ରଜାତନ୍ତ୍ର ସମ୍ବାଦପତ୍ର ଠାରୁ ଆରମ୍ଭ କରି ମୀନାବଜାର, ପ୍ରତିଭା, ଗାଁ ମଜଲିସ ଆଦି ଅସରନ୍ତି ସାହିତ୍ୟ କୃତିର ସାରସ୍ୱତ ସ୍ରଷ୍ଟା ହେଉଛନ୍ତି ଡ଼ଃ ହରେକୃଷ୍ଣ ମହତାବ। ଆମେ ସମସ୍ତେ ତାଙ୍କ ଜୀବନୀରୁ ଅନୁପ୍ରାଣିତ ହୋଇ ଦେଶ ଓ ସମାଜର ଉନ୍ନତି ପାଇଁ ମିଳିମିଶି କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ଼. ଶେଖସୋଲେମାନ୍ ଅଲ୍ଲୀ ସ୍ୱାଗତଭାଷଣ ପ୍ରଦାନ କରିଥିଲେ ଏବଂ ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅଧିକାରୀ, ସାହିତ୍ୟିକ, ଐତିହାସିକ ଏବଂ ବିଭିନ୍ନ ବର୍ଗରୁ ଆସିଥିବା ଶ୍ରୋତାଗଣମାନେ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ, ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ଓଡ଼ିଶା ରାଜ୍ୟ ଅଭିଲେଖାଗାର ତରଫରୁ କରାଯାଇଥିବା ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିମାନେ ମହତାବଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ବନ୍ଧରେ ଅବଗତ ହେବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି।