ଶିକ୍ଷକ ନିଯୁକ୍ତି ନେଇ ଅଭିନବ ପ୍ରତିବାଦ: ରାସ୍ତାରେ ପଢ଼ିଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର ବ୍ଲକ ଅଧୀନ ଲିଙ୍ଗିପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍ରେ ଅନ୍ୟତ୍ର ପଠାଯିବାକୁ କେନ୍ଦ୍ର କରି ଅଭାବନୀୟ ପରିସ୍ଥିତି ଦେଖାଦେଇଛି।
ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ଭୁବନେଶ୍ୱର ବ୍ଲକ ଅଧୀନ ଲିଙ୍ଗିପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍ରେ ଅନ୍ୟତ୍ର ପଠାଯିବାକୁ କେନ୍ଦ୍ର କରି ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ଗ୍ରାମବାସୀ ଏବଂ ଅଭିଭାବକମାନେ ବିଦ୍ୟାଳୟରେ ଖାଲି ପଡ଼ିଥିବା ହିନ୍ଦୀ, ସଂସ୍କୃତ ଶିକ୍ଷକ ନିଯୁକ୍ତି ଏବଂ ଡେପୁଟେସନ୍ରେ ପଠାଯାଇଥିବା ଶିକ୍ଷୟିତ୍ରୀଙ୍କ ସ୍ଥାନରେ ଆଉ ଜଣେ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି କରିବା ଦାବିରେ ଆଜି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା ପୂର୍ବରୁ ଅଭିଭାବକ, ଗ୍ରାମବାସୀ ଏବଂ ସ୍କୁଲ ପରିଚାଳନା କମିଟି କାର୍ଯ୍ୟକର୍ତ୍ତାମାନେ ସ୍କୁଲ ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦେଇଥିଲେ। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ କାହାକୁ ଶ୍ରେଣୀକୁ ଛାଡ଼ିନଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଣ୍ଣପ୍ରଭା ମେକାପ ପିଲାଙ୍କୁ ଶ୍ରେଣୀଗୃହକୁ ଛାଡ଼ିବାକୁ କହିଥିଲେ ହେଁ ଉତ୍ତ୍ୟକ୍ତ ଲୋକେ କିଛି ଶୁଣିନଥିଲେ।
ଦାବି ପୂରଣ ନହେବା ଯାଏ ସେମାନେ କାହାରିକୁ ବିଦ୍ୟାଳୟ ଭିତରକୁ ଯିବାକୁ ଦେବେ ନାହିଁ କହି ପ୍ରବଳ ହୋ ହଲ୍ଲା କରିଥିଲେ। ତେଣୁ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ପାଠ ପଢ଼ିଥିଲେ। ପ୍ରତିଦିନ ଭଳି ଶିକ୍ଷକ ବିଭିନ୍ନ ଶ୍ରେଣୀର ପିଲାଙ୍କୁ ରାସ୍ତାରେ ରୁଟିନ ଅନୁସାରେ ପାଠ ପଢ଼ାଇବାକୁ ବାଧ୍ୟ ହୋଇଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବଡ଼ କଥା ହେଉଛି ଛାତ୍ରଛାତ୍ରୀମାନେ ଶିକ୍ଷକ ନିଯୁକ୍ତ ନହେବା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବର୍ଜନ କରିବେ ବୋଲି ଅଡ଼ି ବସିଥିଲେ। ଖବର ପାଇ ସିଆର୍ସିସି ଈଶ୍ୱର ନାୟକ ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ। ଖୁବ୍ଶୀଘ୍ର ଶିକ୍ଷକ ନିଯୁକ୍ତି କରାଯିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପିଲାମାନେ ଶ୍ରେଣୀକୁ ଯିବା ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଅପରପକ୍ଷରେ ଯଦି କର୍ତ୍ତୃପକ୍ଷ ତୁରନ୍ତ ଶିକ୍ଷକ ନିଯୁକ୍ତି ନେଇ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମମତା ଦାଶ ଏବଂ ଉପସଭାପତି ବିଚିତ୍ରାନନ୍ଦ ରାଉତ କହିଛନ୍ତି।
ସୂଚନା ଅନୁସାରେ ଲିଙ୍ଗିପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୪ ଜଣ ପିଲା ପାଠ ପଢ଼ୁଥିବା ବେଳେ ମୋଟ ୭ ଜଣ ଶିକ୍ଷକ ନିଯୁକ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଶିଶୁପାଳଗଡ଼ ଡେପୁଟେସନ୍ରେ ପଠାଯାଇଛି। ସେହିପରି ୨୦୧୯ ମସିହାରୁ ଖାଲି ପଡ଼ିଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବି ପୂରଣ କରାଯାଉ ନଥିବାରୁ ଅନ୍ୟ ଶିକ୍ଷକମାନେ ଏସବୁ କ୍ଲାସରେ ପାଠ ପଢ଼ାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି।