ବିରୋଧୀ ଦଳର ସବୁ ପ୍ରଶ୍ନର ଜବାବ ଦେବୁ: ବିଜେପି

ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀ ପୁଳାପୁଳା ପ୍ରସଙ୍ଗ ଧରି ବସିଛନ୍ତି। ବିଧାନସଭାକୁ ଚଳାଇ ନ ଦେବାକୁ ବିରୋଧୀଙ୍କ

ଭୁବନେଶ୍ୱର ୨୬-୧୧-୨୦୨୪ (ପିପିଏସ) : ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀ ପୁଳାପୁଳା ପ୍ରସଙ୍ଗ ଧରି ବସିଛନ୍ତି। ବିଧାନସଭାକୁ ଚଳାଇ ନ ଦେବାକୁ ବିରୋଧୀଙ୍କ ପାଖରେ ପ୍ରସଙ୍ଗର ଅଭାବ ନଥିବାବେଳେ ବିରୋଧୀଙ୍କ ସବୁ ପ୍ରଶ୍ନର ତଥ୍ୟଭିତ୍ତିକ ଜବାବ ଦେବାକୁ ଶାସକ ଦଳ ପ୍ରସ୍ତୁତି କରୁଛି। ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତି ହୋଇଛି।

ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବିଧାୟକ ଉପସ୍ଥିତ ଥିଲେ। ବୈଠକରେ ବିରୋଧୀ ବିଜେଡି ଓ କଂଗ୍ରେସ କେଉଁ କେଉଁ ପ୍ରସଙ୍ଗ ଉଠାଇବେ, ଏହାର କିପରି ମୁକାବିଲା କରାଯିବ, କେଉଁ ବିଧାୟକମାନେ ଏହାର ଜବାବ୍ କିପରି ତଥ୍ୟଭିତ୍ତିକ ଭାବେ ଉତ୍ତର ରଖିବେ ସେନେଇ ଆଲୋଚନା ହୋଇଛି। ବିରୋଧୀ ଯେଉଁ ସମ୍ଭାବ୍ୟ ପ୍ରାୟ ୨୦ଟି ପ୍ରସଙ୍ଗ ଉଠାଇପାରନ୍ତି ତାହା ଉପରେ କେଉଁ କେଉଁ ବିଧାୟକ ଜବାବ ରଖିବେ ସେନେଇ ପ୍ରସ୍ତୁତ ହେବାକୁ ବିଧାୟକମାନଙ୍କୁ ଦାୟିତ୍ବ ବଣ୍ଟାଯାଇଛି।

ବିଧାୟକ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଶୀତ ଅଧିବେଶନ ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିରୋଧୀ ଦଳ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ତାକୁ ସାମ୍ନା କରିବୁ ଏବଂ ଉଚିତ ଜବାବ ଦେବୁ। ଏହାସହ ଗତ ୫ମାସରେ ଆମ ସରକାର ଯେଉଁ ସଫଳତା ପାଇଛି, ରାଜ୍ୟବାସୀଙ୍କ ପାଇଁ ଯେଉଁ ଉନ୍ନତିମୂଳକ କାମ ହୋଇଛି ତାହାକୁ ବି ଉପସ୍ଥାପନ କରିବୁ। ସୁଭଦ୍ରାରେ ଆମେ ୮୦ଲକ୍ଷ ମହିଳାଙ୍କୁ ସାମିଲ୍ କରିଛୁ। ରାଜ୍ୟର ସବୁଠୁ ବଡ଼ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇବୁ। ସେହିପରି ଆଇନଶୃଙ୍ଖଳା ଏକ ପ୍ରସଙ୍ଗ ନୁହେଁ, ପୂର୍ବ ସରକାରରେ ଯେଭଳି ସ୍ଥିତି ସୃଷ୍ଟି ହୋଇଥିଲା ତାହା ଏବେ ନାହିଁ।

Leave A Reply

Your email address will not be published.