‘ଓଡ଼ିଶାର ଇତିହାସରେ ହରେକୃଷ୍ଣ ମହତାବଙ୍କ କୃତିତ୍ଵ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ’
ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, କୂଟନୀତିଜ୍ଞ, ଐତିହାସିକ ଏବଂ ଲୋକପ୍ରିୟ ଜନନେତା ଥିଲେ ଡ଼ଃ ହରେକୃଷ୍ଣ ମହତାବ। ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ଵକର୍ମା ଭାବେ ସେ ସ୍ଵତନ୍ତ୍ର ପରିଚୟର ଅଧିକାରୀ ମଧ୍ୟ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏହା କହିଛନ୍ତି।
ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ଓଡ଼ିଶାର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଇତିହାସରେ ଡ଼ଃ ହରେକୃଷ୍ଣ ମହତାବଙ୍କ କୃତିତ୍ଵ, ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ଏକାଧାରାରେ ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, କୂଟନୀତିଜ୍ଞ, ଐତିହାସିକ ଏବଂ ଲୋକପ୍ରିୟ ଜନନେତା। ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ଵକର୍ମା ଭାବେ ସେ ସ୍ଵତନ୍ତ୍ର ପରିଚୟର ଅଧିକାରୀ ମଧ୍ୟ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏହା କହିଛନ୍ତି। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ଯ ଏବଂ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ମହାନ ଜନନାୟକ ‘ଉତ୍କଳ କେଶରୀ’ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସ୍ମରଣ ଉତ୍ସବର ତୃତୀୟ ଦିବସରେ ଯୋଗଦେଇ ଶ୍ରୀ ମାଝୀ ଏହା କହିଛନ୍ତି।
ରାଉରକେଲା ଷ୍ଟିଲ ପ୍ଳାଣ୍ଟ, ହୀରାକୁଦ ବନ୍ଧ, ଭୁବନେଶ୍ବର ରାଜଧାନୀ, ରାଜଭବନ ନିର୍ମାଣ, ଓଡ଼ିଶା ସାହିତ୍ୟ ଏକାଡେମି ପ୍ରତିଷ୍ଠା, ରାଜ୍ୟ ସଂଗ୍ରହାଳୟ, ଲଳିତ କଳା ଏକାଡେମି, ରବୀନ୍ଦ୍ର ମଣ୍ଡପ, ଆକାଶବାଣୀ କଟକ, ହାଇକୋର୍ଟ ପ୍ରତିଷ୍ଠା, ବିଦ୍ଯାଧରପୁର ଧାନ ଗବେଷଣା କେନ୍ଦ୍ର ଇତ୍ୟାଦି ହେଉଛି ଡ଼ଃ ହରେକୃଷ୍ଣ ମହତାବଙ୍କ ଅବଦାନ।
–ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଆମ ସରକାର ସ୍ବର୍ଗତଃ ମହତାବ୍ଙ୍କ ଅବଦାନର ପ୍ରଚାର ପ୍ରସାରକୁ ଗୁରୁତ୍ଵ ଦେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ଜାତୀୟ ସ୍ତରରେ ମହତାବଙ୍କ ଜୟନ୍ତୀ ପାଳନ କରାଯାଇଛି। ଜଣେ ଆଦର୍ଶ ବରପୁତ୍ର ହିସାବରେ ଡ଼ଃ ମହତାବଙ୍କ ଏ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନିତ କରିବା ସହ ଓଡ଼ିଶାର ଜନମାନସରେ ତାଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ’ ବାୟୋପିକ’ ନିର୍ମାଣ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି।
ଆଗାମୀ ଦିନରେ ଏଭଳି ଅନେକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ‘ନୂଆ ଓଡ଼ିଶା ଏବଂ ସମୃଦ୍ଧ ଓଡ଼ିଶା’ ନିର୍ମାଣକୁ ସାକାର କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏହା ହିଁ ହେବ ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଅବଦାନ ପ୍ରତି ଉପଯୁକ୍ତ ସମ୍ମାନ ବୋଲି ଶ୍ରୀ ମାଝୀ କହିଛନ୍ତି।