ବାଣୀବିହାର ଜମି ଠିକ୍ ଅଛି ତ? ଏପର୍ଯ୍ୟନ୍ତ ଚିହ୍ନଟ ହେଲାନି ୩୯୯ ଏକର
୩୯୮.୯୮ ଏକର ଜମିରେ ଛିଡ଼ା ହୋଇଛି ଉତ୍କଳ ବିଶ୍ବବିଦ୍ୟାଳୟ। କାଗଜପତ୍ରରେ ଏଭଳି ତଥ୍ୟ ରହିଛି। ସମସ୍ତେ ମଧ୍ୟ ଜାଣିଛନ୍ତି। ତେବେ ରାଜସ୍ୱ ବିଭାଗର ଭୂଲେଖରେ ଦର୍ଶାଯାଇଛି ଯେ ବିଶ୍ୱବିଦ୍ୟାଳୟର ୩୫୯ ଏକର ଜମି ରହିଛି।
ଭୁବନେଶ୍ୱର ୦୯-୧୧-୨୦୨୪ (ପିପିଏସ ) : ୩୯୮.୯୮ ଏକର ଜମିରେ ଛିଡ଼ା ହୋଇଛି ଉତ୍କଳ ବିଶ୍ବବିଦ୍ୟାଳୟ। କାଗଜପତ୍ରରେ ଏଭଳି ତଥ୍ୟ ରହିଛି। ସମସ୍ତେ ମଧ୍ୟ ଜାଣିଛନ୍ତି। ତେବେ ରାଜସ୍ୱ ବିଭାଗର ଭୂଲେଖରେ ଦର୍ଶାଯାଇଛି ଯେ ବିଶ୍ୱବିଦ୍ୟାଳୟର ୩୫୯ ଏକର ଜମି ରହିଛି। ଅର୍ଥାତ୍ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ୪୦ ଏକର ଜମି ନାହିଁ। ୨୦୧୮ରେ ବାଣୀବିହାର କ୍ୟାମ୍ପସ ଭିତରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସମ୍ପ୍ରସାରିତ କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ସମୟରେ ଏଭଳି ତଥ୍ୟ ପଦାକୁ ଆସିଥିଲା। ବିଧାନସଭାରେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ୪୦ ଏକର ଜମି କୁଆଡ଼େ ଗଲା? ମାଫିଆ ନେଇଗଲେ କି? ନା କିଏ ତଞ୍ଚକତା କରି ହଡ଼ପ କରିଦେଲେ?
ଇତିମଧ୍ୟରେ ରାଜ୍ୟରେ ସରକାର ବଦଳିଗଲାଣି। କୁଳପତିଙ୍କ କାର୍ଯ୍ୟକାଳ ମଧ୍ୟ ସରିବାକୁ ବସିଲାଣି। ତା’ସତ୍ତ୍ବେ ମଧ୍ୟ ୨୦୧୮ରେ ଉଠିଥିବା ଏମିତି ସବୁ ପ୍ରଶ୍ନ ଉପରୁ ଏପର୍ଯ୍ୟନ୍ତ ପରଦା ହଟି ନାହିଁ। ପୂର୍ଣ୍ଣାଙ୍ଗ ଜମି ଅଛି କି ନାହିଁ ତାହାର କେହି ଖୋଜ ଖବର କରୁ ନାହାନ୍ତି। ବରଂ ଚାରିପାଖ ପାଚେରୀ ବୁଲେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚୁପ୍ ବସିପଡ଼ିଛନ୍ତି। ମାପଚୁପ କରୁନାହାନ୍ତି କି ୩୯୯ ଏକର ଜମି ଚିହ୍ନଟ କରୁନାହାନ୍ତି। ପରିଣାମସ୍ବରୂପ ବାଣୀବିହାର ଜମିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। କ୍ୟାମ୍ପସ ଭିତରେ ଜମି ଥିବା ନେଇ ଜଣଙ୍କ ପରେ ଜଣେ ବ୍ୟକ୍ତିବିଶେଷ ଦାବି କରିଛନ୍ତି। ଏହାରି ଭିତରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏକ ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରିବାକୁ ୪ ଏକର ଜମି ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସବୁଜ ସଙ୍କେତ ଦେଇ ନଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ୨୦୧୮ ମସିହା ବିବାଦ ପରେ ମଧ୍ୟ ବାଣୀବିହାର ଜମି ଉପରୁ ବିଭାଗୀୟ ଅଧିକାରୀଙ୍କ ଲୋଲୁପ ଦୃଷ୍ଟି କାହିଁକି ହଟୁନାହିଁ ବୋଲି ତାହାକୁ ନେଇ ଶିକ୍ଷାବିତ୍ମାନେ ପ୍ରଶ୍ନ ଉଠାଇଛନ୍ତି।
ଏପର୍ଯ୍ୟନ୍ତ ଚିହ୍ନଟ ହେଲାନି ୩୯୯ ଏକର
ଖଣ୍ଡ ଖଣ୍ଡ କରି ନେଇଯିବାକୁ ମସୁଧା
ପାଚେରି ବୁଲାଇ କାମ ସାରିଦେଲେ
ଏକ ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ
ବାଣୀବିହାର ଜମି ଜବରଦଖଲ ନେଇ ବିଧାନସଭାରେ ଉଠିଥିବା ଏକ ପ୍ରଶ୍ନର ଉତ୍ତରରେ ୨୦୧୮ରେ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ଯେ ୩୦ ଏକର ଜମି ଜବରଦଖଲରେ ରହିଛି। ବିଶ୍ୱବିଦ୍ୟାଳୟର ପୂର୍ବ ପାର୍ଶ୍ୱ ତଥା ପଥରବନ୍ଧ ବସ୍ତି ନିକଟରେ ୧୫ ଏକର, ଉତ୍ତର ପାର୍ଶ୍ୱ ତଥା ଲକ୍ଷ୍ମୀବିହାର ଅଞ୍ଚଳରେ ୮ ଏକର ଏବଂ ଦକ୍ଷିଣ ପାର୍ଶ୍ୱ ତଥା ଜାତୀୟ ରାଜପଥ-୧୬ ନିକଟରେ ୭ ଏକର ଜମି ଜବରଦଖଲ ହୋଇଛି। ବସ୍ତିବାସିନ୍ଦା, ସାଧାରଣ ଲୋକେ ବହୁବର୍ଷ ଧରି ଏହି ଜମିକୁ ଜବରଦଖଲ କରି ରଖିଥିବା ନେଇ ମଧ୍ୟ ତଥ୍ୟ ମିଳିଥିବା ସୂଚନା ଦେଇଥିଲେ। ଇତିମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ହଟାଇବା ଦିଗରେ ପୂର୍ବ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ। କୁଳପତି ପରେ କୁଳପତି ବଦଳୁଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ଖାତାକୁ ଫେରିପାରୁନି ଜମି। ଜବରଦଖଲ ତ ହଟିପାରୁନି, ବରଂ ଦିନକୁ ଦିନ ଜମି ମାଫିଆମାନେ ମଧ୍ୟ ନିଜର କର୍ତ୍ତୃତ୍ୱ ବଢ଼ାଇ ଚାଲିଛନ୍ତି। ତିନିବର୍ଷ ତଳେ ପୁରୁଣା ପାଚେରିକୁ ଭାଙ୍ଗି କର୍ତ୍ତୃପକ୍ଷ ନୂଆ ବୁଲାଇ ଦେଇଥିଲେ ମଧ୍ୟ ଜମି ମାପଚୁପ କରିଲେ ନାହିଁ। ପୂର୍ବତନ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସମୟରେ ୪୦ ଏକର ଜମି କମ୍ ରହିଥିବା ସମ୍ପର୍କରେ ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ଜମି ନେଇ ସେତେବେଳେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବାଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହୋଇଥିଲା। ଜମି ଚିହ୍ନଟ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଏମ୍ସି ଓ ବିଡିଏକୁ ବାରମ୍ବାର ଅନୁରୋଧ ମଧ୍ୟ କରିଥିଲେ। ମାତ୍ର ତାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇ ନାହିଁ। ସୂଚନା ଅନୁଯାୟୀ ୨୦୧୮ ମସିହାରେ ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ ପାଇଁ ୩୦ ଏକର ଜମି ଚିହ୍ନଟ କରିବାକୁ ଉଚ୍ଚଶିକ୍ଷା ବିଭାଗ ଚିଠି ଦେବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇଥିଲା। ପ୍ରସ୍ତାବକୁ ଛାତ୍ରଛାତ୍ରୀ, ପ୍ରଫେସର, କର୍ମଚାରୀ ପ୍ରବଳ ବିରୋଧ କରିଥିଲେ। ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏତେ ଚାପ ହୋଇଥିଲା ସେ ଉତ୍କଳର ଜମି ରମାଦେବୀକୁ ଦେବା ନିଷ୍ପତ୍ତିରୁ ରାଜ୍ୟ ସରକାର ଓହରିଥିଲେ।