ଅବକାରୀ ବିଭାଗ ନିଷ୍କ୍ରିୟ! ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ
ମଦ ଯୋଗୁଁ ସମାଜ ଆଜି ବାଟବଣା ହେବାକୁ ଲାଗିଲାଣି। ଯୁବପିଢି ବିପଥଗାମୀ ହେବାରେ ଲାଗିଛନ୍ତି। ଘର ସଂସାର ଉଜୁଡିବାରେ ଲାଗିଛି। ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ମହିଳାମାନେ ପ୍ରତ୍ୟକ ଦିନ ନିର୍ଯାତିତ ହେବାରେ ଲାଗିଛନ୍ତି।
ଘୁ.ଉଦୟଗିରି/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ସମାଜରେ ମଦ ଯୋଗୁଁ ବ୍ୟାପକ କ୍ଷତି ହେଉଥିବା ବେଳେ ରାଜ୍ୟ ସରକାର ଏହାର ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରୁ ନଥିବା ଅଭିଯୋଗ ହେଉଛି। ମଦ ଯୋଗୁଁ ସମାଜ ଆଜି ବାଟବଣା ହେବାକୁ ଲାଗିଲାଣି। ଯୁବପିଢି ବିପଥଗାମୀ ହେବାରେ ଲାଗିଛନ୍ତି। ଘର ସଂସାର ଉଜୁଡିବାରେ ଲାଗିଛି। ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ମହିଳାମାନେ ପ୍ରତ୍ୟକ ଦିନ ନିର୍ଯାତିତ ହେବାରେ ଲାଗିଛନ୍ତି। ସବୁ ବିଷୟକୁ ହୃଦୟଙ୍ଗମ କରି ସ୍ଥାନୀୟ ସହରର ୧ନଂ ୱାର୍ଡ ସ୍ଥିତ ପଦାସାହିର ମହିଳା ଗୋଷ୍ଠୀ ଏକତ୍ରିତ ହୋଇ ମଦ ସମାଜ ପାଇଁ ହାନିକାରକ ଓ ଏହାରକୁ ପ୍ରଭାବ ଯୋଗୁଁ ସବୁବେଳେ ସବୁ କ୍ଷେତ୍ରରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି ବୋଲି କହିଛନ୍ତି। ଏହାକୁ ପ୍ରତିହତ କରିବାକୁ ପଡିବ ମଦ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିବ ବୋଲି କହିଛନ୍ତି। ଏଣୁ ବୈଠକ ଆୟୋଜନ କରି ସାହି ବାସିନ୍ଦାଙ୍କ ସହଯୋଗ କାମନା କରି ମଦ ଅଭିଯାନ ଆରମ୍ଭ କରି ସେଇ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ସମସ୍ତ ମଦ ବ୍ୟବସାୟୀଙ୍କୁ ଗତକାଲି ବୁଲିବୁଲି ତାଗିଦ କରିଥିଲେ।
ମଦ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଅନ୍ୟ ପେସା ଆପଣେଇବାକୁ ପ୍ରବର୍ତ୍ତାଇ ଥିଲେ।ପୁଣି ଆଜି ଏହି ମହିଳା ଗୋଷ୍ଠୀ ହାତରେ ଠେଙ୍ଗା ବାଡ଼ି ଧରି ସାରା ଅଞ୍ଚଳ ବୁଲି ବୁଲି ମଦ କେଉଁଠି ପ୍ରସ୍ତୁତ ହେଉଛି ଖୋଜି ଖୋଜି ମହୁଲ ପୋଚ ପଡିଥିବା ସ୍ଥାନ ଠାବ କରି ସମସ୍ତ ମହୁଲ ପୋଚ ନଷ୍ଟ କରିବା ସହ ଏକାଧିକ ପ୍ଲାଷ୍ଟିକ ବେରେଲ ମଦ ରୋଷେଇରେ ବ୍ୟବହୃତ ସରଞ୍ଜାମ ସାଙ୍ଗରେ ଆଣି ରାଜରାସ୍ତାରେ ରଖିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।
ଯେଉଁଠି ଅବକାରୀ ବିଭାଗ ପହଞ୍ଚି ପାରୁନି ସେଠି ମହିଳା ଗୋଷ୍ଠୀ ପହଞ୍ଚି ମଦ ବନ୍ଦ କରିବା ପ୍ରୟାସ ନିଶ୍ଚିତ ପକ୍ଷେ ପ୍ରଶଂସନୀୟ। କନ୍ଧମାଳ ଜିଲ୍ଲାରେ ସରକାରୀ ଦେଶୀ ମଦ ବିକ୍ରି ଅନୁମତି ନଥିବା ବେଳେ ସାହି ଗଳି କନ୍ଦିରେ ଦେଶୀ ମହୁଲି ମଦ ଅବାଧରେ ବିକ୍ରି ଚାଲିଛି। କହିବାକୁ ଗଲେ ଦେଶୀ ମହୁଲି ମଦ ସ୍ଥାନୀୟ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ କୁଟୀରରେ ପରିଣତ ହୋଇସାରିଲାଣି, ଯାହାକୁ ପ୍ରତିହତ କରିବା ପାଇଁ ମହିଳା ଗୋଷ୍ଠୀ ଅଣ୍ଟା ଭିଡ଼ିବା ପରେ ଏହି ପ୍ରଭାବ ଅନ୍ୟ ଅଞ୍ଚଳରେ ପଡିବା ସ୍ୱାଭାବିକ। ଆଗକୁ ମଦ ବନ୍ଦ ଅଭିଯାନ ବ୍ୟାପକ ହେବା ନେଇ ଆଶା କରାଯାଉଛି।