ପ୍ରଧାନଶିକ୍ଷୟିତ୍ରୀ ସ୍କୁଲରେ ଛାତ୍ରଙ୍କୁ ଘାସ କଟାଇବା ଘଟଣା
ଥାନାରେ ଏତଲା ସହ ଜିଲାପାଳଙ୍କ ନିକଟରେ ଅଭିଯୋଗ ଜିଲା ଶିକ୍ଷା ଅଧିକାରୀଙ୍କ ତଦନ୍ତ ନିର୍ଦେଶ
କଟକ, ୦୨-୧୧-୨୦୨୪(ପିପିଏସ) : ଛାତ୍ରଛାତ୍ରୀଙ୍କୁ ପାଠପଢାଇବା ପରିବେର୍ତ୍ତ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଯଦି କୌଣସି ଛାତ୍ରଛାତ୍ରୀ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ମାଡ଼ ମରାଯାଉଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ଅକଥନୀୟ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। ଏପରିକି ସେ ନିଜ ସ୍ବାମୀଙ୍କ ସହାୟତାରେ ଅଭିଭାବକଙ୍କୁ ଧମକ ମଧ୍ୟ ଦେଉଥିବା ଅଭିଯୋଗ ଉଠିଛି। ବାଲୁଙ୍କେଶ୍ବର ନୋଡାଲ ବିଦ୍ୟାପୀଠରେ ଏଭଳି ଘଟିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକାଳାପକୁ ନେଇ ଅଭିଭାବକ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଅଭିଭାବକମାନେ ଏନେଇ ଓ ଥାନାରେ ଏତଲା ଦେବା ସହ ଜିଲାପାଳ ଏବଂ କଟକ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ଆଧାରରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଡିଇଓ ଡ. ସନ୍ତୋଷ କୁମାର ରାଉତଙ୍କୁ ତଦନ୍ତ ପାଇ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଜିଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଥିବା ଡିଇଓ ଶ୍ରୀ ରାଉତ କହିଥିବାବେଳେ ଯଦି ଅଭିଯୋଗର ସତ୍ୟତା ପ୍ରମାଣିତ ହୁଏ, ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଅଭିଯୋଗ ମୁତାବକ, କଳପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଉଳିସ୍ଥିତ ବାଲୁଙ୍କେଶ୍ବର ନୋଡାଲ ବିଦ୍ୟାପୀଠରେ ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପଢୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସୁଲୋଚନା ଦାଶ ଯେଉଁଦିନ ଠାରୁ ଏହି ସ୍କୁଲର କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ସେବେଠାରୁ ବିଦ୍ୟାଳୟରେ ବିଶୃଙ୍ଖଳା, ଦାୟିତ୍ବ ହୀନତା, ଦଳୀୟ ରାଜନୀତି, ଜାତିଆଣ ଭେଦଭାବ, ବେଆଇନ ଭାବେ ପଇସା ଆଦାୟ, ପିଲା ମାନଙ୍କୁ ଘାସ ଓପାଡ଼ିବା ପରି କାମ ରେ ନିଯୋଜନ ଏମିତି ଅନେକ ଘଟଣା ଘଟୁଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁ ରେ ଏପର୍ଯ୍ୟନ୍ତ ବେଣ୍ଟକାର ଥାନା ରେ ତିନି ତିନି ଥର ଅଭିଯୋଗ ମଧ୍ୟ ହୋଇଛି । ଏଥି ସହିତ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପାଠ ପଢ଼ା ବନ୍ଦ କରି ନିଜସ୍ବ ଗୁଲିଖଟି, ଦଳୀୟ ରାଜନୀତି କରୁଛନ୍ତି। ଯାହା ଫଳରେ ବିଗତ ତିନିବର୍ଷ ହେବ ବିଦ୍ୟାଳୟର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଅନ୍ୟ ସ୍କୁଲ ତୁଳନାରେ କମ୍ ମାର୍କ ସହିତ ଫେଲ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ପୂର୍ବରୁ ଶ୍ରୀମତୀ ଦାଶଙ୍କ ସହିତ ତାଙ୍କର ପୁରୁଷ ବନ୍ଧୁ ବିଦ୍ୟାଳୟକୁ ଆସି ପିଲା ମାନଙ୍କୁ ଘାସ ବାଛିବା, ମାଟି ଖୋଳିବା କାମ କରାଇବା ସହ ମାଡ଼ ମଧ୍ୟ ମାରୁଥିଲେ । । ଏପରି ବିଷାକ୍ତ ପରିବେଶ ହେତୁ ସ୍କୁଲ ର ଛବି ଖରାପ ହେବା ସହିତ ପିଲା ମାନେ ମଧ୍ୟ ସ୍କୁଲ ଯିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଦାଶ ଙ୍କୁ ଅନ୍ୟତ୍ର ବଦଳି କରାଇ ନୂତନ ନିଯୁକ୍ତି ପାଇଁ ଦାବି ହୋଇଛି।