ପାଳନ ହେଉନି ଏନ୍‌ଜିଟିଙ୍କ ନିର୍ଦ୍ଦେଶନାମା

ମହାନଦୀ ଓ କାଠଯୋଡି ନଦୀ ଶଯ୍ୟା ସୁରକ୍ଷା ପାଇଁ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ନଦୀଶଯ୍ୟା ଓ ବାଲିଯାତ୍ରା ପଡ଼ିଆରେ କୁଢ଼କୁଢ଼ କଂକ୍ରିଟ୍‌ ଆବର୍ଜନା ଗଦାଇ ଦିଆଯାଉଛି।

କଟକ/୨୮-୧୦-୨୦୨୪ (ପିପିଏସ) : ମହାନଦୀ ଓ କାଠଯୋଡି ନଦୀ ଶଯ୍ୟା ସୁରକ୍ଷା ପାଇଁ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ନଦୀଶଯ୍ୟା ଓ ବାଲିଯାତ୍ରା ପଡ଼ିଆରେ କୁଢ଼କୁଢ଼ କଂକ୍ରିଟ୍‌ ଆବର୍ଜନା ଗଦାଇ ଦିଆଯାଉଛି। ଏହା ସମ୍ପୂର୍ଣ୍ଣ ବେଆଇନ ହୋଇଥିଲେ ବି ପୁଲିସ ଓ ପ୍ରଶାସନ ସବୁ ଜାଣି ନିରବଦ୍ରଷ୍ଟା ସାଜିଛି। ସହରର ରାସ୍ତାପାର୍ଶ୍ବ ଓ ନଦୀଶଯ୍ୟାରେ କଂକ୍ରିଟ୍‌ ଆବର୍ଜନା ପକାଇଲେ ପୌର ନିଗମ ଜରିମାନା ଆଦାୟ କରିବାକୁ ଘୋଷଣା କରଥିଲା। ମାତ୍ର ତାହା କେବଳ ଚେତାବନୀରେ ରହିଛି।  ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ନଦୀଶଯ୍ୟାରେ ବର୍ଜ୍ୟବସ୍ତୁ ପକାଇବା ବେଆଇନ। ନଦୀଶଯ୍ୟା ପ୍ରଦୂଷଣ ରୋକିବା କ୍ଷେତ୍ରରେ ପ୍ରଶାସନ ଯତ୍ନବାନ ରହିବ ବୋଲି ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶାବଳୀ ରହିଛି। ମାତ୍ର କଟକରେ ଏନ୍‌ଜିଟିଙ୍କ ଏହି କଟକଣା କାମ କରୁ ନାହିଁ। ପ୍ରତିଦିନ ମହାନଦୀ, କାଠଯୋଡ଼ି ନଦୀଶଯ୍ୟାରୁ ଆରମ୍ଭ କରି ବାଲିଯାତ୍ରା ପଡ଼ିଆରେ ବର୍ଜ୍ୟବସ୍ତୁ ପକାଯାଉଛି। ନଦୀଶଯ୍ୟାରେ କଂକ୍ରିଟ ଆବର୍ଜନା, ରାସ୍ତା ଖୋଳାରୁ ବାହାରୁଥିବା ପିଚୁ ଓ ମାଟି ଗଦାଇ ଦିଆଯିବା ଘଟରା ସହରବାସୀଙ୍କୁ ବ୍ୟଥିତ କରିଛି। ବିଶେଷ କରି କାଠଯୋଡ଼ିର ପୁରୀଘାଟ ଥାନା ନିକଟ ଦେବୀଗଡ଼ାରେ କଂକ୍ରିଟ୍‌ ଆବର୍ଜନା ଗଦା କରାଯାଉଛି। ଏଠାରେ ନଦୀକୂଳରେ ୬୦ ଫୁଟ ଓସାର ଓ ୨୦୦ ଫୁଟ ଲମ୍ବାରେ ଆବର୍ଜନା ପକାଯାଇଛି। ଏହାକୁ ଦଶହରା ପୂର୍ବରୁ ସମତଳ କରି ଦିଆଯାଇଛି। ସେହିପରି ବାଲିଯାତ୍ରା ପଡ଼ିଆର କ୍ୟାଣ୍ଟନମେଣ୍ଟ ପାର୍ଶ୍ବ ଅଞ୍ଚଳ ମହାନଦୀକୂଳରେ କଂକ୍ରିଟ ଆବର୍ଜନା ଗଦା କରାଯାଉଛି। ୨ଟି ନଦୀ କୂଳରେ କ୍ୟାଣ୍ଟେନମେଣ୍ଟ ଓ ପୁରୀଘାଟ ଥାନା ଥିଲେ ବି ଏହା ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନହେବା ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଓ ପୌର ନିଗମ ମଧ୍ୟ ସମ୍ପୂର୍ଣ୍ଣ ବେଫିକର ରହିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନାଥାଉକି, ମହାନଦୀ ଶଯ୍ୟାରେ ପ୍ରଦୂଷଣଜନିତ ବିପଦ ଥିବାରୁ ୨୦୧୬ରେ ତଳପଡ଼ିଆରେ ବାଲିଯାତ୍ରା ଆୟୋଜନ ଉପରେ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ କଟକଣା ଲଗାଇଥିଲେ। ନଦୀଶଯ୍ୟା ପ୍ରଦୂଷିତ ହେବ ନାହିଁ ବୋଲି ପ୍ରଶାସନ ସତ୍ୟପାଠ ଦେବା ପରେ ବାଲିଯାତ୍ରା ଆୟୋଜନ ହୋଇଥିଲା। ମାତ୍ର ଏବେ ପ୍ରଶାସନ ସେହି ସତ୍ୟପାଠକୁ ଭୁଲି ଯାଇଛି।

Leave A Reply

Your email address will not be published.