ନେଇଯିବ କି ଚାଷୀଙ୍କ ଦାନା
ଅଧା ପାଚିଲା ଫସଲ କୁ ଆଣିଲେ କିଛି ଚାଷୀ।
ଅସ୍ତରଙ୍ଗ,୨୩-୧୦-୨୦୨୪(ପିପିଏସ ) : ଦାନା ମାଡି ଆସୁଛି। ଚାଷୀଙ୍କ ବର୍ଷକର ଦାନା ଛଡାଇନେବ। ସମ୍ଭାବ୍ୟ ବାତ୍ୟା ଦାନା ଭୟରେ ଭୟଭୀତ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର ଚାଷୀକୂଳ। ଦାନା ଉଜାଡିବ ନେବ କି ସହ ସହ ହେକ୍ଟର ଜମିର ଫସଲ। ଏବେ ଦାନା ଚିନ୍ତାରେ ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ, ନଈଗୁଆଁ, କେନ୍ଦ୍ରାପଟି, ଛୁରିଆନା, ପାଟଳଦା, ଅନନ୍ତା ଏମିତି କେତେ କେତେ ଗାଁର ଚାଷୀକୂଳ। ମହାବାତ୍ୟା, ଫାଇଲିନି, ହୁଡହୁଡୁ, ତିତିଲ, ଫନି ଆଦି ବାତ୍ୟାରେ ବିପୁଳ କ୍ଷତି ସହିଥିବା ଏବଂ ଏ ଯାଏ ଅଣ୍ଟା ସଳଖି ପାରି ନଥିବା ଅସ୍ତରଙ୍ଗ ବ୍ଲକ ଅଂଚଳର ସଂଖ୍ୟାଧିକ ଚାଷୀଙ୍କୁ ଦାନା ଡରାଇଲାଣି। ଏହି କାରଣ ରୁ ଦାନା ପାଈଁ ଚାଷୀ ଚିନ୍ତିତ, ଭୟଭୀତ ବି। ଏବେ କେଉଁଠି ଧାନ ଗଛରେ ଥୋଡ଼ ବାହାରିଛି ତ ଆଉ କେଉଁଠି କିଛି ହୋଇନି। କେଉଁଠି ଧାନ କେଣ୍ଡା ବାହାରିଗଲାଣି ଆଉ କେଉଁଠି ଧାନ ଗଛ ଅଧା ପାଚିବା ଅବସ୍ଥାକୁ ଆସିଗଲାଣି। ଯାହା କୃଷକ ମାନଙ୍କ କହିବା ଅନୁଯାୟୀ ୫%ନୂଆ ଧାନ ଏ ଯାଏ ଅମଳ ବି ହୋଇ ପାରିନାହିଁ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୃଷି ବିଭାଗ ସୂଚନା ଅନୁସାରେ ଚଳିତ ବର୍ଷ ଅସ୍ତରଙ୍ଗ ବ୍ଲକରେ ୯୦୩୨ ହେକ୍ଟର ଜମିରେ ଖରିଫ ଧାନ ଫସଲ ହୋଇଛି। ସେଥି ମଧ୍ୟରୁ ୫୭୬୯ ହେକ୍ଟର ଖାଲୁଆ ଜମି ବୋଲି ରିପୋର୍ଟ ମିଳିଛି। ୧୩୮୨ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ ହୋଇଛି। ପବନ, ବର୍ଷା ହେଲେ ଏହି ଖାଲୁଆ ଚାଷ ଜମି ଅଧିକ ପ୍ରଭାବିତ ହେବ ବୋଲି ଆକଳନହୋଇଛି। ସମ୍ଭାବ୍ୟ ବାତ୍ୟା ଦାନା କୁ ଲକ୍ଷ୍ୟ ରଖି ଅସ୍ତରଙ୍ଗ ବ୍ଲକ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି। ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି ଙ୍କ ଆଦେଶ ଅନୁଯାୟୀ କୃଷି ଏବଂ ଉଦ୍ୟାନ କୃଷି ବିଭାଗ ଅଧିକାରି ମାନେ ଧାନ ଓ ପରିବା ଫସଲ ଚିଠା ପ୍ରସ୍ତୁତ କରିଛନ୍ତି। ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ, ଓସ୍ତପୁର, ଝାରିଆ ଅଂଚଳରେ ବାଇଗଣ, ଭେଣ୍ଡି, ମୂଳା, କାକୁଡି, ପୋଟଳ ଝୁଡ଼ଙ୍ଗ, ବିନ, ଧନିଆ, ବନ୍ଧା ଓ ଫୁଲ କୋବି ଆଦି ପରିବା ଚାଷ ହୋଇଥାଏ। ଏହି ଅଂଚଳର ସବୁଜ ପରିବା ଅସ୍ତରଙ୍ଗ, କୁଣ୍ଢେଇ, ନୟାହାଟ ଅଂଚଳ କୁ ପଠା ଯାଇଥାଏ। ବେଗୁନିଆବସ୍ତ ଗ୍ରାମର ଚାଷୀ ବାବୁରାମ ବରାଳ ଏଥର ୫ଏକର ରୁ ଉର୍ଦ୍ଧ ଜମିରେ କୋବି, ବାଇଗଣ ସହ ଅନ୍ୟାନ୍ୟ ଫସଲ ଚାଷ କରୁଥିଲେ।ବାତ୍ୟା ନା ଶୁଣିଲେ ଏବେ ଭୟ ଲାଗୁଥିବା କହିଛନ୍ତି।