ବାତ୍ୟା ‘ଦାନା’ର ପ୍ରାଶାସନିକ ପ୍ରସ୍ତୁତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ 

ଧାମନଗର ୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ ପଞ୍ଚାୟତ ସେମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସମ୍ଭାବ୍ୟ ବାତ୍ୟା ଦାନାକୁ ନଜର ରଖି ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଔଷଧ, ସାପକାମୁଡା ଇଞ୍ଜେକ୍‌ସନ୍‌, ଓଆରଏସ୍‌ଏସ୍, ବ୍ଲିଚିଂ ପାଉଡର ଓ ପଶୁମାନଙ୍କ ପାଇଁ ଗୋ-ଖାଦ୍ୟ ମହଜୁଦ୍ ରଖିବା ସହ ପ୍ରତି ସବ ସେଣ୍ଟର ଏବଂ ପଞ୍ଚାୟତକୁ ପଠାଇବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଜନସାଧାରଣଙ୍କୁ ଯୋଗାଇବା ସହ ପଂଚାୟତ ମାନଙ୍କରେ ବସୁଧା ଯୋଜନାରେ ଥିବା ପାଣି ଟାଙ୍କିରେ ପାଣି ସଂରକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦରଦାମ ଅହେତୁକ ବୃଦ୍ଧି ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗକୁ ତାଗିଦ କରିଥିଲେ। ବାତ୍ୟା ସମୟରେ ଗଛପଡି ରାସ୍ତା ଅବରୋଧ ହେଲେ ସଂଗେ ସଂଗେ ଅଗ୍ନିଶମ ବିଭାଗ ତରଫରୁ କଟର ସାହାଯ୍ୟରେ ରାସ୍ତା ଅବରୋଧ ହଟାଇବା ସହ ଗମନାଗମନର ସୁବିଧା କରିବା ପାଇଁ କହିଥିଲେ। ବିଦ୍ୟୁତ ବ୍ୟାହତ ଜନିତ ସମସ୍ୟା ଘଟିଲେ ୨ ଘଣ୍ଟା ମଧ୍ୟରେ ପୁନଃ ବିଦ୍ୟୁତ ସରବରାହ ପାଇଁ ଟାଟା ପାୱାର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଧାମନଗର ବ୍ଲକର ଅର୍ଜୁନପୁର, ହସନାବାଦ, ଭଟ୍ଟସାହି, ପାଳସାହି ଏବଂ ରଇପୁର ପଞ୍ଚାୟତ ବନ୍ୟା ପ୍ରବଣ ପାଇଁ ବ୍ଲକର ୫ ଟି ବାତ୍ୟା ଆଶ୍ରୟସ୍ଥଳରେ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଇଛି ବୋଲି ବିଡିଓ ପ୍ରକାଶ କରିଥିଲେ। ବ୍ଲକର ଧାମନଗର, ଅସୁରାଳି, ଦୋବଲ ଓ ଧୂଷୁରୀ ଆଦି ୪ ଟି ଜୋନରେ ଜୋନାଲ ଅଫିସର ସହ ୩୧ ଟି ପଞ୍ଚାୟତରେ ନୋଡାଲ ଅଫିସର ନିଯୁକ୍ତି ହୋଇଥିବା ସମ୍ପର୍କରେ ବିଡିଓ ସୂଚନା ଦେଇଥିଲେ। ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ୨୪ ଘଣ୍ଟିଆ ଉପସ୍ଥିତ ପାଇଁ ମନ୍ତ୍ରୀ ବ୍ଲକ ସହକାରୀ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ଭାବ୍ୟ ବନ୍ୟା ଅଞ୍ଚଳରେ ୫୦ ହଜାର ପାଣି ପାଉଚ ସହ ୧୦ ଟି ଟ୍ୟାଙ୍କରରେ ପାଣି ପ୍ରସ୍ତୁତ ଥିବା ଜନସ୍ବାସ୍ଥ୍ୟ ସହକାରୀ ଯନ୍ତ୍ରୀ ସୂଚନା ଦେଇଥିବା ବେଳେ ୩୪ ଜଣ ସହକର୍ମୀଙ୍କୁ ନେଇ ଏନଡିଆରଏଫ ଟିମ ପ୍ରସ୍ତୁତ ଥିବା ସମ୍ପୃକ୍ତ ଇନ୍ସପେକ୍ଟର ରାଜେନ୍ଦ୍ର ସିଂ ରାଣା ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ, ଉପାଧ୍ୟକ୍ଷା ଟୁନିବାଳା ବିଶ୍ଵାଳ,ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ବିଡିଓ ବନବିହାରୀ ଦିନ୍ଦା, ତହସିଲଦାର ଦୀପକ ଦାସ, ଏସଡିପିଓ ତ୍ରିଲୋଚନ ସେଠୀ ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ବ୍ଲକ ଅନ୍ତର୍ଗତ ବନ୍ୟା ଆଶ୍ରୟସ୍ଥଳୀ ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଶ୍ରୟ ନେବାକୁ ଥିବା କିଛି ବିଦ୍ୟାଳୟ ବୁଲି ସ୍ଥିତି ସମୀକ୍ଷା କରିଥିଲେ। ବାତ୍ୟା ଭଳି ଏକ ସମ୍ବେଦନଶୀଳ ଘଟଣାରେ ପିଆରଆଇ ମେମ୍ବର ମାନଙ୍କୁ ସୂଚନା ନଥିବା ସମ୍ପର୍କରେ ନିର୍ବାହୀ ଅଧିକାରୀ ଓ ବିଡ଼ିଓଙ୍କ ବିରୋଧରେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥଲା।(ଫୋଟୋ)


Leave A Reply

Your email address will not be published.