ଖୁସି ଛଡ଼ାଇ ନେଲା ଦୋଳି
ମୃତ୍ୟୁ କାହାକୁ କେମିତି ଡାକେ ସେ ହିଁ ଭଲ ଭାବରେ ଜାଣିଥାଏ।
ଝୁଲୁଥିବା ବେଳେ ଖସିପଡ଼ି ନାବାଳିକାର ମୃତ୍ୟୁ
ସୋର/ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) : ମୃତ୍ୟୁ କେତେବେଳେ କାହାପାଇଁ କେମିତି ଆସିବ କେହି କହିପାରିବ ନାହିଁ। ଖୁସି ସମୟରେ ଅଚାନକ ଦୁଃଖ ମଧ୍ୟ ପହଞ୍ଚୁଛି। ଏଭଳି ଏକ ଘଟଣା ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି। ଦୋଳିରେ ଝୁଲୁଥିବା ବେଳେ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଛି। ନାବାଳିକା ଜଣଙ୍କ ହେଲେ ସାଉଡୁ ପଂଚାୟତ ପାଖରା ଗ୍ରାମର ବିଜୟ ମହାପାତ୍ରଙ୍କ ମଝିଆଁ ଝିଅ ଶୁଭଶ୍ରୀ ମହାପାତ୍ର (୧୨)। ସୂଚନା ଅନୁସାରେ ବିଜୟ ପଶ୍ଚିମବଙ୍ଗର ଏକ ଘରୋଇ କମ୍ପାନିରେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଜୟନ୍ତୀ ତିନିଝିଅଙ୍କୁ ନେଇ ରୁହନ୍ତି। ପରିବାର ଚଳାଇବା ପାଇଁ ନିକଟସ୍ଥ କୋଚିଆକୋଇଲି ଛକରେ ସେ ଏକ ଲୁଗା ଦୋକାନ କରିଛନ୍ତି। ଆଜି ସନ୍ଧ୍ୟାରେ ଜୟନ୍ତୀ ଦୋକାନରେ ଥିବା ବେଳେ ତାଙ୍କ ଝିଅ ଶୁଭଶ୍ରୀ ଝୁଲୁଥିବା ଅବସ୍ଥାରେ ଅଚେତ ଥିବା ନେଇ ଖବର ପାଇ ଘରକୁ ଆସିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଝିଅ ଶୁଭଶ୍ରୀକୁ ନେଇ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।