କେତେ ସ୍ମାର୍ଟ ହେଲା ଭୁବନେଶ୍ବର? ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି।

ଏବେ କେବଳ ନିର୍ମାଣାଧୀନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ରହିଛି।

ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି। ଏବେ କେବଳ ନିର୍ମାଣାଧୀନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ଏହାଦ୍ବାରା ଭୁବନେଶ୍ବର କେତେ ସ୍ମାର୍ଟ ‌ହୋଇଛି, ସେ ପ୍ରଶ୍ନ ପଚାରିବାର ସମୟ ଆସିଛି। କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପିତ ସବୁ ସ୍ମାର୍ଟ ସିଟି ପ୍ରକଳ୍ପ ଭିତରୁ ଭୁବନେଶ୍ବରର ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଥିଲା। ହେଲେ ଯେତିକି ପ୍ରକଳ୍ପର ନୀଳନକ୍ସା ପ୍ରସ୍ତୁତ ହୋଇଥିଲା, ତାହାର ୫୦ ପ୍ରତିଶତ ବି ପୂରା ହୋଇନାହିଁ। ଯେଉଁ ୫୦ ପ୍ରତିଶତ ପୂର୍ଣ୍ଣ କରିବାକୁ ଉଦ୍ୟମ କଲେ ସେଥିରୁ  ୫୦ ପ୍ରତିଶତ ବିଫଳ। ସ୍ମାର୍ଟ ସିଟି ଗଠନ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ମିସନ ନିକଟରେ ୮୧ଟି ପ୍ରକଳ୍ପର ତାଲିକା ଉପସ୍ଥାପନ କରିଥିଲେ। ସେଥିରେ ୪,୫୩୭ କୋଟିର ବ୍ୟୟ ଅଟକଳ କରାଯାଇଥିଲା। ଏଥିରୁ ବିଏସ୍‌ସିଏଲ୍‌ ଏରିଆ ବେସ୍‌ଡ ଡେଭଲପମେଣ୍ଟ ଓ ପ୍ୟାନ୍‌ ସିଟି ସ୍ମାର୍ଟ ସଲ୍ୟୁସନ୍‌ ଏଭଳି ଦୁଇଟି ପର୍ଯ୍ୟାୟରେ ୨୮ଟି ପ୍ରକଳ୍ପ କରିବାକୁ ଯୋଜନା କଲା। ଏଥିପାଇଁ ୭୮୪ ଟଙ୍କା (କେନ୍ଦ୍ର ଓ ରାଜ୍ୟର ୩୯୨ କୋଟି ଲେଖାଏ) ମିଳିଥିଲା। ପ୍ୟାନ୍‌ ସିଟି ସଲ୍ୟୁସନ୍‌ରେ ଇଣ୍ଟିଲିଜେଣ୍ଟ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌, ଭୁବନେଶ୍ବର ୱାନ୍‌ ଓ ସ୍ମାର୍ଟ ସଲ୍ୟୁସନ ପ୍ରକଳ୍ପ ଶେଷ ହୋଇଛି। କିନ୍ତୁ ଟ୍ରାଫିକ୍‌ ପରିଚାଳନାରେ କୌଣସି ଆଧୁନିକତା ନାହିଁ।  

ଏରିଆ ବେସ୍‌ଡ୍‌ ଡେଭଲପ୍‌ମେଣ୍ଟରେ ଅର୍ଦ୍ଧାଧିକ ପ୍ରକଳ୍ପ ଫେଲ୍‌ ମାରିଛି। ଲେକ୍‌ ନ୍ୟୁଟ୍ରାଲ୍ ପ୍ରକଳ୍ପ ପାଇଁ ବହୁ ପୂର୍ବରୁ ‘ଲେକ୍‌ ଜୋନ୍‌-୩’ କରିବାକୁ ଯୋଜନା ହୋଇଥିଲା। ୨୦୧୬ ମସିହାରେ ଏହା ସ୍ମାର୍ଟ ସିଟି ଅଧୀନକୁ ଆସିବା ପରେ ୨୦୨୧ ମସିହାରେ ଟେଣ୍ଡର ହେଲା। କିନ୍ତୁ କାମ ଏଯାବତ୍‌ କାମ ସରିନାହିଁ। ବଡ଼କଥା ହେଉଛି, ଏହି ଅଞ୍ଚଳରେ ଜମିବାଡ଼ି କିଣାବିକା ଉପରେ ରୋକ୍‌ ଲାଗିଥିବାରୁ ଲୋକ ଫସିଛନ୍ତି। ସହିଦନଗର ଓ ୟୁନିଟ୍-୨(ରାଜମହଲ)ରେ ପ୍ରସ୍ତୁତ ଦୁଇଟି ବହୁତଳ କାର୍‌ପାର୍କିଂ ସ୍ଥଳ ନିର୍ମାଣ ୩ ବର୍ଷ ବିଳମ୍ବରେ ସାରିଲେ। ପରିଚାଳନା ଠିକା ନେଇଥିବା ଦୁଇଟି ସଂସ୍ଥା ବେପାର ହେଲାନି କହି ଅଦାରୁ ଚାଲିଯିବା ପରେ ବିଏସ୍‌ସିଏଲ୍‌ ନିଜେ ଯାହିତାହି ପରିଚାଳନା କରୁଛି। ସହରର ପ୍ରମୁଖ ସ୍ଥାନମାନଙ୍କରେ ଇନ୍‌ଡୋର୍‌ରେ ୫୦ ଓ ଆଉଟ୍‌ଡୋର୍‌ ୨୫, ଏଭଳି ୭୫ଟି ସ୍ମାର୍ଟ କିଓସ୍କ ସ୍ଥାପନ ହୋଇଥିଲା। ୨୦୨୦ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବାକୁ ସ୍ଥିର କରା ଯାଇଥିଲେ ମଧ୍ୟ ୨୦୨୧ରେ ୭୫ରୁ ୬୨ଟି କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ଯେଉଁ ଅତ୍ୟାଧୁନିକ ସୁବିଧା ଦେବା ପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ସ୍ବପ୍ନ ଦେଖାଇଥିଲେ ତାହା ହେଲାନାହିଁ। ବରଂ ଏହାର ଅପବ୍ୟବହାର ହେଲା। ଏବେ ଏହା ପୂରା ଖତ ଖାଉଛି। 

ସାରା ରାଜ୍ୟ ପାଇଁ ସ୍ମାର୍ଟ ଜନପଥ ଏକ ମଡେଲ୍‌ ହୋଇଥିଲା। ୨ ବର୍ଷର କାମ ୪ ବର୍ଷରେ ହୋଇଥିଲା। ବିଳମ୍ବ ହେବାରୁ ନିର୍ମାଣ ଖର୍ଚ୍ଚ ବି ବଢ଼ିଥିଲା। କିନ୍ତୁ ଦୂରଦୃଷ୍ଟିବିହୀନ ଭାବେ ପବ୍ଲିକ୍‌ ପ୍ଲାଜା ନାମରେ ଯାହା ନିର୍ମାଣ କରାଯାଇଛି, ତାହା ରାସ୍ତାକୁ ସଙ୍କୁଚିତ କରୁଥିବାରୁ ଏହାକୁ ଭାଙ୍ଗିବାକୁ ପ୍ରସ୍ତାବ ଆସିଛି। ମୋଟାମୋଟି ଭାବେ ଦେଖିବାକୁ ଗ‌ଲେ, ସ୍ମାର୍ଟ ସିଟିର ଅଧିକାଂଶ ପ୍ରକଳ୍ପର ସ୍ଥିତି ଏହିଭଳି। ଦୂରଦୃଷ୍ଟି ନଥିବା ଯୋଜନା ଓ ମଞ୍ଜୁର ଅର୍ଥକୁ ଖର୍ଚ୍ଚ କରିବାରେ ବ୍ୟସ୍ତତା ଆଦି କାରଣରୁ ପ୍ରୋଜେକ୍ଟ କୁଟୁମ୍ବ, ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସ ସେଣ୍ଟର, ସ୍ମାର୍ଟ ପାର୍କ ଭଳି ପ୍ରକଳ୍ପ ମଧ୍ୟ ବିଫଳ ହୋଇଛି। ଏ ବିଫଳତାର ହାର ଏତେ ଅଧିକ ଯେ ଭୁବନେଶ୍ବର ୱାନ୍‌ ଓ ସ୍ମାର୍ଟ ସଲ୍ୟୁସନ ଭଳି ସଫଳ ହୋଇଥିବା ହାତଗଣତି ଯୋଜନାଗୁଡ଼ିକ ତା’ ଭିତରେ କୁଆଡ଼େ ଲୁଚି ଯାଇଛି।

Leave A Reply

Your email address will not be published.