ଖୋଲିଲା ବିବାଦୀୟ ‘ହୁଡ୍ଦଙ୍ଗ୍’ ବାର୍
୧୨ ଦିନଧରି ସିଲ୍ ହୋଇଥିବା ବିବାଦୀୟ ‘ହୁଡ୍ଦଙ୍ଗ୍ ବାର୍’ ଶେଷରେ ଖୋଲିଛି।
ପାନପୋଷ ରୋଡ୍ରେ ଥିବା ଏହି ବାର୍ ବୁଧବାରଠାରୁ ଖୋଲିଛି।
ନାବାଳିକାଙ୍କୁ ବାର୍ ଭିତରେ ଅସଦାଚରଣ ଘଟଣା ଓ ସଂପୃକ୍ତ ନାବାଳିକାଙ୍କୁ ଉକ୍ତ ରାତିରେ ବିଭିନ୍ନ ସ୍ଥାନରେ ସିରିଏଲ ଗଣଦୁଷ୍କର୍ମ ଏଯାଏ ଜନମାନସରୁ ଲିଭି ନାହିଁ।
ରାଉରକେଲା/ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଯାବତୀୟ ବେନିୟମ କାର୍ଯ୍ୟକଳାପ ଯୋଗୁଁ ୧୨ ଦିନଧରି ସିଲ୍ ହୋଇଥିବା ବିବାଦୀୟ ‘ହୁଡ୍ଦଙ୍ଗ୍ ବାର୍’ ଶେଷରେ ଖୋଲିଛି। ପାନପୋଷ ରୋଡ୍ରେ ଥିବା ଏହି ବାର୍ ବୁଧବାରଠାରୁ ଖୋଲିଛି। ଗୋଟିଏ ପଟେ ନାବାଳିକାଙ୍କୁ ବାର୍ ଭିତରେ ଅସଦାଚରଣ ଘଟଣା ଓ ସଂପୃକ୍ତ ନାବାଳିକାଙ୍କୁ ଉକ୍ତ ରାତିରେ ବିଭିନ୍ନ ସ୍ଥାନରେ ସିରିଏଲ ଗଣଦୁଷ୍କର୍ମ ଏଯାଏ ଜନମାନସରୁ ଲିଭିନଥିବାବେଳେ ବାର୍ ପୁନଃ ଖୋଲିବାପରେ ପ୍ରଶାସନର କୋହଳ ମନୋଭାବ ପଦାରେ ପଡ଼ିଯାଇଛି। ଯଦିଓ ଏହି ବାର୍ର ଲାଇସେନ୍ସ ଅଛି, ତେବେ ଅନୈତିକ କାର୍ଯ୍ୟ ଚଳାଇଥିବା ପ୍ରମାଣିତ ହେବାପରେ ଅବକାରୀ କମିସନରଙ୍କ ଦ୍ବାରା ସିଲ୍ ଅବଧି ବୃଦ୍ଧି କରାଯାଇପାରିବ। କିନ୍ତୁ ଏହି ହୁଡ୍ଦଙ୍ଗ୍ ବାର୍ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।୧୭ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହେବାପୂର୍ବରୁ ଏହି ବାର୍ରେ ଅସଦାଚରଣର ଶିକାର ହୋଇଥିଲେ। ଗତ ୨୨ ତାରିଖ ରାତିରେ ନାବାଳିକା ତାଙ୍କ ବାନ୍ଧବୀଙ୍କ ସହ ଏହି ବାର୍କୁ ଆସିଥିଲେ। ନାବାଳିକା ବସିଥିବାବେଳେ ବାର୍ ଭିତରେ ଦୁଇଜଣ ଅଭିଯୁକ୍ତ ଅସଦାଚରଣ କରିଥିଲେ। ଏହାପରେ ନାବାଳିକାଙ୍କ ପୁରୁଷ ବନ୍ଧୁ ଘରେ ଛାଡ଼ିଦେବା କହି ବାର୍ରୁ ବାହାରିଥିଲେ। କିନ୍ତୁ ମୁଖ୍ୟ ଅଭିଯୁକ୍ତ ତା’ର ଆଉଜଣେ ବନ୍ଧୁ ସହ ଆର୍ଏସ୍ପି ପ୍ରଶାସନିକ ଭବନ ସମ୍ମୁଖ ଆର୍ଏମ୍ସି ପାର୍କ ନିକଟରେ ଗଣଦୁଷ୍କର୍ମ କରିଥିଲେ। ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୀଡ଼ିତା ରାସ୍ତାରେ ଥିବାବେଳେ ତାଙ୍କର ଅନ୍ୟଜଣେ ବନ୍ଧୁଙ୍କ ସହ ଦେଖାହୋଇଥିଲା।ତେବେ ଉକ୍ତ ବନ୍ଧୁ ଆଉଜଣେ ଅଭିଯୁକ୍ତକୁ ଡାକି ରେଳ ଷ୍ଟେସନ ଅଞ୍ଚଳରେ ଗଣଦୁଷ୍କର୍ମ କରିଥିଲେ। ଗୋଟିଏ ରାତିରେ ଦୁଇଟି ପୃଥକ୍ ସ୍ଥାନରେ ଗଣଦୁଷ୍କର୍ମ ଘଟଣା, ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଏହି ମାମଲାର ତଦନ୍ତକରି ପୁଲିସ ହୁଡ୍ଦଙ୍ଗ୍ ବାର୍ ଭିତରେ ଯାବତୀୟ ବେନିୟମ କାରବାର ଚାଲିଥିବା ଜାଣିବାକୁ ପାଇଥିଲା। ପରେ ସେପ୍ଟେମ୍ବର ୨୭ ତାରିଖରେ ହୁଡ୍ଦଙ୍ଗ୍ରେକୁ ସିଲ୍ କରିଦିଆଯାଇଥିଲା।