ଆଇନକାନୁନକୁ ବେଖାତିର: ଭାଇରାଲ୍‌ ଭିଡିଓକୁ ତର୍ଜମା କରୁଛି ପୁଲିସ

ଭୁବନେଶ୍ୱର ୦୬-୧୦-୨୦୨୪ (ପିପିଏସ) : ପୁଣି ଥରେ ରାତି ଅଧରେ ରୋଡ୍‌ରୋମିଓମାନେ ଏନ୍‌ଏଚ୍‌-୧୬ ଉପରେ ଉତ୍ପାତ କରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି। ପାଖାପାଖି ୧୦ରୁ ୧୫ ଯୁବକ ରସୁଲଗଡ଼ ଫ୍ଲାଏଓଭର ବ୍ରିଜ୍‌ ଉପରେ ରାସ୍ତା ଅବରୋଧ କରି ମସ୍ତି କରୁଥିବାର ଭିଡିଓ ସହରସାରା ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲୁଛି। ଆଜି ଏହି ଘଟଣା ପଦାକୁ ଆସିବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ସ୍ପଷ୍ଟ ହୋଇନଥିଲେ ହେଁ ଭିଡିଓଟି ମାସକ ତଳର ବୋଲି ସୁରାକ ମିଳିଛି। ଇନ୍‌ଷ୍ଟାଗ୍ରାମ୍‌ରେ କେବିଏନ୍‌ ବ୍ରଦର୍ସ ସିଷ୍ଟମ୍‌ ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ପ୍ରକୃତରେ ଏହି ଯୁବକମାନେ କେବିଏନ୍‌ ଗ୍ରୁପ୍‌ର କି ନାହିଁ, ଜଣାପଡ଼ିନାହିଁ। ଏହି ମାମଲାରେ ସ୍ପେସାଲ ସ୍କ୍ବାଡ୍‌ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ଏନ୍‌ଏଚ୍‌ ଉପରେ ରୋମିଓଙ୍କ ରାତିଅଧିଆ ଉତ୍ପାତ, ୪ ଅଟକ
ଭାଇରାଲ୍‌ ଭିଡିଓକୁ ତର୍ଜମା କରୁଛି ପୁଲିସ

ଭିଡିଓରୁ ସ୍ପଷ୍ଟ ହେଉଛି ଯେ ଯୁବକମାନେ ଫ୍ଲାଏଓଭର ବ୍ରିଜ୍‌ ଉପରେ ୨ଟି କାର୍‌କୁ କ୍ରସ୍‌ ଭାବେ ରଖି ଜାତୀୟ ରାଜପଥକୁ ଅବରୋଧ କରିଥିଲେ। କିଛି ଯୁବକ ବମ୍ପର୍‌ ଉପରେ ବସିଥିବା ବେଳେ କିଛି ଛାତ ଉପରେ ବସିଛନ୍ତି। ଆଉ କିଛି ତଳେ ଛିଡ଼ାହୋଇଛନ୍ତି। ଇଂଲିଶ ମ୍ୟୁଜିକ୍‌ ତାଳେତାଳେ କିଛି ଦୁଇ ହାତକୁ ମେଲା କରି ଝୁମୁଛନ୍ତି। ସିଗାରେଟ୍‌ ଟାଣି ପ୍ରବଳ ଧୂଆଁ ଛାଡ଼ୁଥିବା ଯୁବକମାନେ ବେଶି ହୋ-ହଲ୍ଲା କରୁଥିଲେ। କଟକ ପଟୁ ଆସୁଥିବା ଯାନାବାହାନ ସବୁ ଅଟକି ରହିଥିଲେ ବି ଯୁବକମାନଙ୍କ ମସ୍ତି କମୁନଥିଲା କି ସେମାନେ ବାଟ ଛାଡ଼ୁନଥିଲେ। ରାତିଅଧରେ ଅଟକିଥିବା ଗାଡ଼ିର ଚାଳକମାନେ ବିରୋଧ କରିବାକୁ ସାହସ ନ କରି ନିରବଦ୍ରଷ୍ଟା ସାଜିଥିଲେ।

ନିର୍ଭୟରେ ଯୁବକମାନେ ଏନ୍‌ଏଚ୍‌ ଉପରେ ଏମିତି କରୁଥିଲେ ବି ପୁଲିସର ନଜର କିନ୍ତୁ ପଡ଼ିନଥିଲା। ଆଜି ଭାଇରାଲ୍‌ ହେବା ପରେ ପୁଲିସ ଛାନ୍‌ଭିନ୍‌ କରୁଛି। ଭିଡିଓରେ ଯୁବକମାନଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଛି। ତେଣୁ ପୁଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଉପରେ ରାଜଧାନୀବାସୀଙ୍କ ନଜର। ଏକଦା କେବିଏନ୍‌ ଗ୍ରୁପ୍‌ ରାଜପଥ ଉପରେ ଜନ୍ମଦିନ ପାଳିଥିଲା। ଖଣ୍ଡାରେ କେକ୍‌ କାଟି ଭିଡିଓ ଭାଇରାଲ୍ କରିଥିଲା। ରାଜଧାନୀରେ ଭାଇଗିରି କରିବାକୁ ସେମାନେ ଏହି କାଣ୍ଡ ଭିଆଇଥିଲେ। ଅବଶ୍ୟ ପରେ ପୁଲିସ ସେମାନଙ୍କ ଭିତରୁ କିଛି ଯୁବକଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.