ଏଥର ଝାରପଡ଼ା ଦୁର୍ଗାପୂଜାରେ ‘ଇମ୍ପେରିଆଲ୍‌ ପ୍ୟାଲେସ୍‌’

୮୫ ଫୁଟ ଉଚ୍ଚତା ଓ ୧୫୦ ଫୁଟ ଚଉଡ଼ାର ଏହି ଭବ୍ୟ ତୋରଣ ନିର୍ମାଣ କରାଯାଉଛି

ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଚଳିତ ବର୍ଷ ଚତୁର୍ଦ୍ଦଶ ବର୍ଷରେ ପଦାର୍ପଣ କରୁଛି ଝାରପଡ଼ା ଦୁର୍ଗାପୂଜା ସମିତି। ତେଣୁ ଏଥର ମଧ୍ୟ ପୂଜା ସମିତି ପକ୍ଷରୁ ନିଜସ୍ବ ପରିକଳ୍ପନାରେ ‘ଇମ୍ପେରିଆଲ୍‌ ପ୍ୟାଲେସ୍‌’ ନିର୍ମାଣ ହେଉଛି। ପଶ୍ଚିମବଙ୍ଗର ନାମୀ କାରିଗର ସ୍ୱପନ ମାନାଙ୍କ ସହ ୫୦ଜଣ ସହଯୋଗୀ କାରିଗର ଦେଢ଼ମାସ ହେଲାଣି ତୋରଣ ନିର୍ମାଣ କରୁଛନ୍ତି। ୮୫ ଫୁଟ ଉଚ୍ଚତା ଓ ୧୫୦ ଫୁଟ ଚଉଡ଼ାର ଏହି ଭବ୍ୟ ତୋରଣ ନିର୍ମାଣ କରାଯାଉଛି। ତୋରଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୋଲକାତାର କାରିଗର ଦେବାଶିଷ ପାଲ୍‌ ଓ ଭୁବନେଶ୍ୱର ପବିତ୍ର ସ୍ୱାଇଁଙ୍କ ଦ୍ୱାରା ଆଲୋକ ସଜ୍ଜା ବ୍ୟବସ୍ଥା କରାଯାଇଛି। ୩ଟି ମୁଖ୍ୟ ଫାଟକ ସମେତ ୫ଟି ଫାଟକ ମାଧ୍ୟମରେ ବିଭିନ୍ନ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁକୁ ରୂପଦେବ ଏଲ୍ଇଡି ଓ ମେକାନିକାଲ୍‌ ଷ୍ଟ୍ରକ୍‌ଚର୍‌। ସୁରକ୍ଷିତ ଦର୍ଶନ ପାଇଁ ଗୋଟିଏ ପ୍ରବେଶ ଓ ଭିତରେ ୪ଟି ପ୍ରସ୍ଥାନ ପଥ ରଖାଯାଇଛି। ତୋରଣ ଭିତରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇଛି।

କଟକ କାରିଗର ମାନସ ରଞ୍ଜନ ବେହେରା ୧୨ ଫୁଟ ଉଚ୍ଚତାର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ଭଗବାନ ବେହେରା ୨୦ ଫୁଟ ଉଚ୍ଚତାର ବୁଲେନ୍‌ ଓ ସୁନେଲି ମେଢ଼ ତିଆରି କରୁଛନ୍ତି। ଏବର୍ଷ ମା’ଙ୍କ ପାଇଁ ରୁପା ମୁକୁଟ ସହ ପାର୍ଶ୍ବ ଦେବଦେବୀମାନଙ୍କ ପାଇଁ ରୁପା ଅଳଙ୍କାରର ବ୍ୟବସ୍ଥା କରାଯାଇଛି। ବଙ୍ଗୀୟ ପୂଜା ନୀତିରେ ମା’ଙ୍କୁ ଆବାହନ କରାଯିବ। ସପ୍ତମୀ, ନବମୀ ଓ ଦଶମୀ ତିଥିରେ ଭକ୍ତମାନଙ୍କ ପାଇଁ ଖେଚୁଡ଼ି ‌ଭୋଗର ବ୍ୟବସ୍ଥା ଥିବା ବେଳେ ଅଷ୍ଟମୀ ଦିନ ହାଲୁଆ ଭୋଗ ବଣ୍ଟନ କରାଯିବ। ଝାରପଡ଼ା ଗ୍ରାମସ୍ଥିତ ଦୋଳମେଳଣ ପଡ଼ିଆରେ ଦଶମୀ ସନ୍ଧ୍ୟାରେ ୪୦ ଫୁଟ ଉଚ୍ଚତାର ରାବଣ ପୋଡ଼ି ସାଙ୍ଗକୁ ବିଭିନ୍ନ ପ୍ରକାର ଆତସବାଜି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜି ସମିତି ଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ସଭାପତି ଶିଖର ଚନ୍ଦ୍ର ଜେନା, ସଂପାଦକ ଧରଣୀଧର ଜେନା, ଆବାହକ ଶ୍ରୀଧର ଜେନା, ଉପଦେଷ୍ଟା ରଞ୍ଜିତ ରାୟ, ଉଗ୍ରସେନ ମଙ୍ଗରାଜ, ବୁଲେଇ ଜେନା, ପ୍ରଫୁଲ୍ଲ ସାମନ୍ତରାୟ, ଫର୍ଜନ ଅଲ୍ଲିଖାନ୍‌, କଲିମୁଦ୍ଦିନ ଖାନ, ପ୍ରମୁଖ ଏହି ସୂଚନା ଦେଇଛନ୍ତି।

ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ଗୁରୁତ୍ୱ
ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଆମ ପୂଜା କମିଟି ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ସୁବ୍ୟବସ୍ଥିତ କରିବାକୁ ଗୁରୁତ୍ୱ ଦେଇଛି। ଏଥିପାଇଁ କମିସନରେଟ୍ ପୁଲିସ ସହାୟତାରେ ପୂଜା କମିଟିର ୩୦୦ ସ୍ୱେଚ୍ଛାସେବୀ, ୨୦ଟି ସିସିଟିଭି କ୍ୟାମେରା, ୨୦ଟି ଵାକିଟକି, ୩ଟି ଭିଡିଓ କ୍ୟାମେରା ଓ ଜିମି କ୍ୟମେରା ମାଧ୍ୟମରେ ପ୍ଲାଜମା ଓ ୨ଟି ଏଲ୍ଇଡି ପ୍ୟାନେଲ୍‌ ଦ୍ବାରା ମଣ୍ଡପର ସମସ୍ତ ଦୃଶ୍ୟକୁ ପ୍ରସାରିତ କରାଯିବା ସହିତ ଯୋଗାଯୋଗ ଶୃଙ୍ଖଳିତ କରାଯିବ। ଅଞ୍ଚଳରେ ପାର୍କିଂ ପାଇଁ ୪ଟି  ସ୍ଥାନ ଚିହ୍ନଟ ହୋଇଛି। ସେହିପରି ଆଶୁ ଚିକିତ୍ସା, ସୂଚନା କେନ୍ଦ୍ର ସମେତ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 

ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ
ଷଷ୍ଠୀ ଠାରୁ ଦଶମୀ ତିଥି ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରିକି ଭଜନ ସନ୍ଧ୍ୟା, ବିଷ୍ଣୁମୋହନ କବି, ଅସୀମା ପଣ୍ଡା, ମଣ୍ଟୁ ଛୁରିଆ, କୁଳଦୀପ ପଟ୍ଟନାୟକଙ୍କ ପରି ପ୍ରମୁଖ କଳାକାର ସଙ୍ଗୀତ ପରିବେଷଣ କରିବେ। ଭସାଣି ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପାରମ୍ପରିକ ତଥା ଆଧୁନିକ ବାଦ୍ୟଯନ୍ତ୍ର, କେରଳ ପାରମ୍ପରିକ ବାଜା, ସମ୍ୱଲପୁରର ଅଘୋରୀ ଗ୍ରୁପ, ରାଉରକେଲାର ଷ୍ଟାର ବ୍ରାସ୍‌ ବ୍ୟାଣ୍ଡ୍‌ ପ୍ରମୁଖ ପରିବେଷଣ କରିବେ। ମୀନାବଜାର ସହ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା କରାଯାଇଛି। 

Leave A Reply

Your email address will not be published.