ଭର୍ତ୍ତୃହରି ମହତାବ ଅର୍ଥ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

୨୦୧୪ରେ ଅର୍ଥମବୀ ଅରୁଣ ଜେଟ୍‌ଲିଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସଂସଦର ଗୁରୁତ୍ୱପୂର୍ଣ୍ଣ ଅର୍ଥ ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ପାର୍ଲାମେଣ୍ଟାରୀ ବୁଲେଟିନ୍‌ରୁ ମିଳିଥିବା ସୂଚନାନୁଯାୟୀ, ନବଗଠିତ କମିଟିରେ ରାଜ୍ୟସଭାରୁ ୧୦ ଏବଂ ଲୋକସଭାରୁ ୨୧ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । ଶ୍ରୀ ମହତାବ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଅନେକ ବରିଷ୍ଠ ଓ ଅଭିଜ୍ଞ
ସାଂସଦଙ୍କୁ ଏଥିରେ ସ୍ଥାନ ମିଳିଛି । ସୂଚନାଯୋଗ୍ୟ ଯେ ୨୦୧୪ରେ ଏନ୍‌ଡିଏ ସରକାରର ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟ୍‌ଲୀ
ଓଡ଼ିଶାର ବିଜେଡି ସାଂସଦ ଶ୍ରୀ ମହତାବଙ୍କୁ ଅର୍ଥ ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ରଖିଥିଲେ । ତେବେ ଏହାକୁ
ବିଜେଡି ସଭାପତି ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ ନ କରି ସାଂସଦ ପିନାକୀ ମିଶ୍ରଙ୍କୁ ଅଧ୍ୟକ୍ଷ କରିବାକୁ
ପ୍ରସ୍ତାବ ଦେଇଥିଲେ । ତେବେ ପିନାକୀଙ୍କୁ ଅର୍ଥ ଷ୍ଟାଣ୍ଡିଂ କମିଟିରେ ସୁଯୋଗ ମିଳିନଥିଲା । ପରବର୍ତ୍ତୀ ସମୟରେ ପିନାକୀ ନଗର
ଉନ୍ନୟନ ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ ହୋଇଥିଲେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ମହତାବ ବିଜେପିରେ ଯୋଗଦାନ କରିବା
ସହ ସଂସଦକୁ ପୁନଃ ନିର୍ବାଚିତ ହେବା ପରେ ତାଙ୍କୁ ୧୦ବର୍ଷ ପରେ ପୁଣି ଅର୍ଥ ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ
କରାଯାଇଛି । ଏହି କମିଟି ହେଉଛି ସଂସଦର ଗୁରୁତ୍ୱପୂର୍ଣ୍ଣ କମିଟି, ଯାହା ଦେଶର ଅର୍ଥନୈତିକ ପରିଚାଳନା ଓ ଅଭିବୃଦ୍ଧି
କ୍ଷେତ୍ରରେ ପରାମର୍ଶ ଦେଇଥାଏ । ବିଶେଷ ଭାବରେ ଅର୍ଥ, କପୋରେଟ୍ ବ୍ୟାପାର, ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ
ମବାଳୟ ସମେତ ନିତି ଆୟୋଗର ନୀତି ଏବଂ ନିଷ୍ପତ୍ତିକୁ ଏହା ତଦାରଖ କରେ । କମିଟିରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.
ଚିଦମ୍ବରମ୍‌, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା, ଡକ୍ଟର ଅଶୋକ କୁମାର ମିତ୍ତଲ, ଏରମାନ ଭେଙ୍କଟ ଶୁଭା ରେଡ୍ଡୀ, ଏସ୍‌.
ସେଲ୍‌ଭା ଗଣବତି, ସଞ୍ଜୟ ସେଠ୍‌, ଡକ୍ଟର ଦୀନେଶ ଶର୍ମା, ଦର୍ଶନା ସିଂ, ଡକ୍ଟର ଏମ୍‌. ଥମ୍ବିଦୁରାଇ, ପ୍ରମୋଦ ତିୱାରୀ
ପ୍ରମୁଖ ରାଜ୍ୟସଭାରୁ ସଦସ୍ୟ ରହିଥିବା ବେଳେ ଲୋକସଭାରୁ ଅରୁଣ ଭାରତୀ, ପି.ପି. ଚୌଧୁରୀ, ଲଭୁ ଶ୍ରୀକୃଷ୍ନା ଦେବରାୟଲ୍ଲୁ,
ଗୌରବ ଗୋଗୋଇ, କେ ଗୋପୀନାଥ, ସୁରେଶ କଶ୍ୟପ, କିଶୋରୀଲାଲ, ହରେନ୍ଦ୍ର ସିଂ ମଲ୍ଲିକ, ଚୂଡାସାମା ରାଜେଶଭାଇ
ନାରଣଭାଇ, ଥିରୁଅରୁଣ ନେହେରୁ, ଏନ୍‌.କେ. ପ୍ରେମଚନ୍ଦର, ସି.ଏମ୍‌. ରମେଶ, ସନ୍ଧ୍ୟା ରୟ, ପ୍ରଫେସର ସୌଗତ ରୟ,
ପି.ଭି. ମିଧୁନ ରେଡ୍ଡୀ, ଡକ୍ଟର ଜୟନ୍ତ କୁମାର ରାଓ, ଡକ୍ଟର କେ. ସୁଧାକର, ମନୀଷ ତିୱାରୀ, ବଲଶ୍ୱରୀ ଭାଲଭନେନ୍‌
ଏବଂ ପ୍ରଭାକର ରେଡ୍ଡୀ, ଭମିରେଡ୍ଡୀ ପ୍ରମୁଖ ସଦସ୍ୟ ରହିଛନ୍ତି । ସେହିଭଳି ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ ଷ୍ଟାଣ୍ଡିଂ
କମିଟିର ଅଧ୍ୟକ୍ଷ ଭାବେ କଂଗ୍ରେସର କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଯୁବ ଓ
କ୍ରୀଡ଼ା, ବିଭାଗର ଅଧ୍ୟକ୍ଷ ଭାବେ ଦିଗ୍‌ବିଜୟ ସିଂହ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ପ୍ରଫେସର
ରାମଗୋପାଳ ଯାଦବ, ଗୃହ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ରାଧାମୋହନ ଦାସ ଅଗ୍ରୱାଲ, ସଡ଼କ ପରିବହନ ଓ
ପର୍ଯ୍ୟଟନ ଏବଂ ସଂସ୍କୃତି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ସଞ୍ଜୟ କୁମାର ଝା, ରସାୟନ ଓ ସାର କମିଟି ଅଧ୍ୟକ୍ଷ ଭାବେ
ଟିଏମ୍‌ସିର ଆଜାଦ କୀର୍ତ୍ତି ଝା, କୋଇଲା, ଖଣି ଓ ଇସ୍ପାତ କମିଟି ଅଧ୍ୟକ୍ଷ ଭାବେ ଅନୁରାଗ ସିଂ ଠାକୁର, ଯୋଗାଯୋଗ ଏବଂ
ସୂଚନା ପ୍ରଯୁକ୍ତି କମିଟି ଅଧ୍ୟକ୍ଷ ଭାବେ ଡକ୍ଟର ନିଶିକାନ୍ତ ଦୁବେ, ଖାଉଟି କଲ୍ୟାଣ, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଷ୍ଟାଣ୍ଡିଂ କମିଟି
ଅଧ୍ୟକ୍ଷ ଭାବେ କାନି ମୋଝୀ କରୁଣାନିଧି, ବୈଦେଶିକ ବ୍ୟାପାର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ଶଶୀ ଥରୁର ଏବଂ
ଜଳସମ୍ପଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ରାଜୀବ ପ୍ରତାପ ରୁଡ୍ଡୀଙ୍କୁ ମନୋନୀତ କରାଯାଇଛି ।

Leave A Reply

Your email address will not be published.