ବଣ୍ଡା କାହାକୁ ଡାକିବେ ମା’?
କଥା ସେ କାଳର
ପ୍ରଭୁ ଶ୍ରୀରାମଙ୍କ ପାଦ ପଡ଼ିଥିବା ପାହାଡ଼ ଶ୍ରୀହୀନ
ଭୁବନେଶ୍ୱର ୨୬-୦୯-୨୦୨୪(ପିପିଏସ) : ତ୍ରେତେୟା ଯୁଗରୁ ଆଜି ପର୍ଯ୍ୟନ୍ତ ଦଣ୍ଡକାରଣ୍ୟର ପ୍ରାସଙ୍ଗିକତା ରହିଛି। ବିଶାଳ ଦଣ୍ଡକାରଣ୍ୟର କିଛି ଅଂଶକୁ ବର୍ତ୍ତମାନ ମାଲକାନଗିରି ବୋଲି କୁହାଯାଉଛି। ପ୍ରଭୁ ଶ୍ରୀରାମଙ୍କ ପାଦ ପଡ଼ିଥିବା ଏହି ଅଞ୍ଚଳ ସଂପର୍କରେ ପୁରାଣରେ ଅନେକ କଂବଦନ୍ତି ବର୍ଣ୍ଣିତ। ସେହିପରି ପାଣ୍ଡବଙ୍କ ଆଗମନକୁ ସ୍ମାରଣ କରି ଏବେ ବି ବଡ଼ଯାତ୍ରାର ଆୟୋଜନ କରୁଛନ୍ତି ଏଠାକାର ଅଧିବାସୀ। କିନ୍ତୁ ପୁରାଣ ବର୍ଣ୍ଣିତ ସେହି ଦଣ୍ଡକାରଣ୍ୟ ବର୍ତ୍ତମାନ ଶ୍ରୀହୀନ। ତେଣୁ ଜନଜାତିଙ୍କ ଜୀବନଶୈଳୀରେ ଆଗକୁ ବଡ଼ ପରିବର୍ତ୍ତନ ହେବା ନିଶ୍ଚିତ। ସଂସ୍କୃତି ଓ ପରଂପରା ଅସ୍ତିତ୍ବ ହରାଇବା ନେଇ ଆଶଙ୍କା ବଢ଼ିଛି।
ତ୍ରେତେୟା ଯୁଗରୁ ଆଜି ପର୍ଯ୍ୟନ୍ତ ଦଣ୍ଡକାରଣ୍ୟର ପ୍ରାସଙ୍ଗିକତା ରହିଛି। ବିଶାଳ ଦଣ୍ଡକାରଣ୍ୟର କିଛି ଅଂଶକୁ ବର୍ତ୍ତମାନ ମାଲକାନଗିରି ବୋଲି କୁହାଯାଉଛି। ପ୍ରଭୁ ଶ୍ରୀରାମଙ୍କ ପାଦ ପଡ଼ିଥିବା ଏହି ଅଞ୍ଚଳ ସଂପର୍କରେ ପୁରାଣରେ ଅନେକ କଂବଦନ୍ତି ବର୍ଣ୍ଣିତ।
ସମୁଦ୍ର ପତନ ଠାରୁ ୫ହଜାର ଫୁଟ୍ରେ ରହିଛି ଖଇରପୁଟ ବ୍ଲକର ବଣ୍ଡାଘାଟି। ବନବାସ ସମୟରେ ପ୍ରଭୁ ଶ୍ରୀରାମଙ୍କ ପାଦ ପଡ଼ିଥିଲା। ସୀତା ସ୍ନାନ କରିଥିବା କୁଣ୍ଡକୁ ସୀତାକୁଣ୍ଡ ଭାବେ ଆଦିବାସୀ ପୂଜାଚ୍ଚର୍ନା କରୁଛନ୍ତି। ଗତ ୨୦ବର୍ଷ ଭିତରେ ବଣ୍ଡାଘାଟିର ରୂପରେ ଅନେକ ପରିବର୍ତ୍ତନ ହୋଇଛି। ବନ୍ୟା ସାଙ୍ଗକୁ ମଣିଷକୃତ କ୍ଷତି ସବୁଜ ବନାନୀକୁ ଉଜାଡ଼ି ଦେଇଛି। ୫୦୦ ହେକ୍ଟରରୁ ଊର୍ଦ୍ଧ୍ବ ଜଙ୍ଗଲ ପଦା ହୋଇଗଲାଣି। ଦଣ୍ଡାୟମାନ ବିଶାଳ ବୃକ୍ଷ ବଳି ପଡ଼ିବା ପରେ ପାହାଡ଼ଗୁଡ଼ିକ ଲଣ୍ଡା ହୋଇଗଲାଣି। ବ୍ୟାପକ ପୋଡ଼ୁଚାଷ ଜଙ୍ଗଲକୁ ପଦା କରି ଚାଲିଛି। ଯାହାର ସିଧାସଳଖ ପ୍ରଭାବ ପରିବେଶ ଏବଂ ପାଣିପାଗ ଉପରେ ପଡ଼ିଛି। ଶୀତର ପ୍ରକୋପ ନଥିଲା ବେଳେ ଗ୍ରୀଷ୍ମର ଉତ୍ତାପ ଅନୁଭୂତ ହେଲାଣି। ବାଘ, ଭାଲୁ, ହରିଣ ଭଳି ବନ୍ୟଜନ୍ତୁ ଜଙ୍ଗଲ ଛାଡ଼ିଛନ୍ତି କିମ୍ବା ସେହି ଜଙ୍ଗଲରେ କବର ନେଇଛନ୍ତି।
ବଣ୍ଡା ଜନଜାତିଙ୍କ ପାଇଁ ପାହାଡ଼ ଓ ଜଙ୍ଗଲ ସବୁବେଳେ ମହତ୍ବ ରଖିଛି। କାରଣ ଜଙ୍ଗଲ ସେମାନଙ୍କୁ ଜୀବନ ସହ ଜୀବିକା ଦେଇଛି। ଜଙ୍ଗଲର କନ୍ଦା ଦେଇ ବଦଳରେ ଲୁଣ ଆଣୁଥିଲେ। କିଛି ବର୍ଷ ପୂର୍ବରୁ ବଣ୍ଡା ଜନଜାତି ଟଙ୍କାର ବ୍ୟବହାର ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ରହିଥିଲେ। ଜଙ୍ଗଲଜାତ ସାମଗ୍ରୀ ବଦଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ କରୁଥିଲେ। ରୋଗ ହେଲେ ଜଙ୍ଗଲର ଚେରମୂଳି ବ୍ୟବହାର କରି ସୁସ୍ଥ ହେଉଥିଲେ। ଏଥିପାଇଁ ଜଙ୍ଗଲକୁ ସୁରକ୍ଷା ଦେଉଥିଲେ। ସଂପତ୍ତି କହିଲେ ବଣ୍ଡା ଜନଜାତି ଉତ୍ତରାଧିକାର ସୂତ୍ରରେ ମହୁଲ ଗଛ ପାଉଥିଲେ। ତେଣୁ ଜଙ୍ଗଲ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ବଣ୍ଡା ଜନଜାତି ଜଙ୍ଗଲକୁ ମା’ ବୋଲି ସମ୍ବୋଧନ କରୁଥିଲେ। ବର୍ତ୍ତମାନ ଟଙ୍କା ବ୍ୟବହାର ଶିଖିଗଲେଣି। ଆବଶ୍ୟକତା ପୂରଣ କରିବାକୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହାଫଳରେ ଜଙ୍ଗଲ ପ୍ରତି ଆଉ ପୂର୍ବଭଳି ଧ୍ୟାନ ଦେଉନାହାନ୍ତି। ଅନ୍ୟପଟେ ମାଫିଆ ଜଙ୍ଗଲ କାଟିବାରେ ଲାଗିଛନ୍ତି। ଆୟ ବଢ଼ାଇବା ପାଇଁ ଜଙ୍ଗଲକୁ ଜାଳି ଚାଷ କରୁଛନ୍ତି। ଯଦି ଏହି ଧାରା ଜାରି ରହିବ ତେବେ ଆଗକୁ ଆଉ ଜଙ୍ଗଲ ନଥିବ।