କଟକ ଗ୍ରାମାଂଚଳ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କଟକ, ୨୬.୦୯.୨୦୨୪(ପିପିଏସ) : ଚଳିତ ବର୍ଷ କଟକ ଜିଲ୍ଳାରେ ଶାରଦୀୟ ଦୁର୍ଗାପୂଜା ଓ ଭସାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ଆଜି କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ କଟକ ଗ୍ରାମାଂଚଳ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ବୈଠକରେ ଯୋଗଦେଇ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ ପୂର୍ବକ ସମସ୍ତଙ୍କ ସହଯୋଗରେ ଦୁର୍ଗାପୂଜା ପାଳନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଦୁର୍ଗାପୂଜା ସମୟରେ ଲେଜର ଲାଇଟ ବ୍ୟବହାର ଓ ଡିଜେକୁ ସମ୍ପୁର୍ଣ୍ଣ ନିଷେଧ କରିବା ସହ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ମଧ୍ୟ ଅଙ୍କୁଶ ଲଗାଯିବା ନେଇ ଗୁରୁତ୍ୱ ଦିଆଯାଇଥିଲା । ବିଶେଷଭାବେ ପୂଜା ଓ ଭଷାଣୀ ସମୟରେ ଚୋରାମଦ ରୋକିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପୂଜା କମିଟି କର୍ମକର୍ତା ପୂଜା ପେଣ୍ଡାଲରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଥିଲା । ଟିପସିଓଡିଏଲ ତରଫରୁ ବିଦ୍ୟୁତ ଜନିତ ଦୁର୍ଘଟଣା ନହେବା ପାଇଁ ସଂସ୍ଥାର କ୍ଷେତ୍ରୀୟ ଅଧିକାରୀମାନଙ୍କ ମାଧ୍ୟମରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଡିଜେ ଆମର ସଂସ୍କୃତି ନୁହେଁ, ଡିଜେ ବଦଳରେ ସ୍ଥାନୀୟ କଳାକାରମାନଙ୍କୁ ସେମାନଙ୍କ କଳା ପ୍ରଦର୍ଶନର ସୁଯୋଗ ଦେବାକୁ ପୂଜା କମିଟିର କର୍ମକର୍ତାଙ୍କୁ ଜିଲ୍ଳାପାଳ ପ୍ରବର୍ତାଇଥିଲେ । ଛୋଟ ଛୋଟ ପିଲାଙ୍କୁ ରାସ୍ତାରେ ଥାଳି ଧରି ଚାନ୍ଦା ଆଦାୟ କାର୍ଯ୍ୟରେ ନିୟୋଜିତ ନ କରିବା, ମେଢର ଉଚ୍ଚତାକୁ ସିମୀତ ରଖିବା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମୟରେ ରାସ୍ତା ଅବରୋଧ ନକରିବା ଆଦି ବିଷୟ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିଭିନ୍ନ ସ୍ଥାନରେ ରାସ୍ତାଘାଟ ମରାମତି, ଅଗ୍ନିଶମ ବ୍ୟବସ୍ଥା, ପାନୀୟ ଜଳ ଏବଂ ସ୍ୱଚ୍ଛତା ଓ ପରିମଳ ତଥା ଆଶୁ ଚିକିତ୍ସା ଉପରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପୂଜା ପେଣ୍ଡାଲ ଓ ଭସାଣୀ ଶୋଭାଯାତ୍ରା ନିମନ୍ତେ ଅନୁମତିପତ୍ର ପ୍ରଦାନ ପାଇଁ ଆସନ୍ତାବର୍ଷଠାରୁ ଏକକ ବାତାୟନ କକ୍ଷ ଉପଲବଧ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ. ଦିବ୍ୟଲୋଚନ ମହନ୍ତ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଆଠଗଡ ଉପଜିଲ୍ଳାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଥାନାର ଆଇଆଇସି, ତହସିଲଦାର ଓ ପୂଜା କମିଟିର କର୍ମକର୍ତା ଉପସ୍ଥିତ ଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ପୋଲିସ୍ ପ୍ରଶାସନର ଏକ ମାର୍ଗଦର୍ଶିକା ଉପସ୍ଥାପନ କରିଥିବାବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେବଦତ ବରାଳ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଶିବ ଟପୋ ଧନ୍ୟବାଦ ଅର୍ପଣ କରିଥିଲେ ।