ଅନୁରା ଦିସାନାୟକେ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି !
କଲମ୍ବୋ/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି)ର ଅନୁରା କୁମାର ଦିସାନାୟକେ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଛନ୍ତି। ଭୋଟ ଗଣତି ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଦିସାନାୟକଙ୍କୁ ୫୨% ଭୋଟ୍ ମିଳିଥିବା ବେଳେ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ଦଳ ନେତା ସଜିତ ପ୍ରେମଦାସାଙ୍କୁ ୨୩% ଭୋଟ୍ ମିଳିଛି। ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ (୭୫) ମାତ୍ର ୧୬% ଭୋଟ ପାଇଛନ୍ତି । ଏଣୁ ଅନୁରା ହିଁ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।୨୦୨୨ ଆର୍ଥିକ ସଙ୍କଟ ପରେ ଶ୍ରୀଲଙ୍କାରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିବାରୁ ଶନିବାର ଶ୍ରୀଲଙ୍କାର ନାଗରିକମାନେ ନୂତନ ରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଦେଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପାଖାପାଖି ୭୫% ମତଦାତା ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିଥିଲେ। ଅନୁରା କୁମାର ଦିସାନାୟକେ ୧୯୬୮ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀଲଙ୍କାର ଥାମ୍ବୁଥେଗାମାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଶ୍ରମିକ ଏବଂ ମା’ ଜଣେ ଗୃହିଣୀ ଥିଲେ । ସ୍କୁଲ ଜୀବନରେ ଦିସାନାୟକ ଜନତା ବିମୁକ୍ତି ପେରାମୁନା (ଜେଭିପି) ପାର୍ଟି ସହ ଜଡ଼ିତ ହୋଇଥିଲେ। ସେ ପ୍ରଥମେ ପେରାଡେନିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଏବଂ ପରେ ୧୯୯୫ ରେ କେଲାନିଆ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ।ଦିସାନାୟକେ ହେଉଛନ୍ତି ଶ୍ରୀଲଙ୍କାର ଜଣେ ମାର୍କ୍ସବାଦୀ ନେତା । ୨୦୦୪ରେ ସେ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗାଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ।