“କୋଠ ମାଇପର ସନ୍ତାନ “
(ପୁରାତନ ରାଜୁଡ଼ା ଅମଳରେ ଆଜିଭଳି କୌଣସି ସ୍ୱତନ୍ତ୍ର ବେଶ୍ୟାଳୟ ନଥିଲା l ଫଳରେ ସମ୍ଭ୍ରାନ୍ତ ଶ୍ରେଣୀର ଉତ୍ସୃଙ୍ଖଳ ପୁରୁଷ ମାନେ ନିଜର ଯୌନକ୍ଷୁଧା ମେଣ୍ଟାଇବା ପାଇଁ ନଗର ବଧୂ ପ୍ରଥା ପ୍ରଚଳନ କରୁଥିଲେ l ସେଇ ପ୍ରଥା ଯେତେବେଳେ ଗ୍ରାମାଞ୍ଚଳକୁ ବ୍ୟାପିଲା, ସେତେବେଳେ ନିପଟ ମଫସଲି ଭାଷାରେ ନଗର ବଧୂକୁ “କୋଠ ମାଇପ” କୁହାଗଲା l ପୁରାତନ ଲୋକକଥାରୁ ଉଦୃତ ଏହି ଗଳ୍ପଟି ସମାଜକୁ ନିଶ୍ଚିନ୍ତ ଭାବରେ ସଚେତନ କରାଇବାରେ ସହାୟକ ହେବ। )
ଗାଁ ମୁଣ୍ଡ ଅଣ ଆଢୁଆଳରେ ଥିବା ପୁରୁଣା କାଳିଆ ଚାଳଘର ସମ୍ମୁଖରେ ଲୋକମାନଙ୍କ ଭିଡ଼ l ଏହି ଘରେ ଏବେ ଏକୁଟିଆ ରୁହେ ରତନୀ ବୁଢ଼ୀ l ପୁଅ ଅଭିରାମ ରୋଜଗାର ପାଇଁ ସହରକୁ ଯାଇଛି l ଆଠ ଦିନ ହେଲା ବୁଢ଼ୀ ମୁହଁରେ ଗଙ୍ଗାଜଳ ଦିଆଗଲାଣି l ହେଲେ ଜୀବନ ଯାଉନି l ଅଭିକୁ ମଧ୍ୟ ଦୌଡ଼ିଆ (ରନର) ହାତରେ ଖବର ପଠା ଯାଇଛି l ବୁଢ଼ୀ ଗୁହାରି କରିଛି, ଜମିଦାରଙ୍କ ମା’ ସାଆନ୍ତାଣୀ ଙ୍କୁ ଦେଖା କରିବାକୁ l ମା’ ସାଆନ୍ତାଣୀ ହେଉଛନ୍ତି ବର୍ତ୍ତମାନର ଜମିଦାର ରୁଦ୍ରଦେବ ବଳିୟାର ସିଂଙ୍କ ମାତା କୌଶଲ୍ୟା ଦେବୀ ।
ବର୍ତ୍ତମାନର ଜମିଦାର ରୁଦ୍ରଦେବଙ୍କ କଥା ଯଦି କୁହାଯାଏ, ତେବେ ସାତପୁରୁଷର ଜମିଦାରୀ ଭିତରେ ଇଏ ହେଉଛନ୍ତି ଗୋଟେ କଳଙ୍କ । ସମସ୍ତ ପୂର୍ବ ପୁରୁଷ ଜମିଦାର ମାନଙ୍କ ଠାରୁ ରୁଦ୍ରଦେବ ସଂପୂର୍ଣ୍ଣ ଭିନ୍ନ ଏବଂ ବିପରୀତ । ପୂର୍ବ ଜମିଦାର ମାନେ ଥିଲେ ପ୍ରଜା ବତ୍ସଳ ଓ ସମସ୍ତ ଗ୍ରାମବାସୀ ମାନଙ୍କ ସୁଖ ଦୁଃଖର ସାଥି । କୁହାଯାଏ ପୂର୍ବ ଜମିଦାରଙ୍କ ଦୁଆରୁ କୌଣସି ବ୍ୟକ୍ତି ଖାଲି ହାତରେ ଫେରନ୍ତି ନହିଁ । ବଂଶ ପରମ୍ପରା ଓ ଅଭିଜାତ୍ୟର ମର୍ଯ୍ୟାଦା ରଖିବା ସହିତ ଶୃଙ୍ଖଳିତ ଅନୁଶାସନ ରହିଥିଲା । ଧନୀ ଗରିବ ଉଚ୍ଚବର୍ଗ ଦଳିତ ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର କରିବା ସହିତ ସସ୍ତଙ୍କ ସମସ୍ୟାର ସମାଧାନ ମଧ୍ୟ କରୁଥିଲେ ଏବଂ ନ୍ୟାୟ ଦେଉଥିଲେ ।
ବର୍ତ୍ତମାନର ଜମିଦାର ରୁଦ୍ରଦେବ ପ୍ରଜାମାନଙ୍କ ପାଇଁ ଏକପ୍ରକାର ଆତଙ୍କ ସାଜିଛନ୍ତି । ପରୋକ୍ଷରେ ଏବଂ ପ୍ରତ୍ୟକ୍ଷରେ ଲୋକମାନଙ୍କୁ ହଇରାଣ ହରକତ କରୁଛନ୍ତି । ଆବଶ୍ୟକ ସ୍ଥଳେ ନିର୍ଯ୍ୟାତନା ମଧ୍ୟ ଦେଉଛନ୍ତି । ସାହାଜ୍ଯ ସହଯୋଗ ବହୁତ ଦୂରର କଥା । ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିଜେ ସମସ୍ଯା ସୃଷ୍ଟି କରୁଛନ୍ତି । ନ୍ୟାୟ ଦେବା ପରିବର୍ତ୍ତେ ନିଜେ ଅନ୍ୟାୟ କରୁଛନ୍ତି । ଜମିଦାର ରୁଦ୍ରଦେବଙ୍କ ଏଭଳି ବ୍ୟବହାର କର୍ମ, ଆଚରଣ ଓ ଉଚ୍ଚାରଣ କୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିଲା । ସମ୍ମୁଖରେ ନହେଲେ ମଧ୍ୟ ପଛରେ ସମାଲୋଚନା କରିବା ସହିତ ଗାଳି ଗୁଲଜ ମଧ୍ୟ କରୁଥିଲେ । ଅନେକ ଲୋକ ଜମିଦାର ରୁଦ୍ରଦେବଙ୍କ ଜମିଦାର ପରିବାରରେ ଜନ୍ମକୁ ନେଇ ମଧ୍ୟ ସନ୍ଦେହ ବ୍ୟକ୍ତ କରିଥାନ୍ତି ।
ଦୂରରୁ ଆସୁଥିବା ସବାରି ପଟୁଆରକୁ ଦେଖି ରୁଣ୍ଡ ହୋଇଥିବା ଲୋକମାନଙ୍କ ମଧ୍ୟରେ ସାମାନ୍ୟ କୋଳାହଳ ଦେଖାଗଲା । ଲୋକମାନେ ପରସ୍ପର ମଧ୍ୟରେ ଆଲୋଚନା କରିବା ସହିତ ଫୁସୁରୁ ଫାସର ହେବାକୁ ଲାଗିଲେ । ଅନେକ ଆଶ୍ଚର୍ଯ୍ୟ ହୋଇ ଅପଲକ ନୟନରେ ଚାହିଁ ରହିଥିଲେ, ଧୀରେ ଧୀରେ ପାଖେଇ ଆସୁଥିବା ମା’ ସାଆନ୍ତାଣୀ କୌଶଲ୍ୟା ଦେବୀଙ୍କ ସବାରି ପଟୁଆରକୁ । ଆଶ୍ଚର୍ଯ୍ୟ ହେବାର କାରଣ ମଧ୍ୟ ରହିଥିଲା । ଜଣେ ସାଧାରଣ ଅବହେଳିତ ‘କୋଠ ମାଈପକୁ’ ଦେଖାକରିବାକୁ ଉଆସରୁ ପାଦ କାଢିଛନ୍ତି ମା’ ସାଆନ୍ତାଣୀ । ଏହା ଗାଁ ଲୋକମାନଙ୍କ ପାଇଁ ନିଶ୍ଚିନ୍ତ ଭାବରେ ଏକ ଚର୍ଚ୍ଚାର ବିଷୟ ।
ହଠାତ ଅପର ପାର୍ଶ୍ଵ ଧାନ ବିଲ ମଝିରୁ ଜଣେ ଯୁବକର ବିକଳ କ୍ରନ୍ଦନର ସ୍ଵର ଶୁଣି ସମସ୍ତେ ଏକଦମ ବୁଲି ପଡ଼ିଲେ । କାନ୍ଦି କାନ୍ଦି ଦଉଡୁଛି ଅଭିରାମ, ତା’ ପଛେ ପଛେ ଧାଇଁଛି ଖବର ନେଇ ଯାଇଥିବା ଦୌଡ଼ିଆ (ରନର) । କୋଠ ମଇପ ରତନି ବୁଢୀର ପୁଅ ହେଉଛି ଅଭିରାମ । ଦିନ ଥିଲା, ଆଜିର ରତନି ବୁଢୀ ବା ସେ ସମୟର କୋଠ ମାଈପ ରତ୍ନାବତୀର କୌଣସି କଥାରେ ଅଭାବ ନଥିଲା । ଆଖପାଖ ଅଞ୍ଚଳର ଅନେକ ଜମିଦାର ଓ ସାମନ୍ତ ମାନଙ୍କର ଯା’ଆସ ଥିଲା ରତ୍ନାବତୀ ର ଘରକୁ । ବୁଢୀ ହେବାପରେ ପୁଅ ଅଭିରାମ ହିଁ ଏକମାତ୍ର ଭରସା ।
ଅଭି ଯେହେତୁ କୋଠ ମାଇପର ସନ୍ତାନ, ତାର କେହି ବାପା ନଥିଲେ । ତେଣୁ ତାକୁ ଏକ ଭିନ୍ନ ଦୃଷ୍ଟିରେ ଦେଖନ୍ତି ଲୋକେ । ହେଲେ ଏକ ସମ୍ଭ୍ରାନ୍ତ ଯୁବକ ଭଳି ସୁନ୍ଦର ରୂପ ସହିତ ବଳିଷ୍ଠ ବ୍ୟକ୍ତିତ୍ବ ର ଅଧିକାରୀ ଅଭିରାମ ଗାଁର ପ୍ରତ୍ଯେକ ବ୍ୟକ୍ତିଙ୍କୁ ଉଚିତ ସମ୍ମାନ ଦେବା ସହିତ ସମସ୍ତଙ୍କ ଭଲମନ୍ଦ ଓ ସୁବିଧା ଅସୁବିଧାରେ ସର୍ବାଗ୍ରେ ରହିଥାଏ । ପିଲାବେଳେ ପାଠ ପଢାରେ ଆଗ୍ରହ ଦେଖି ଅବଧାନେ ପାଠ ଦିଅକ୍ଷର ପଢାଇ ଦେଇଥିଲେ । ସେଇଆକୁ କାମରେ ଲଗାଇ ସହରରେ ଚାକିରୀ କରି ମା’କୁ ପୋଷୁଛି ।
ମା’ର ଏ ଅବସ୍ଥାରେ ନିଜକୁ ସମ୍ଭାଳି ପାରୁନି ଅଭି । ଯେହେତୁ ଦୁନିଆଁ ରେ ମା’ ଛଡା ତା’ର ଆଉ କେହି ନାହିଁ । ଅଭୀର ବିକଳ କାନ୍ଦ ଦେଖି ଲୋକମାନଙ୍କ ଆଖିର ଲୁହ ବୋଲ ମାନିଲାନି । ନ ଚାହିଁ ମଧ୍ୟ ସମସ୍ତେ କାନ୍ଦି ପକାଇଲେ ।
ହଠାତ ଜମିଦାରଙ୍କ ବୋଲକରାର ଚିତ୍କାର ଶୁଣି ପ୍ରକୃତିସ୍ଥ ହେଲେ ସମସ୍ତେ । ରାସ୍ତା ଛାଡ଼ିବାକୁ ପାଟିକରୁଥିଲା ବୋଲକରା । ମା’ ସାନ୍ତାଣୀଙ୍କ ସବାରୀ ପୁରା ପାଖରେ ପହଞ୍ଚି ଗଲାଣି । ଦୁଇଭାଗ ହୋଇ ମଝିରେ ରାସ୍ତା ଛାଡ଼ି ଦେଲେ ରୁଣ୍ଡ ହୋଇଥିବା ଲୋକମାନେ । ଦୁଇ ପାଖରେ ମୁଣ୍ଡ ନୂଆଁଇ ଛିଡା ହୋଇଥିଲେ ସମସ୍ତେ । ଓଳିଛାକୁ ଲାଗି ଥୁଆ ହେଲା ସବାରୀ । ଭିତରକୁ ଗଲେ ମା’ ସାଆନ୍ତାଣୀ ଓ ତାଙ୍କର ପରିଚାରିକା ଚମ୍ପା । କେହି ବି ପାଖକୁ ଯିବାକୁ ସାହସ କରୁନଥିଲେ । କିଇଛି ସମୟ ପରେ ଚମ୍ପା ବାହାରକୁ ଆସି କବାଟ ବନ୍ଦ କରିଦେଲା ଓ କାନଡେରି ଭିତରେ ହେଉଥିବା କଥାବାର୍ତ୍ତାକୁ ଶୁଣିବାକୁ ଶୁଣିବାକୁ ଲାଗିଲା। ତା’ ମୁଖମଣ୍ଡଳରେ ଆଶ୍ଚର୍ଯ୍ୟର ଭାବ ସ୍ପଷ୍ଟ ବାରିହେଉଥିଲା ।
କିଛି ସମୟ ପରେ ଚମ୍ପା କବାଟ ଖୋଳିବାରୁ ମା’ ସାଆନ୍ତାଣୀ କାନ୍ଦି କାନ୍ଦି ବାହାରି ଆସିଲେ ଓ ସବାରୀରେ ବସି ଚାଲିଗଲେ । ତ’ପରେ କିଛି ସ୍ତ୍ରୀଲୋକ ଭିତରକୁ ଯାଇ ଦେଖିଲେ, ରତନି ବୁଢୀ ଶେଷନିଶ୍ଵାସ ତ୍ୟାଗ କରିସାରିଛି । ଅନ୍ତିମ ସଂସ୍କାର ସମୟରେ, ମା’ ସାଆନ୍ତାଣୀ ଓ ରତନି ବୁଢୀ ମଧ୍ୟରେ ହୋଇଥିବା ଗୁପ୍ତ ଅଲୋଚନାକୁ ନେଇ ଜୋରଦାର ଆଲୋଚନା ଚାଲିଲା ।
ଦୁଇଦିନ ପରେ ଗାଁରେ କେହି ଜାଣି ନାହାନ୍ତି, ହେଲେ ସମସ୍ତେ ଜାଣିଛନ୍ତି । ଅର୍ଥାତ ଏହା ଏକ “ଖୋଲା ଗୁପ୍ତ-ରହସ୍ୟ” ହୋଇ ସାରିଥିଲା । ଅଭିରାମ ହେଉଛି ପୂର୍ବତନ ଜମିଦାରଙ୍କ ପୁଅ ଆଉ ଜମିଦାର ରୁଦ୍ରଦେବ ହେଉଛନ୍ତି “କୋଠ ମାଈପର ସନ୍ତାନ” । ଯାହା ଲୋକମାନେ ଉଭୟଙ୍କ ଆଚରଣ, ଉଚ୍ଚାରଣ ଓ କର୍ମ ଦେଖି ସନ୍ଦେହ କରୁଥିଲେ । ଏହା କିପରି ହୋଇଥିଲା ତାହା ଏକ ଭିନ୍ନ କାହାଣୀ ।
ଏହି କାହାଣୀଟି ସୂଚାଇ ଦେଉଛି କି, ବ୍ୟକ୍ତି ସମାଜର ଯେକୌଣସି ସୋପାନ କିମ୍ବା ପଦପଦବୀରେ ଥାଉନା କାହିଁକି, ତା’ର ଆଚରଣ, ଉଚ୍ଚାରଣ ଓ କର୍ମ ସେହି ବ୍ଯକ୍ତିର ବ୍ୟକ୍ତିତ୍ବ, ବଂଶ ପରମ୍ପରା ଓ ଅଭିଜାତ୍ୟର ପରିଚୟ ଦେଇଥାଏ ।