- ବରଗଡ଼ ଏବଂ ବଲାଙ୍ଗୀର ମଧ୍ୟସ୍ଥଳରେ ରହିଛି ଔଷଧୀୟ ଗଛର ପାହାଡ଼ ଗନ୍ଧମାର୍ଦନ।
- ଏହା କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ବଡ଼ ଅବଦାନ।
- ସ୍ଥାନୀୟ ବୈଦ୍ୟମାନଙ୍କ ଅନୁସାରେ ଏଠାରେ ସମୁଦାୟ ୨ ହଜାରରୁ ଅଧିକ ପ୍ରଜାତିର ଗଛ ମଧ୍ୟରୁ ୩୦୦ ପ୍ରଜାତିର ବ୍ୟବହାରଯୋଗ୍ୟ ଔଷଧୀୟ ଗଛ ରହିଛି।
ସମ୍ବଲପୁର/ଭୁବନେଶ୍ୱର ୧୯-୦୯-୨୦୨୪(ପିପିଏସ): ବରଗଡ଼ ଏବଂ ବଲାଙ୍ଗୀର ମଧ୍ୟସ୍ଥଳରେ ରହିଛି ଔଷଧୀୟ ଗଛର ପାହାଡ଼ ଗନ୍ଧମାର୍ଦନ। ଏହା କେବଳ ପଶ୍ଚିମ ଓଡ଼ିଶା ନୁହେଁ ସମଗ୍ର ଦେଶ ପାଇଁ ବଡ଼ ଅବଦାନ। ସ୍ଥାନୀୟ ବୈଦ୍ୟମାନଙ୍କ ଅନୁସାରେ ଏଠାରେ ସମୁଦାୟ ୨ ହଜାରରୁ ଅଧିକ ପ୍ରଜାତିର ଗଛ ମଧ୍ୟରୁ ୩୦୦ ପ୍ରଜାତିର ବ୍ୟବହାରଯୋଗ୍ୟ ଔଷଧୀୟ ଗଛ ରହିଛି। ଏଥିରୁ ୫୮ ପ୍ରଜାତିର ଔଷଧୀୟ ଗଛ ଲୋପ ପାଇବା ଆରମ୍ଭ ହେଲାଣି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲପୋଡ଼ି ସହିତ ଔଷଧ ପ୍ରସ୍ତୁତ ଉଦେଶ୍ୟରେ ସବୁ ନୀତି, ନିୟମର ଉଲ୍ଲଂଘନ କରାଯାଇ ଯେଉଁଭଳି ଗଛରୁ ପତ୍ର ଛିଡ଼ାଇ ଦିଆଯାଉଛି ଏହା ଗନ୍ଧମାର୍ଦନ ପାଇଁ ବଡ଼ ବିପଦ ସୃଷ୍ଟି କରୁଥିବା କହିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟର (ଉତ୍କର୍ଷ କେନ୍ଦ୍ର) ଆଞ୍ଚଳିକ ବିକାଶ ଏବଂ ଜନଜାତି ଅଧ୍ୟୟନ କେନ୍ଦ୍ରର ନୋଡାଲ ଅଧିକାରୀ ଅରୁଣ ଆଚାର୍ଯ୍ୟ। ଆୟୁର୍ବେଦିକ୍ ଔଷଧ କମ୍ପାନିଙ୍କ ଯୋଗୁଁ ବିପଦରେ ପଡ଼ିଯାଇଛି ଗନ୍ଧମାର୍ଦନ ପାହାଡ଼। ଏଠାରେ ଥିବା ଗଛରେ ମଧୁମେହ, ଆଲର୍ଜି, ଯକୃତ ସମସ୍ୟା, ବାନ୍ତି, ଥଣ୍ଡା, ହୃଦ୍ରୋଗ ଠାରୁ ଆରମ୍ଭ କରି ଆସ୍ଥମା, ଅମ୍ଳ, ଜଣ୍ଡିସ୍, ଡାଇରିଆ, ଚର୍ମରୋଗ, ଶୁକ୍ରାଣୁ ବୃଦ୍ଧି, ସ୍ତ୍ରୀ ରୋଗ ଭଳି ବହୁ ପ୍ରକାର ରୋଗର ସମସ୍ୟାର ସମାଧାନ ରହିଛି। ତେଣୁ ବଡ଼ ବଡ଼ କମ୍ପାନିର ନଜର ଏହି ପାହାଡ଼ ଉପରେ ରହିଛି। ପ୍ରାଧ୍ୟାପକ ଅରୁଣ ଆଚାର୍ଯ୍ୟ କହିଛନ୍ତି, ବିଭିନ୍ନ ରୋଗର ଚିକିତ୍ସା ପାଇଁ ଗନ୍ଧମାର୍ଦନ ପାହାଡ଼ରୁ ଔଷଧୀୟ ପତ୍ର ତୋଳିବା ନୂଆ କଥା ନୁହେଁ। ସ୍ଥାନୀୟ ଆୟୁର୍ବେଦିକ୍ ଚିକିତ୍ସକମାନେ ବହୁବର୍ଷ ହେଲା ଏହା କରି ଆସୁଛନ୍ତି। ସେମାନେ ଭବିଷ୍ୟତ ପାଇଁ ଗଛକୁ ସଂରକ୍ଷିତ କରି ଉପଯୁକ୍ତ ପ୍ରଣାଳୀରେ ଏହା କରିଥାଆନ୍ତି। ସ୍ଥାନୀୟ ଜନଜାତି ସମୁଦାୟ ମଧ୍ୟ ଗନ୍ଧମାର୍ଦନ ସଂରକ୍ଷଣ ନେଇ ଉପଯୁକ୍ତ ଧ୍ୟାନ ଦିଅନ୍ତି। ବର୍ତ୍ତମାନ ଅଧିକ ଲାଭ ଆଶାରେ କମ୍ପାନିର ପ୍ରତିନିଧିମାନେ ସବୁ ପ୍ରକାର ନିୟମ ଉଲ୍ଲଂଘନ କରି ଯିଏ ଯେମିତି ପାରିଲା ଗଛ ଓପାଡ଼ି ନେଉଛନ୍ତି।ଫଳସ୍ବରୂପ ମାତ୍ରାଧିକ ବଜାର ଚାହିଦା ଯୋଗୁଁ ଆକଡ଼ ବିନ୍ଦୁ, ଗଛକଟା ଯୋଗୁଁ ଅମୃତ, ବାଇ ବିଦାଙ୍ଗନା, ଦାରୁ ହଳଦୀ, ଗଜ ପିପଳି, ଘୋଡ଼ା ବାଇଡଙ୍କ ଭଳି ଅନେକ ଔଷଧୀୟ ଗଛ ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଲାଣି। ଜଙ୍ଗଲପୋଡ଼ି ଯୋଗୁଁ ଭୁଲନ ଜାଡ଼ି, ସହସ୍ର ଭେଡ଼ି, ଲଘୁବନଜାତ ସଂଗ୍ରହ ବେଳେ ଫଣଫଣା ଆଦି ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ମଧ୍ୟ ଔଷଧୀୟ ଗଛ ଲୋପ ପାଇବାର ବଡ଼ କାରଣ ହୋଇଛି। ଏହାର ଏକ ବିସ୍ତୃତ ବିବରଣୀ ସମ୍ବଲପୁର ବିଶ୍ବବିଦ୍ୟାଳୟର ଏହି ଅଧ୍ୟୟନ କେନ୍ଦ୍ର ପ୍ରଦାନ କରିଛି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଗଛଗୁଡ଼ିକର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଜନଜାତିଙ୍କ ଠାରୁ ଏହି ଗଛଗୁଡ଼ିକ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରି ଦସ୍ତାବିଜ ପ୍ରସ୍ତୁତ ଏବଂ ଗଛ ସୁରକ୍ଷା ନେଇ ସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି।
ବୈଦ୍ୟ ବିଭୂତି ଭୂଷଣ ମୁଣ୍ଡ କହିଛନ୍ତି, ସ୍ଥାନୀୟ ଲୋକଙ୍କ ବିଶ୍ବାସ ରହିଛି, ହିମାଳୟ ସହିତ ସମାନ ପ୍ରକାର ଔଷଧୀୟ ଗଛ ଗନ୍ଧମାର୍ଦନରେ ରହିଛି। ୨୦୦୦ ମସିହା ପରେ ରାୟପୁରରୁ ଆସୁଥିବା ଔଷଧୀୟ କମ୍ପାନିଙ୍କ ନଜର ଏହି ପାହାଡ଼ ଉପରେ ପଡ଼ିବା ଠାରୁ ଏଭଳି ଅବସ୍ଥା ହୋଇଛି। ବନ ବିଭାଗ ପକ୍ଷରୁ ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ଆରମ୍ଭ ହୋଇଥିଲା। କିନ୍ତୁ ଏହା ୨୦୦୮ ମସିହାରୁ ବନ୍ଦ ପଡ଼ିଛି। ପାହାଡ଼ ସୁରକ୍ଷା ପାଇଁ ଏଠାରେ ଥିବା ଜଙ୍ଗଲ ବିଭାଗ କର୍ମଚାରୀ ମଧ୍ୟ ନିଅଣ୍ଟ ଅଟନ୍ତି। ଏକଦା ଗନ୍ଧମାର୍ଦନର ସୁରକ୍ଷା ପାଇଁ ବରଗଡ଼ ଏବଂ ବଲାଙ୍ଗୀର ଜିଲ୍ଲା ଅଧିବାସୀ ଲଢ଼େଇ କରିଥିଲେ। ଆଜି ସେହି ଗନ୍ଧମାର୍ଦନ ବିପଦରେ ପଡ଼ିଥିଲେ ମଧ୍ୟ ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି।