ନକଲି ମୋବିଲ୍‌ କାରଖାନା ଠାବ: ଇଞ୍ଜିନ୍‌ ଅଏଲ୍‌, ଲେବୁଲ୍‌, ବୋତଲ ଜବତ

  • କେତେଦିନ ଧରି ନକଲି କାରଖାନା ଚାଲୁଥିଲା?
  • କେଉଁକେଉଁ ଅଞ୍ଚଳକୁ ଏସବୁ ନକଲି ସାମଗ୍ରୀ ଚାଲାଣ ହେଉଥିଲା?
  • ଏହି କାରବାରରେ କେତେ ଜଣଙ୍କର ସମ୍ପୃକ୍ତି ରହିଛି ଆଦି ବିଷୟରେ ପୁଲିସ ତଦନ୍ତ ଚଳାଇଛି। 

ରାଉରକେଲା/ଭୁବନେଶ୍ୱର, ୧୫-୦୯-୨୦୨୪(ପିପିଏସ): ନାଲାରୋଡ୍‌ ରାଜା ଷ୍ଟ୍ରିଟ୍‌ରୁ ପୁଣି  ନକଲି ମୋବିଲ୍‌(ଇଞ୍ଜିନ ଅଏଲ) କାରଖାନା ଠାବ ହୋଇଛି। ପ୍ଲାଣ୍ଟସାଇଟ୍‌ ପୁଲିସ କାରଖାନାରେ ଚଢ଼ଉକରି ବିପୁଳ ପରିମାଣର ଖାଲି ବୋତଲ, ଠିପି, ବାର୍‌କୋଡ୍‌, ନାମୀଦାମୀ କମ୍ପାନୀର ଲେବୁଲ୍‌, ନକଲି  ଅଏଲ୍‌ ଜାର୍‌ ଆଦି ଜବତ କରିଛି।ଚଢ଼ଉ ପରେ କାରଖାନା ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। କେତେଦିନ ଧରି ନକଲି କାରଖାନା ଚାଲୁଥିଲା? କେଉଁକେଉଁ ଅଞ୍ଚଳକୁ ଏସବୁ ନକଲି ସାମଗ୍ରୀ ଚାଲାଣ ହେଉଥିଲା? ଏହି କାରବାରରେ କେତେ ଜଣଙ୍କର ସମ୍ପୃକ୍ତି ରହିଛି ଆଦି ବିଷୟରେ ପୁଲିସ ତଦନ୍ତ ଚଳାଇଛି। 

ସୂଚନାଯୋଗ୍ୟ ଯେ, ୨୦୨୩  ମାର୍ଚ୍ଚ ୨୦ରେ ‌ଏହି ଜାଗାରୁ ନକଲି ମୋବିଲ୍‌ କାରଖାନା ଠାବ ହୋଇଥିଲା। ମାଲିକ ତସ୍‌ଲିମ୍‌ ଆରିଫକୁ ପୁଲିସ ଗିରଫକରି କୋର୍ଟଚାଲାଣ କରିଥିଲା। ୨୦୨୩ ମାର୍ଚ୍ଚ ୨୧ରେ ପ୍ଳାଣ୍ଟସାଇଟ୍‌ ପୁଲିସ ବିପୁଳ ପରିମାଣର ନକଲି ଇଞ୍ଜିନ୍‌ ଅଏଲ୍‌ ଜବତ କରିଥିଲା। ଜବତ ମଧ୍ୟରେ ରହିଥିଲା ୧୨୮୧ ବୋତଲ(୧ ଲିଟର ଲେଖାଏଁ) ମୋବିଲ୍‌, ଶହଶହ ସଂଖ୍ୟାରେ ଖାଲି ବୋତଲ, ୨୦୦୦ରୁ ଅଧିକ ଠିପି, ୬ଟି ପ୍ଲାଷ୍ଟିକ୍ ଜାର୍‌ ଭର୍ତ୍ତି ନକଲି ମୋବିଲ୍, ନାମୀଦାମୀ କମ୍ପାନୀର ଲେବୁଲ ଓ ନକଲି ମୋବିଲ୍‌ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ। ଜବତ ମୋବିଲର୍‌ ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଥିଲା। ମୁଖ୍ୟ ଅଭିଯୁକ୍ତ ତସଲିମ୍ ଆରିଫକୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିଲା।

Leave A Reply

Your email address will not be published.