ସୁକମା/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ଛତିଶଗଡ଼ର ସୁକମାରେ ଗୁଣି ଗାରେଡ଼ି ଓ କଳାଯାଦୁ କରୁଥିବା ସନ୍ଦେହରେ ୫ ଜଣଙ୍କୁ ଲାଠିରେ ପିଟି ପିଟି ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଏହି ଘଟଣା ଘଟିଛି କୋଣ୍ଟା ଥାନା ଅଧୀନ ଇଟାଲ ଗାଁରୁ। ସମସ୍ତ ମୃତକ ଇଟାଲ ଗ୍ରାମର ବାସିନ୍ଦା । ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ, କୋଣ୍ଟା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ ଗ୍ରାମର ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି। କୋଣ୍ଟା ଥାନା ଅନ୍ତର୍ଗତ ଏକତାଲ ଗ୍ରାମରେ ଘଟିଥିବା ଏହି ଘଟଣା ରେ ମୃତକମାନେ ହେଲେ ମୌସମ କନ୍ନା (୩୪), ତାଙ୍କ ପତ୍ନୀ ମୌସମ ବିରି, ମୌସମ ବୁଚ୍ଛା (୩୪), ତାଙ୍କ ପତ୍ନୀ ମୌସମ ଆରଜୁ (୩୨) ଏବଂ ଅନ୍ୟ ଜଣେ ମହିଳା କାର୍କା ଲଛି (୪୩)। ଖବର ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ହେଲେ ସଭାଲମ ରାଜେଶ (୨୧), ସବଲମ ହିଡମା, କରମ ସତ୍ୟମ୍ (୩୫), କୁଞ୍ଜମ ମୁକେଶ (୨୮) ଓ ପୋଡିୟମ୍ ଏଙ୍କା। ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଇଟାଲ ଗାଁରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମୃତ୍ୟୁ ସ୍ପଷ୍ଟ କାରଣ ଜଣାପଡ଼ି ନଥିବା ବେଳେ ଗୁଣି ଗାରେଡ଼ି ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକେ କହିଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ପରିବାର ଉପରେ ସନ୍ଦେହ ପ୍ରକାଶ କରିଥିଲେ। ଆଜି ସକାଳେ କିଛି ଗ୍ରାମବାସୀ ସଂଘବଦ୍ଧ ଭାବେ ଉକ୍ତ ପରିବାରର ଘରେ ପଶିଥିଲେ। ସେମାନେ ସେହି ପରିବାରର ୫ ଜଣ ସଦସ୍ୟଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଖବର ପାଇ କୋଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି ।
ରାଜ୍ୟରେ ଏହିପରି ଏକ ଘଟଣା ଗତ ଗୁରବାର ଘଟିଥିଲା । ରାଜ୍ୟର ବାଲୋଦାବଜାର-ଭାଟପଡ଼ା ଜିଲ୍ଲାରେ ଜଣେ ୧୧ ମାସର ଶିଶୁ ସମେତ ଗୋଟିଏ ପରିବାରର ୪ ଜଣଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।