ବନ୍ୟା ପରର ବିପର୍ଯ୍ୟୟ, ଦୁର୍ଗମ ଅଞ୍ଚଳରେ ଡାଇରିଆ ଆତଙ୍କ : ଚିକିତ୍ସା ପାଇଁ ସଜାଗ ସ୍ୱାସ୍ଥ୍ୟ ବିଭାଗ

  • ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର
  • ଗୁରୁତର ମାନଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର
  • ଦୂଷିତ ପାଣି ଏବଂ ବିଷାକ୍ତ ଖାଦ୍ୟ ହୋଇପାରେ କାରଣ

ମାଲକାନଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ପ୍ରଥମେ ପ୍ରବଳ ବର୍ଷା ଓ ତା’ପରେ ବନ୍ୟା l ଏବେ ଦେଖାଦେଇଛି ବନ୍ୟା ପରର ବିଭୀଷିକା l ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ ଦେଖାଦେଇଛି ଡାଇରିଆ ଆତଙ୍କ। ବ୍ଳକର ତୁଳସୀ, ବାରା, କୋପ୍ରା, କର୍ତ୍ତନପାଲି, ଅଟାଳଗୁଡା ଭଳି ଗାଁ ମାନଙ୍କରେ ଝାଡାବାନ୍ତିର ପ୍ରକୋପ ଦେଖିବାକୁ ମିଳିଛି । ଭିନ୍ନଭିନ୍ନ ଗାଁ ରେ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରୋଗୀଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଗ୍ରାମବାସୀଙ୍କ ତରଫରୁ ସୂଚନା ମିଳିଛି l ଶନିବାର ରାତିରେ ଲୁଲେର ଗ୍ରାମର ସୁବର୍ଣା ନାୟକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଝାଡାବାନ୍ତିର ପ୍ରକୃତ କାରଣ ଜଣାପଡିନଥିବା ବେଳେ, ଦୂଷିତ ପାଣି ଏବଂ ବିଷାକ୍ତ ଖାଦ୍ୟ ଯୋଗୁଁ ଏପରି ହେଉଥିବା ସଂନ୍ଦେହ କରାଯାଉଛି । ତେବେ ପ୍ରଶାସନ ତରଫରୁ ଡାଇରିଆ ଜନିତ ମୃତ୍ୟୁକୁ ଖଣ୍ଡନ କରାଯାଇଛି l ସବୁ ଗାଁ ମାନଙ୍କରେ ସ୍ବାସ୍ଥ୍ୟବିଭାଗ ତରଫରୁ ଟିମ ସଜାଗ ରହି ରୋଗୀ ମାନଙ୍କର ଚିକିତ୍ସା କରାଯାଉଛି,ଏପରିକି ଦୁର୍ଗମ ତୁଳସୀ ପାହାଡରେ ଡାକ୍ତରୀ ଟିମ ଦୁଇଦିନ ହେଲା କ୍ୟାମ୍ପ କରି ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ସ୍ବାସ୍ଥ୍ୟବିଭାଗ ତରଫରୁ ଖାଦ୍ୟ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

Leave A Reply

Your email address will not be published.