- ବରିଷ୍ଠ ପ୍ରଫେସରଙ୍କ ବିରୋଧରେ ମାସେ ତଳୁ ହୋଇଛି କୁଳପତିଙ୍କୁ ଚିଠି
- ଘଟଣା ସମ୍ପର୍କରେ ଅବଗତ ଥାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ
- କର୍ତ୍ତୃପକ୍ଷ ପ୍ରଫେସରଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ
ଭୁବନେଶ୍ବର,୧୫-୦୯-୨୦୨୪(ପିପିଏସ) : ବାଣୀବିହାର ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଜଣେ ପ୍ରଫେସର ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି। ଆଉ ଏହି ଅଭିଯୋଗ ଆଣିଛନ୍ତି ନିଜ ବିଭାଗର ଜଣେ ଛାତ୍ରୀ। ପୀଡ଼ିତା ଏନେଇ ବିଶ୍ୱବିଦ୍ୟାଳୟର ସେକ୍ସୁଆଲ୍ ହାରାସ୍ମେଣ୍ଟ ସେଲ୍ରେ ଅଭିଯୋଗ କରିଛନ୍ତି। ସେକ୍ସୁଆଲ୍ ହାରାସ୍ମେଣ୍ଟ ସେଲ୍ ପକ୍ଷରୁ ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି।
ସେକ୍ସୁଆଲ୍ ହାରାସ୍ମେଣ୍ଟ ସେଲ୍ରେ ହୋଇଥିବା ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିଲେ। ଠିକ୍ସେହି ସମୟରେ ଛାତ୍ରୀ ଜଣକ ବହି ଆଣିବାକୁ ପ୍ରଫେସରଙ୍କ ଚ୍ୟାମ୍ୱରକୁ ଯାଇଥିଲେ। ସେତେବେଳେ ପ୍ରଫେସର ତାଙ୍କୁ ବସିବା ପାଇଁ କହିଥିଲେ। ସେ ବସିବା ପରେ ପ୍ରଫେସର ତାଙ୍କ ପାଖରେ ଆସି ବସିଥିଲେ। ଆଉ ତା’ପରେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ବାରମ୍ବାର ସ୍ପର୍ଶ କରିଥିଲେ। ଛାତ୍ରୀ ଜଣକ ଏହାର ବିରୋଧ କରି ତାଙ୍କ କବଳରୁ ବାହାରି ଆସିଥିଲେ । ତେବେ ଚ୍ୟାମ୍ୱର ଛାଡ଼ିବା ପୂର୍ବରୁ ଛାତ୍ରୀଙ୍କୁ ପ୍ରଫେସର କହିଥିଲେ, ତୁମକୁ ଯଦି ଏହା ଭଲ ଲାଗିଲା, ତାହାହେଲେ ଆଉ ଥରେ ଆସିବ। ମୁଁ ତୁମକୁ ପାଠ ପଢ଼ାରେ ସାହାଯ୍ୟ କରିବି। ଯଦି ଭଲ ନଲାଗିଲା, ତାହାହେଲେ ଆସିବ ନାହିଁ। କିନ୍ତୁ ଯାହା ଘଟିଲା, ସେ ନେଇ କାହାକୁ କିଛି କହିବ ନାହିଁ ବୋଲି ପ୍ରଫେସର କହିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।
ପୀଡ଼ିତ ଛାତ୍ରୀ ଜଣକ ଆହୁରି କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ କାହାକୁ କହିବାକୁ ସାହସ ପାଇ ନଥିଲା । ପରିବାରରେ ମା’ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଜଣାଇବା ସମ୍ଭବ ନଥିଲା । ତେବେ କ୍ୟାମ୍ପସରେ ଏଭଳି ଘଟଣା ଘଟିଥିବା ପରିପ୍ରେକ୍ଷୀରେ ଛାତ୍ରୀଜଣକ ମାନସିକ ଭାବେ ଭାଙ୍ଗି ପଡ଼ି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ । ଇତିମଧ୍ୟରେ ଗୋଟିଏ ମାସ ବିତିବାକୁ ବସିଲାଣି । ହେଲେ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ବିଭିନ୍ନ ଆଡ଼ୁ ଘଟଣାକୁ ନିନ୍ଦା କରାଯିବା ପରେ ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଏବେ ତନାଘନା ଆରମ୍ଭ କରିଛି । କ୍ୟାମ୍ପସରେ ଘନଘନ ବୈଠକ ବସିବା ସହ ଅଭିଯୋଗର କେତେ ସତ୍ୟତା ରହିଛି ତଦନ୍ତ କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇସିସିର ସଦସ୍ୟମାନେ ଛାତ୍ରୀଙ୍କୁ ଡାକି ଅଭିଯୋଗ ଶୁଣିଛନ୍ତି। ତେବେ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏମିତିକି ତଦନ୍ତ ଚାଲିଥିବାରୁ ତାଙ୍କ ଉପରେ କୌଣସି ପ୍ରକାର କଟକଣା ଲାଗି ନାହିଁ । ବରଂ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଫେସରଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ସମ୍ପର୍କରେ ବିଶ୍ବବିଦ୍ୟାଳୟର କୌଣସି ଅଧିକାରୀ ମୁହଁ ଖୋଲି ନାହାନ୍ତି । ଆଇସିସି ମୁଖ୍ୟ ମଧ୍ୟ ସମ୍ପୂର୍ଣ୍ଣ ନିରବ । ତେବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୋଗର ତଦନ୍ତ ଚୂଡ଼ାନ୍ତ ହୋଇଛି । ଖୁବ୍ଶୀଘ୍ର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରାଯିବ।