ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ସ୍ଥିତି ସାଂଘାତିକ । ଯୁଆଡ଼େ ଯିବ, ସିଆଡ଼େ ଖାଲଖମା । ରାସ୍ତାରୁ ପିଚୁ ଉଠିଗଲାଣି । ଗୋଡ଼ି ବିଛାଇ ହୋଇ ପଡ଼ିଛି। କେଉଁଠି କାଦୁଅ, ଆଉ କେଉଁଠି ପାଣି । ଟିକିଏ ନଜର ହଟିଲେ, ଦୁର୍ଘଟଣା ହେବା ଥୟ । କେତେବେଳେ ଯେ ଏ ରାସ୍ତା ମାରିଦେବ, କହି ହେବନି । ସ୍ମାର୍ଟ ସିଟି ଭୁବନେଶ୍ୱରର ରାସ୍ତାଘାଟ ଅବସ୍ଥା ଏମିତି ବିପଜ୍ଜନକ ଅବସ୍ଥାରେ ରହିଛି । ଭୁବନେଶ୍ୱରର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଯେଉଁଆଡ଼େ ଯିବେ ତ୍ରାହି ମିଳିବନି ରାସ୍ତା ସମସ୍ୟାରୁ । ସବୁଠି ଆଁ ମେଲାଇ ଚାହିଁଛି ଖାଲଖମା ରାସ୍ତା । ସ୍ଥିତି ଏତେ ଉଦବେଗଜନକ ଯେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଚିନ୍ତାର ବିଷୟ ହେଲା, ପ୍ରତିବର୍ଷ ଅନ୍ୟୁନ ଥରେ କିମ୍ବା ଦୁଇ ଥର ପ୍ରତି ରାସ୍ତା ମରାମତି ହେଉଛି ।
କେଉଁଠି ତାଳି ପକା ପିଚୁ ଢଳା ଯାଉଛି, ଆଉ କେଉଁଠି ପୂରା ନୂଆ କାମ ହେଉଛି । ହେଲେ ୪ ମାସ ବି ଯାଉନି, ପୁଣି ପିଚୁ ଛେଲା ଉଡ଼ିଯାଉଛି । ପୂର୍ତ୍ତ ମନ୍ତ୍ରୀ ଶୁକ୍ରବାର ଜରୁରୀ ବୈଠକ ଡାକିଛନ୍ତି ସ୍ଥିତି ସମୀକ୍ଷା କରିବା ପାଇଁ । ନଜର ପକାନ୍ତୁ ସ୍ମାର୍ଟ ସିଟିର ସ୍ମାର୍ଟ ଜନପଥ ଉପରେ। ବାଣୀବିହାରରୁ ସତ୍ୟନଗର ରାସ୍ତାରୁ ପିଚୁ ଉଠିଗଲାଣି । ରାସ୍ତାରେ ଗୋଡ଼ି ବିଛାଇ ହୋଇ ପଡ଼ିଛି । ରାଜମହଲ ଛକ ଉପରେ ଖାଲ ଏତେ ଯେ ବର୍ଷା ହେଲେ ପାଣି ଜମୁଛି । ଏଜିରୁ ରାଜମହଲ ରାସ୍ତାରେ ବି ସମାନ ସ୍ଥିତି । ଭୁବନେଶ୍ୱରର ପ୍ରବେଶ ପଥ ରସୁଲଗଡ଼ ଛକ । ରସୁଲଗଡ଼ ଓଭରବ୍ରିଜ ତଳେ ବିରାଟ ଖାଲ । ବର୍ଷା ହେଲେ ଗାଡ଼ି ପଡ଼ିଯାଉଛି ଏ ଖାଲରେ। ଲୋକେ ରାସ୍ତା ପାର ପାଇଁ
ନାକେଦମ ହେଉଛନ୍ତି । ଭିଏସ୍ଏସ୍ ନଗର-ଚକେଇସିଆଣୀ ରାସ୍ତା ସାରା ଖାଲି କାଦୁଅ । ଭିଏସଏସନଗର ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍ ତଳେ ପଚପଚ କାଦୁଅ ଆଉ ପାଣି । ଦେଖିଲେ ଲାଗିବ କେଉଁ ଦୁର୍ଗମ ପାହାଡ଼ି ଅଞ୍ଚଳ । ପୁରୁଣା ଭୁବନେଶ୍ୱର ବିବେକାନନ୍ଦ ମାର୍ଗରେ ଗଲେ ସାନିଟାରୀ ଛକରେ ଗାଡ଼ିମଟର ଧଡ଼ଧଡ଼ ହେବ । ରାସ୍ତାରୁ ପିଚୁ ଉଠିପଡିଛି । ସବୁଠି ଠାଏଠାଏ ପାଣି ଜମିଛି । ସୁନ୍ଦରପଦା
ଗୋଲେଇ ଛକରେ ମଧ୍ୟ ରାସ୍ତାରୁ ପିଚୁ ଉଠିଗଲାଣି । ପ୍ରତିଦିନ ସେଇଠି ଲୋକେ ପଡ଼ୁଛନ୍ତି । କପିଳେଶ୍ୱର ରାସ୍ତା ଅବସ୍ଥା ବି ଶୋଚନୀୟ ।
ଖଣ୍ଡଗିରି-ଜାଗମରା ଓ ଗଣ୍ଡମୁଣ୍ଡା-ପୋଖରୀପୁଟ ସାରା ଏତେ ଖାଲ ଯେ ଗଣିବା ମୁସ୍କିଲ । ଶିରିପୁର- ସିଟି ମହିଳା କଲେଜ ରାସ୍ତା ସୁଧୁରୁ ନାହିଁ । ଜାଗମରା[1]ସୌଭାଗ୍ୟନଗର ରାସ୍ତାରେ ବି ପିଚୁ ଉଠିଗଲାଣି । ଜୟଦେବ ବିହାର- ବିଜୁ ପଟ୍ଟନାୟକ କଲେଜ ରାସ୍ତା, ଷ୍ଟିୱାର୍ଟ ସ୍କୁଲ- ଡେଲ୍ଟା, ନନ୍ଦନକାନନ- ଆଚାର୍ଯ୍ୟବିହାର ରାସ୍ତା, ଡୁମୁଡୁମା, ପାତ୍ରପଡ଼ା, କଳ୍ପନା ଛକ-କଟକ ରୋଡ, ବମିଖାଲ ରାସ୍ତା ବି ନିତି କନ୍ଦାଉଛି । କଳିଙ୍ଗ ଷ୍ଟୁଡିଓ ଛକରୁ ରେଣ୍ଟାଲକୁ ଲମ୍ବିଥିବା ରାସ୍ତା କିଛି ମାସ ତଳେ ହୋଇଥିଲା । ଏବେ ଦୟନୀୟ । ସେହିପରି ଶାମପୁର- ମେଣ୍ଢାଶାଳ ରାସ୍ତା ବି ମରାମତି ହେଉନି । ଏସବୁ ମୁଖ୍ୟ ରାସ୍ତା ଅବସ୍ଥା ଏମିତି ହୋଇଥିବାବେଳେ ଗଳିକନ୍ଦି କଥା ନ କହିବା ଭଲ । ପ୍ରତି ବର୍ଷ ପୂର୍ତ୍ତ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବିଡ଼ମ୍ବନା, କୌଣସି ଗୋଟିଏ ରାସ୍ତାର ଆୟୁଷ ମାତ୍ର ବର୍ଷେ ଯାଉନି । ବର୍ଷକ ଭିତରେ ରାସ୍ତା ପୂରା ଛେଲି ହୋଇଯାଉଛି । ଲାଗୁଛି ଯେମିତି କେହି ଏସ୍କାଭେଟର ଧରି ରାସ୍ତାକୁ ଖୋଳି ତାଡ଼ି ପକାଇଛି ।