ବନ୍ଧା ହେଲେ କୋଟିପତି ସହକାରୀ ଯନ୍ତ୍ରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଗତକାଲି ପ୍ରସନ୍ନଙ୍କ ଭଞ୍ଜନଗର ବାଗଦେବୀ ରୋଡରେ ଥିବା ଦୁଇଟି ତିନି ମହଲା ଘର, ବ୍ରହ୍ମପୁର ତୁଳସୀନଗରର ୪ ମହଲାବିଶିଷ୍ଟ ବିଲଡିଂ, ଭଞ୍ଜନଗର ରଘୁନାଥ ବିହାରରେ ଥିବା ଜଣେ ସଂପର୍କୀୟଙ୍କ ଘର, ବାଗଦେବୀ ରୋଡରେ ଥିବା ତାଙ୍କର ଜଣେ ଭାଇଙ୍କ ଘର, ଭଞ୍ଜନଗର ଅଫିସ୍ ଓ ଲୁଡୁଲୁଡିରେ ଥିବା ପୈତୃକ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଚଢ଼ାଉ ବେଳେ ୬ଟି ବହୁତଳ କୋଠା ଠାବ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ହେବ । ସେହିପରି ପ୍ରସନ୍ନଙ୍କର ବ୍ରହ୍ମପୁରର ତୁଳସୀ ନଗରରେ ଏକ ୪ ମହଲା କୋଠା ଠାବ କରିଥିଲା ଭିଜିଲାନ୍ସ । ଯାହାର ମୂଲ୍ୟ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ । ଏଥିସହ ୨ଟି ୩ ମହଲା କୋଠା, ୨ଟି ୨ମହଲା କୋଠା, ୫ଟି ପ୍ଲଟ୍ ନଗଦ ୨୩.୯୪ ଲକ୍ଷ ଟଙ୍କା ସମେତ ୨୦୦ଗ୍ରାମ ସୁନା ବି ଜବତ କରାଯାଇଥିଲା ।

ପ୍ରସନ୍ନ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଉଚରା କରିଥିଲା। ହେଲେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଭିଜିଲାନ୍ସ ଆଜି ପ୍ରସନ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.