ପାର୍ବଣ ଆରମ୍ଭରୁ ଅନ୍ଧାରରେ ଝୁଣ୍ଟୁଛନ୍ତି ଉପକଣ୍ଠବାସୀ

ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ପାର୍ବଣ ଆସିଗଲାଣି। ସଦ୍ୟ ଗଣେଶ ପୂଜା ସରିଥିବାବେଳେ ଆଉ କିଛିଦିନରେ ଦଶହରା ପାଇଁ ସହର ଉତ୍ସବମୁଖର ହୋଇ ଉଠିବ। ଦଶହରା ପାଇଁ ଲୋକଙ୍କ ଗହଳି ଯେତିକି ବଢ଼ିବ, ଅସାମାଜିକ ତତ୍ତ୍ବଙ୍କର ଆତଙ୍କ ବି ସେତିକି ବଢ଼ିବ। ହେଲେ ସମ୍ପ୍ରସାରିତ ସ‌ହର ଆଉ ଉପକଣ୍ଠର ରାସ୍ତାଗୁଡିକରେ ଏବେ ଅନ୍ଧାର ରାଜୁତି କରୁଛି। ଅନ୍ଧାର ଯୋଗୁଁ ସଞ୍ଜ ନଇଁଲେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଥିବା ବେଳେ ଅପରାଧୀମାନେ ଆତଙ୍କ ରଚୁଛନ୍ତି। ଆଲୋକ ବ୍ୟବସ୍ଥା ନ ଥ‌ିବାରୁ ଦୁର୍ଘଟଣା ଘଟି ଧନଜୀବନ ହାନି ହେବା ତ ନିତିଦିନିଆ କଥା ହୋଇଗଲାଣି। ଏବେ ବର୍ଷା ଯୋଗୁଁ ପରିସ୍ଥିତ ଆହୁରି ଜଟିଳ ହୋଇ ପଡ଼ିଛି। ଉପକଣ୍ଠରେ ଆବାସିକ ଆପାର୍ଟମେଣ୍ଟ, ଶିକ୍ଷାନୁଷ୍ଠାନ ଓ ସରକାରୀ ବେସରକାରୀ ବହୁ ଅନୁ‌ଷ୍ଠାନ ଗଢ଼ି ଉଠିଛି। ହେଲେ ଅଧିକାଂଶ ଅଞ୍ଚଳରେ ଯିବାଆସିବା ପାଇଁ ଭଲରାସ୍ତାଟିଏ ନାହିଁ। ଯେଉଁଠି ବି ଅଛି, ସେଠି ଆଲୋକ ବ୍ୟବସ୍ଥା କରାଯାଇନାହିଁ। ଶ୍ୟାମପୁରରୁ ଜିଏ କଲୋନି ରାସ୍ତାରେ ରାତି ହେଲେ ଲୋକେ ଯିବାକୁ ଭୟ କରୁଛନ୍ତି। ସଂପୂର୍ଣ୍ଣ ଅନ୍ଧାର ରହୁଥିବା ଏହି ଅଞ୍ଚଳରେ ଚୋରି ଡକାୟତି ବଢ଼ିବାରୁ ୨ବର୍ଷ ତଳେ ଆଲୋକୀକରଣ ହେଲା। ହେଲେ ପାର୍ବଣର ମାସେ ଆଗରୁ ଅଞ୍ଚଳରେ ପୁଣି ଅନ୍ଧାରର ରାଜୁତି କରୁଛି। 
ଡିଭିଜନ୍-୫ ଅଧୀନରେ ଥ‌ିବା ଗୋହିରା-ଛତାବର ରାସ୍ତା ଉପରେ ପାଖାପାଖି ୪୦ ହଜାର ଲୋକ ନିର୍ଭର କରନ୍ତି। ଛତାବର, ମେଣ୍ଢାଶାଳ, ଅରିଶଲ, ମଦନପୁର, ବଡ଼ରଘୁନାଥପୁର, ଦେଉଳିଆପାଟଣା ଓ ଆଖପାଖ ଅଞ୍ଚଳର ଆହୁରି କେତେ ହଜାର ଲୋକ ଏହି ରାସ୍ତା ଦେଇ ପ୍ରତିଦିନ ଯା’ଆସ କରୁଛନ୍ତି। ରାସ୍ତାକଡ଼ରେ ବିଦ୍ୟୁତ୍‌ ଖୁଣ୍ଟି ଅଛି, କିନ୍ତୁ ଲାଇଟ୍ ଲଗାଯାଇନି। ତେଣୁ ସନ୍ଧ୍ୟା ହେଲେ ଗୋହିରା ଠାରୁ ଛତାବର ଯାଏଁ ୬ କିଲୋମିଟର ରାସ୍ତାରେ ଯିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି। ପୁଣି ଗୋହିରା ଠାରୁ ମଦନପୁର ରାସ୍ତା ଅଣଓସାରିଆ।ରାସ୍ତାରେ ଗୋଟିଏ ଗାଡ଼ି ଆସିଲେ ଆଉ ଗୋଟିଏ ବଡ଼ଗାଡ଼ି ଯିବାକୁ ରାସ୍ତା ନାହିଁ। ତେଣୁ ଅନ୍ଧାର ରାସ୍ତ‌ା ଲୋକଙ୍କୁ ବହୁ କଷ୍ଟରେ ପକାଉଛି। ନିକଟରେ ଗୀତା, ଗାନ୍ଧି, ନିସ୍ ଭଳି ବଡ଼ କଲେଜ ଓ ମଦନପୁର ‌କଲେଜ ସମେତ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଭଳି ବଡ଼ ସରକାରୀ ଅନୁଷ୍ଠାନ ମଧ୍ୟ ଅଛି। ସେଠାରେ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ଅନ୍ଧାର ରାସ୍ତା ପାଇଁ ଭାରି ହଇରାଣ ହେଉଛନ୍ତି। କେବେ ସରିସୃପ ଭୟରେ ତ କେବେ ଅସାମାଜିକଙ୍କ ଆତଙ୍କରେ ସନ୍ଧ୍ୟାପରେ ଖାଇବା ପାଇଁ ମଧ୍ୟ ବାହାରକୁ ବାହାରୁ ନାହାନ୍ତି।ନୂଆଗାଁ – କାଟେଣୀ ରାସ୍ତାର ଅବସ୍ଥା ମଧ୍ୟ ସମାନ। ସ୍ଥାନୀୟ ଅଞ୍ଚଳରେ ଆଇଆଇଆଇଟି, ଟାଇମ୍ସ ଗୁରୁକୁଳ, ଆଇଏମଆଇ ଏବଂ ଆହୁରି ବହୁ ବଡ଼ ପ୍ରତିଷ୍ଠାନ ରହିଛି। ପ୍ରତିଦିନ ନୂଆ ଦୋକାନ ଓ ଶିକ୍ଷାନୁଷ୍ଠାନ ଗଢ଼ି ଉଠୁଛି। ଅନେକ ଘରୋଇ ଡାକ୍ତରଖାନା ଓ ହଷ୍ଟେଲ୍‌ ମଧ୍ୟ ରହିଛି। ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଥିବାରୁ ମଳିପଡା, ଗୋଠପଟଣା, ପାଇକରାପୁର, କ୍ରିଷ୍ଣାପୁରୀ କଲୋନୀ, ଘଙ୍ଗାପାଟଣା, କାଟେଣୀ ଆଦି ଅଞ୍ଚଳରେ ଜନସଂଖ୍ୟା ପୂର୍ବ ଅପେକ୍ଷା ଢେର୍‌ ବୃଦ୍ଧି ପାଇଛି। ତେଣୁ ସଞ୍ଜ ହେଲେ ଏହି ରାସ୍ତାରେ ନାହିଁ ନ ଥ‌ିବା ଭିଡ଼ ହେଉଛି। ଅନ୍ଧାର ସହିତ ରାସ୍ତା ଅଣଓସାରିଆ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି।ଅନ୍ୟପକ୍ଷରେ କଳିଙ୍ଗ ବିହାର-ଘାଟିକିଆ ରାସ୍ତାକୁ ପ୍ରତିଦିନ କଳିଙ୍ଗବିହାର, ଘାଟିକିଆ, ଶ୍ୟାମପୁର ସମେତ ଅନେକ ବଡ଼ ଆପାର୍ଟମେଣ୍ଟରେ ରହୁଥିବା ଲୋକ ବ୍ୟବହାର କରନ୍ତି। ଅଞ୍ଚଳକୁ ଲାଗି ଓୟୁଟିଆର ଓ ବଡ଼ ବଡ଼ ଶିକ୍ଷା‌ନୁଷ୍ଠାନ ମଧ୍ୟ ରହିଛି। ସେଥିପାଇଁ ରାସ୍ତାରେ ଦିନରାତି  ଗହଳି ଲାଗି ରହୁଛି। କିନ୍ତୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାସ୍ତାରେ ଆଲୁଅ ନାହିଁ। ଖୁଣ୍ଟି ଅଛି, ଲାଇଟ୍‌ ବି ଲାଗିଛି। ହେଲେ ଜଳୁନି। ମଝିରେ ଅବଶ୍ୟ ଅଧ‌ା‌ ଜଳୁଥିଲା, ଅଧା ଜଳୁନଥିଲା। ହେଲେ ୬ମାସ ହେଲାଣି ସବୁ ଅନ୍ଧାର। ସଞ୍ଜହେଲେ ପୂରା ଇଲାକାରେ ଅନ୍ଧାର ରାଜୁତି କରୁଛି। ଲୋକେ ଯିବାକୁ ଭୟ କରୁଛନ୍ତି। କେବଳ ଗୋଟିଏ ଟ୍ବିଟ୍‌ରେ ବିଏମ୍‌ସି ତୁରନ୍ତ ମରାମତି କରୁଥିବା ଦାବି କରୁଥିବା ବେଳେ ଏ ଅଞ୍ଚଳର ଅସଂଖ୍ୟ ଅଭିଯୋଗକୁ ଅଣଦେଖା କରିଆସୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। 

କେବଳ ଏହି ରାସ୍ତା ନୁହେଁ, କେ-୪, କେ-୫, କେ-୬, କେ-୭ କଲୋନିର ଏକାଧିକ ରାସ୍ତା ଅନ୍ଧାରରେ ରହିଛି। ଏହି ରାସ୍ତାରେ ଛିନ୍‌ତାଇ ବଢ଼ିବା ସହ ଆକ୍ରମଣ ଘଟଣା ମଧ୍ୟ ବଢ଼ିଚାଲିଛି। ସେହିଭଳି ଆର୍‌ଆଣ୍ଡବି ଡିଭିଜନ-୩ ଅଧୀନରେ ଆସୁଥ‌ିବା ସୁନ୍ଦରପୁର ଡିଏନ୍‌ ସ୍କୁଲ ଠାରୁ ଶିଖରଚଣ୍ଡୀ ଯାଇଥିବା ରାସ୍ତା ମଧ୍ୟ ଅନ୍ଧାର। ଚନ୍ଦକା, ପଥରଗାଡ଼ିଆ, ସୁନ୍ଦରପୁର ସମେତ କଣ୍ଟାବାଡ଼, ଛତାବର ଆଦି ଗାଁର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ଚଉଡ଼ା ପିଚୁରାସ୍ତା ଥିଲେ ମଧ୍ୟ ଆଲୋକ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟାପରେ ପୂରା ଅଞ୍ଚଳର ଲୋକ ନାର୍ବାସନରେ ରହିବାଭଳି ରହୁଛନ୍ତି।

Leave A Reply

Your email address will not be published.