ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା : ମା’ ସମଲେଶ୍ୱରୀଙ୍କ ସମେତ ବିଭିନ୍ନ ମନ୍ଦିରରେ ଲାଗି ହେଲା ନବାନ୍ନ
ସମ୍ବଲପୁର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଆଜି ଉତ୍ସବ ମୁଖର ହୋଇ ପଡ଼ିଛି ପଶ୍ଚିମ ଓଡ଼ିଶା । ଦୁଲୁକୁଛି ମନ୍ଦିର ପରିସର । ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ମା’ ସମଲେଶ୍ୱରୀ ଓ ବଲାଙ୍ଗିରର ମାଆ ପାଟଣେଶ୍ୱରୀଙ୍କ ସମେତ ବିଭିନ୍ନ ମନ୍ଦିର ନିକଟରେ ଲାଗି ହୋଇଛି ନବାନ୍ନ ।
ପ୍ରଥମ ଶସ୍ୟକୁ ଇଷ୍ଟ ଦେବୀଙ୍କ ନିକଟରେ ଅର୍ପଣ କରିବାର ପରମ୍ପରାକୁ କୁହାଯାଇଥାଏ ନୂଆଖାଁଇ । ମା’ ନିକଟରେ ଅର୍ପଣ କରାଯାଉଥିବା ଚାଉଳକୁ ପଶୁପକ୍ଷୀ ବି ଅଇଁଠା କରି ନ ଥାନ୍ତି । ତେଣୁ ଫସଲ ପାଚିବା ପୂର୍ବରୁ ବିଲରୁ ଅମଳ କରି ଆଣି ମା’ଙ୍କୁ ଅର୍ପଣ କରାଯାଇଥାଏ । ଧରିତ୍ରୀ ଶସ୍ୟ ଶ୍ୟାମଳା ହେଉ, କାହାକୁ ଅନ୍ନ କଷ୍ଟ ନ ଲାଗୁ ବୋଲି ମା଼’ଙ୍କ ନିକଟରେ ଗୁହାରୀ କରାଯାଇଥାଏ l
ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପ୍ରଥମେ ଶୁଭ ଲଗ୍ନ ସକାଳ ୯ଟା୧୨ରୁ ୯ଟା ୨୭ ମଦ୍ୟରେ ନବାହ୍ନ ଲାଗି ହୋଇଛି। ଏହାପରେ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ବି ଲାଗି ହୋଇଛି ନବାହ୍ନ । ସେହିପରି ବଲାଙ୍ଗିରରେ ବି ନିର୍ଦ୍ଧାରିତ ସମୟରେ ନବାହ୍ନ ଲାଗି ହୋଇଛି ।
ଏହି ସମୟରେ ଉଭୟ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ମା’ଙ୍କ ନିକଟରେ ନବାହ୍ନ ଲାଗି ହେବା ପରେ ଶ୍ରଦ୍ଧାଳୁମାନେ ପ୍ରସାଦ ପାଇଥିଲେ । ଏହାପରେ ପଶ୍ଚିମ ଓଡ଼ିଶାରେ ଘରେ ଘରେ ବେଶ୍ ଆନନ୍ଦ ଉଲ୍ଲାସ ସହିତ ଆରମ୍ଭ ହୋଇଯାଇଛି ନୂଆଁଖାଇ ପର୍ବ ।
ଏହି ଅବସରରେ ଘରେ ଘରେ ସମସ୍ତ ପରିବାର ସଦସ୍ୟ ନୂଆ ବସ୍ତ୍ର ପିନ୍ଧିଥାନ୍ତି । ଏଥିସହ ନୂଆଁ ଅନ୍ନ ସହ ହୋଇଥାଏ ଭଳି କି ଭଳି ଖାଦ୍ୟ ପ୍ରସ୍ତୁତି । ପରିବାରର ସାନମାନେ ନୂଆ ବସ୍ତ୍ର ପିନ୍ଧି ବଡ଼ମାନଙ୍କ ଆର୍ଶିବାଦ ନେଇଥାନ୍ତି । ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁ ଖାଇଥାନ୍ତି । ନୂଆଁଖାଇ ପାଳନ ନିମନ୍ତେ ଦେଶବିଦେଶରୁ ଲୋକେ ନିଜ ଘରକୁ ଛୁଟି ଆସିଥାନ୍ତି।