ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧିରେ ମହିଳାଙ୍କୁ ଶସକ୍ତ କରିବା ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ : ସାଂସଦ

  • କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ସଚେତନତା ରଥର ସୁଭାରମ୍ଭ
  • ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍ ଓ ଗ୍ରାମ ପଞ୍ଚାୟତରେ ବୁଲିବ ୭ଟି ସଚେତନତା ରଥ
  • ୧୪ଟି ବ୍ଲକର ୧୬୨୬ଟି ସାଧାରଣ ସେବା କେନ୍ଦ୍ର ଓ ୩୬୨ଟି ମୋ ସେବା କେନ୍ଦ୍ରରେ ବିନା ମୂଲ୍ୟରେ ମିଳିବ ଫର୍ମ

କଟକ,୦୮-୦୯-୨୦୨୪(ପିପିଏସ) : ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ ତଥା ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସମ୍ପର୍କରେ ମହିଳାମାନଙ୍କୁ ସଚେତେନ କରିବା ନିମନ୍ତେ ଶନିବାର କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁଭଦ୍ରା ଯୋଜନାର ମୂଳ ଲକ୍ଷ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ l ଆର୍ଥିକ ସହାୟତା ପ୍ରଦାନ କରି ମହିଳାମାନଙ୍କର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାଗତ ସ୍ଥିତିରେ ଉନ୍ନତି ଆଣିବା, ଆର୍ଥିକ ସ୍ୱାଧୀନତା ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା, ଡିଜିଟାଲ ଆର୍ଥିକ ସ୍ୱାକ୍ଷରତାକୁ ଉତ୍ସାହିତ କରିବା ଏବଂ ବ୍ୟକ୍ତିଗତ ତଥା ବୃତ୍ତିଗତ ଅଭିବୃଦ୍ଧିରେ ସେମାନଙ୍କୁ ଶସକ୍ତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ମହତାବ କହିଛନ୍ତି ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଯୋଗଦେଇ ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେବା ସହିତ ଏହି ମହତ ଯୋଜନାରେ ସମସ୍ତ ହିତାଧିକାରୀ କିଭଳି ଅନ୍ତର୍ଭୁକ୍ତ ହୋଇପାରିବେ ତା’ ଉପରେ ଗୁରୁତ୍ୱାରୋପ କରିଥିଲେ । ହିତାଧିକାରୀମାନେ ବ୍ୟସ୍ତ ନହୋଇ ଫର୍ମ ଦାଖଲ ନିମନ୍ତେ ଜନସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରମାନଙ୍କରେ ଅତ୍ୟଧିକ ଗହଳି ନକରି ଶାନ୍ତିଶୃଙ୍ଖଳା ସହ ନିର୍ଭୁଲ ଭାବରେ ଫର୍ମ ପୂରଣ କରି ଦାଖଲ କରିବାକୁ ଜିଲ୍ଲାପାଳ ଶ୍ରୀ ସିନ୍ଦେ ସମସ୍ତ ହିତାଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲାର ୧୪ଟି ବ୍ଲକର ୧୬୨୬ଟି ସାଧାରଣ ସେବା କେନ୍ଦ୍ର ଓ ୩୬୨ଟି ମୋ ସେବା କେନ୍ଦ୍ରରେ ବିନା ମୂଲ୍ୟରେ ଫର୍ମ ଉପଲବ୍ଧ ହେବା ସହ ପଞ୍ଜିକରଣ କରାଯାଉଛି ।

ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ମହତାବଙ୍କ ସହିତ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଡିସିପି ପ୍ରକାଶ ଆର୍, ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ସୁଭଦ୍ରା ସଚେତନା ରଥର ଶୁଭାରମ୍ଭ କରିଥିଲେ । ସୁଭଦ୍ରା ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ସଚେତନତା ରଥ ବିଭିନ୍ନ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ଭ୍ରମଣ କରିବା ସହ ବାଙ୍କୀ, ଆଠଗଡ଼, ଚୌଦ୍ୱାର ସହରାଞ୍ଚଳ ଏବଂ କଟକ ମହାନଗର ନିଗମ ଅଞ୍ଚଳ ଭ୍ରମଣ କରିବ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ପରିଡ଼ା ପରିଚାଳନା କରିଥିବା ବେଳେ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସ୍ୱାଗତିକା ପରିଡ଼ା ଏବଂ ସ୍ୱଂୟସହାୟକ ଗୋଷ୍ଠିର ସଦସ୍ୟାଙ୍କ ସମେତ ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତ ଗୋଷ୍ଠି ସଦସ୍ୟାମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave A Reply

Your email address will not be published.