ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଦୁଇ ଶିକ୍ଷକଙ୍କ ସମେତ ଦେଶର ୮୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଜାତୀୟ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଗୁରୁଦିବସ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କୃତୀ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ହୋଇଥିବା ୨ ଓଡ଼ିଆ ଶିକ୍ଷକ ହେଲେ, କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲା ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଦ୍ବିତୀଚନ୍ଦ୍ର ସାହୁ । ପୁରସ୍କୃତ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହିତ ରୌପ୍ୟ ପଦକ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଦୁଇ ଶିକ୍ଷକଙ୍କ ସମେତ ଦେଶର ୮୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଜାତୀୟ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି।
ପୁରସ୍କାର ଗ୍ରହଣ କରିବା ପରେ ଓଡ଼ିଶାର ଦୁଇଶିକ୍ଷକ ଆଗକୁ ଏହି ପୁରସ୍କାର ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଉଲ୍ଲେଖନୀୟ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବ ବୋଲି ପ୍ରତିକ୍ରିୟାରେ କହିଥିଲେ। ପୁରସ୍କାର ପ୍ରଦାନ କରିବା ପରେ ରାଷ୍ଟ୍ରପତି ଶିକ୍ଷକସମୂହଙ୍କୁ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଅସାଧାରଣ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ। ରାଷ୍ଟ୍ରପତି କହିଲେ, ଆଜିର ଦିବସ ରାଇରାଙ୍ଗପୁରର ଅରବିନ୍ଦ ଇଣ୍ଟିଗ୍ରାଲ୍ ଏଜୁକେସନ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରରେ ତାଙ୍କ ଶିକ୍ଷକତା ଦିନକୁ ସ୍ମରଣ କରାଇଦେଉଛି। ସେଠାରେ ପିଲାମାନଙ୍କଠାରୁ ତାଙ୍କୁ କେବଳ ସ୍ନେହ ମିଳିନଥିଲା, ଅନେକ କିଛି ଶିଖିବାର ମିଳିଥିଲା। ଆଜି ବି ମୁଁ ଯେତେବେଳେ ଶିକ୍ଷକ କିମ୍ବା ପିଲାମାନଙ୍କ ଗହଣରେ ରହୁଛି, ମୋ ଭିତରର ଶିକ୍ଷକ ଭାବ ପୁଣିଥରେ ଜୀବନ୍ତ ହୋଇଯାଉଛି। ଗତ ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ମୋର କାର୍ଯ୍ୟକାଳର ଦ୍ବିତୀୟ ବର୍ଷ ଅବସରରେ ମୁଁ ନିଷ୍ପତ୍ତି ନେଲି ରାଷ୍ଟ୍ରପତି ଭବନ ପରିସରରେ ଥିବା ସ୍କୁଲରେ ମୁଁ ଛାତ୍ରଛାତ୍ରୀମାନଙ୍କ ସହିତ ସମୟ ବିତାଇବି। ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରକୃତି ଓ ପର୍ଯ୍ୟାବରଣ ପ୍ରସଙ୍ଗରେ ଆଲୋଚନା କରି ମୋତେ ବହୁତ ଆନନ୍ଦ ଅନୁଭବ ହୋଇଥିଲା ବୋଲି ରାଷ୍ଟ୍ରପତି କହିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜମୁଦାର, କେନ୍ଦ୍ର ଦକ୍ଷତା ବିକାଶ, ଉଦ୍ୟମିତା ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।