କାଲି ଦୁଇ ଯୁବକ ଡେଇଁଥିଲେ ମହାନଦୀକୁ : ଏପର୍ଯ୍ୟନ୍ତ ନିଖୋଜ
କଟକ,୦୪-୦୯-୨୪(ପିପିଏସ) : ଗତକାଲି ଅପରାହ୍ନରେ ଜଣେ ଯୁବକ ମହାନଦୀକୁ ଡେଇଁଥିବା ବେଳେ ରାତିରେ ଆଉ ଜଣେ ସମାନ ପଦକ୍ଷେପ ଉଠାଇଛନ୍ତି । ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଥିଲେ ବି ନିଖୋଜ ଯୁବକଦ୍ୱୟଙ୍କ ପତ୍ତା ମିଳି ପାରିନି।
ଗତକାଲି ରାତିରେ ଅନୁପ ଅଗ୍ରୱାଲ ମଧୁସୁଦନ ସେତୁ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ । ପୋଲ ଉପରୁ ତାଙ୍କର ସ୍କୁଟି ଓ ଚପଲ ଜବତ କରିଛି ପୁଲିସ୍। ବିଡାନାସୀ ଅଗ୍ନିଶମ ବିଭାଗ ଏବେ ଖୋଜାଖୋଜି ଜାରି ରଖିଥିବା ବେଳେ ତାଙ୍କର ପତ୍ତା ମିଳିପାରିନାହିଁ ।
ସେପଟେ ଗତକାଲି ଅପରାହ୍ନରେ କଟକ ଯୋବ୍ରା ବ୍ୟାରେଜରୁ ଡେଇଁ ନିଖୋଜ ଯୁବକ ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳର ମୃତ୍ୟୁଞ୍ଜୟ ମାଣିକଙ୍କୁ ଏବେ ବି ଖୋଜୁଛି ଅଗ୍ନିଶମ ବିଭାଗ । ମହାନଦୀରେ ଚାଲିଛି ସର୍ଚ୍ଚ ଅପରେସନ।
ମୃତ୍ୟୁଞ୍ଜୟଙ୍କ ଆତ୍ମହତ୍ୟା ଉଦ୍ୟମ ପଛରେ ଅନଲାଇନ୍ ଟ୍ରେଡିଂ ରହିଥିବା ପରିବାର ଲୋକେ କହିଛନ୍ତି । ଅନଲାଇନ୍ ଟ୍ରେଡିଂରେ ପ୍ରାୟ ୧୦ ଲକ୍ଷ ଟଙ୍କା କ୍ଷତି ସହିବା ପରେ ମୃତ୍ୟୁଞ୍ଜୟ ମାନସିକ ଚାପରେ ଥିଲେ। ଏହାପରେ ଦୁଇ ଦିନ ତଳେ ପୁଣି ୪ଲକ୍ଷ ଟଙ୍କା କ୍ଷତି ସହିବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ସମ୍ପର୍କୀୟ। ଗତକାଲି ତାଙ୍କ ଭଉଣୀଙ୍କ ମୋବାଇଲକୁ ମୋତେ ଆଉ ଖୋଜିବନି ମୁଁ ହାରିଗଲି, ବୋଲି ଏକ ଭାବପୂର୍ଣ୍ଣ ମେସେଜ ବି କରିଥିଲେ। ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।
ତେବେ ଅନୁପ ଅଗ୍ରୱାଲଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ସମ୍ପର୍କରେ ଜଣାପଡି ନାହିଁ l
ଉଭୟ ଯୁବକଙ୍କୁ ଖୋଜିବାକୁ ମହାନଦୀରେ ସର୍ଚ୍ଚ ଅପରେସନ ଚାଲିବା ସତ୍ତ୍ୱେ ସେମାନଙ୍କ ସନ୍ଧାନ ମିଳିପାରୁନି। ଆଶା, ଆଶଙ୍କାରେ ମହାନଦୀ କୂଳରେ ପରିବାର ଲୋକେ ଅନାଇ ରହିଛନ୍ତି ।